କୋଭିଡ୍‌ ରିପୋର୍ଟରେ ତ୍ରୁଟି, ଜଗା ଦର୍ଶନ କରିପାରିଲେନି ଭକ୍ତ

ପୁରୀରେ କହିଲେ ଜାଲ୍‌ କୋଭିଡ୍‌ ରିପୋର୍ଟ ଆଣିଛ, ଅଭିଯୋଗ ପରେ ମଧ୍ୟ କେହି ଶୁଣିଲେନି

ଭୁବନେଶ୍ବର: କୋଭିଡ୍‌ ରିପୋର୍ଟ ପ୍ରସ୍ତୁତ କରୁଥିବା କର୍ମଚାରୀଙ୍କ ବେପରୁଆ ମନୋଭାବ ପାଇଁ ଜଗନ୍ନାଥ ଦର୍ଶନ କରି ନ ପାରି ପୁରୀରୁ ଫେରିଛନ୍ତି ଜଣେ ଭକ୍ତ। କୋଭିଡ୍‌ ରିପୋର୍ଟରେ ଟାଇପ୍‌ରେ ତ୍ରୁଟି ଯୋଗୁଁ ଜଗା ଦର୍ଶନ ସମ୍ଭବ ହୋଇନାହିଁ। ରିପୋର୍ଟରେ ହୋଇଥିବା ଭୁଲ୍ ସଂପର୍କରେ କ୍ୟାପିଟାଲ ହସ୍ପିଟାଲରେ ଅଭିଯୋଗ କଲେ। ହେଲେ କର୍ମଚାରୀଙ୍କଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ କେହି ଶୁଣିଲେନି। ନେଗେଟିଭ୍ ରିପୋର୍ଟ ଥାଇ ମଧ୍ୟ ଶେଷରେ କାନମୁଣ୍ଡା ଆଉଁସି ଭୁଲ୍‌ ରିପୋର୍ଟ ଧରିକି ବସିଛନ୍ତି ଲିଙ୍ଗରାଜ ବିହାରର ଦିଲ୍ଲୀପ ନାୟକ(୫୬)।

ଦିଲ୍ଲୀପ କହିଛନ୍ତି, ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରିବା ପ‌ାଇଁ ରାଜ୍ୟ ସରକାର କୋଭିଡ୍‌ ରିପୋର୍ଟ ବାଧ୍ୟତାମୂଳକ କରିଥିବାରୁ ଏଥିପାଇଁ ନିଜର ପରୀକ୍ଷା କରାଇଥିଲି। ଡିସେମ୍ବର ୨୫ତାରିଖରେ ଗଣ୍ଡମୁଣ୍ଡା ଅଞ୍ଚଳରେ ହେଉଥିବା କ୍ୟାମ୍ପ୍‌ରେ ସ୍ବାବ୍ ସଂଗ୍ରହ ହୋଇଥିଲା। ନୂଆବର୍ଷରେ କ୍ୟାପିଟାଲ ହସ୍ପିଟାଲରେ ରିପୋର୍ଟ ‌ସଂଗ୍ରହ କେନ୍ଦ୍ରରେ ରିପୋର୍ଟ ଆଣିବା ବେଳକୁ ତାହା ବନ୍ଦ ହୋଇ ଯାଇଥିଲା। ୨ତାରିଖରେ ହସ୍ପିଟାଲରେ ରିପୋର୍ଟ ସଂଗ୍ରହ କରିବା ପରେ ପରିବାର ସହିତ ପୁରୀ ଯାଇଥିଲୁ। ହେଲେ ସେଠାରେ ପୁଲିସ କର୍ମଚାରୀ ରିପୋର୍ଟ ଭୁଲ୍‌ ଥିବା କହିଥିଲେ। ୨୦୨୦ ମସିହା ବଦଳରେ ରିପୋର୍ଟରେ ଡିସେମ୍ବର ୨୬ତାରିଖ ୨୦୨୧ ମସିହା ଲେଖାଥିଲା। ରିପୋର୍ଟରେ ତ୍ରୁଟି ହୋଇଥିବା ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ସେଠାରେ କେହି ଶୁଣି ନ ଥିଲେ। ଓଲଟା କହିଥିଲେ ତମେ ଜାଲ୍ କୋଭିଡ୍‌ ରିପୋର୍ଟ ଆଣିଛ। ମନ୍ଦିର ଭିତରକୁ ଯାଇପାରିବ ନାହିଁ। ବାଧ୍ୟ ହୋଇ ଜଗା ଦର୍ଶନ ବିନା ପୁରୀରୁ ଫେରିବାକୁ ପଡ଼ିଥିଲା।

ଗତ ୪ତାରିଖରେ କ୍ୟାପିଟାଲ ହସ୍ପିଟାଲର କୋଭିଡ୍‌ ଓପିଡିରେ ବସିଥିବା କର୍ମଚାରୀଙ୍କୁ ରିପୋର୍ଟ ସଂପର୍କରେ ଜଣାଇବା ପରେ ସେ କିଛି କରିପାରିବେ ନାହିଁ ବୋଲି କହିଥିଲେ। ହସ୍ପିଟାଲର ଉପ-ଅଧୀକ୍ଷକ ଧନଞ୍ଜୟ ଦାସଙ୍କୁ ଦେଖା କରିବା ଲାଗି କହିଥିଲେ। ଉପ-ଅଧୀକ୍ଷକଙ୍କୁ ଭେଟିବା ଲାଗି ଦୁଇ ଦୁଇ ଯାଇଥିଲେ ହେଁ ସେ କିଛି ଶୁଣି ନ ଥିଲେ। ଯଦି ସରକାରୀ ସ୍ତରରେ ଏଭଳି ତ୍ରୁଟି କରାଯିବ ତା’ହେଲେ ସାଧାରଣ ଲୋକମାନେ ହଇରାଣ ହେବା ସ୍ବାଭାବିକ ବୋଲି ଦିଲ୍ଲୀପ କହିଛନ୍ତି।

ସମ୍ବନ୍ଧିତ ଖବର