ଚମ୍ପଟ ଅଭିଯୁକ୍ତକୁ ଧରିବା ପାଇଁ ନୟାନ୍ତ ପୁଲିସ
ଭୁବନେଶ୍ବର : ଆଦର୍ଶ ଥାନା ହାଜତରୁ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ଧରିବା ପାଇଁ ଆଜି ପୁଲିସ ନୟାନ୍ତ ହୋଇଛି। ଅଭିଯୁକ୍ତ ଘରେ ଥିବା ଖବର ପାଇ ଆଜି ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଅଭିଯୁକ୍ତ ଘରକୁ ଘେରାଉ କରି ଚଢ଼ଉ କରିବା ପରେ ଅଭିଯୁକ୍ତ ଗଳା ବାଟ ଦେଇ ଚମ୍ପଟ ମାରିଛି। ଦୀର୍ଘ ୪ ଘଣ୍ଟାର ପରିଶ୍ରମ ବୃଥା ହୋଇଛି। ତେବେ ଅଭିଯୁକ୍ତ ଭୁବନେଶ୍ବରରେ ଥିବାରୁ ଆଜି ରାତି ସୁଦ୍ଧା ଧରିବା ପାଇଁ ଉଦ୍ୟମ ଚାଲିଥିବା ଏୟାରପୋର୍ଟ ଥାନା ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଜାନୁଆରି ୧୯ ତାରିଖ ଦିନ ଏୟାରପୋର୍ଟ ରୋଡ୍ରେ ପୁରୁଣା ଭୁବନେଶ୍ବର ହରଚଣ୍ଡୀ ସାହିର ଶିବପ୍ରସାଦ ବେହେରା ଅନ୍ୟ ଦୁଇ ସାଙ୍ଗ ଜଗା ବେହେରା ଓ ପ୍ରସନ୍ନ ସାହୁ ସହ ଯାଉଥିଲେ। ରାତି ପ୍ରାୟ ୯ଟା ବେଳେ ଏମାନଙ୍କୁ ୫ ଜଣ ଖଣ୍ଡା ଧରି ଆକ୍ରମଣ କରିଥିଲେ। ମୁଣ୍ଡରେ ଖଣ୍ଡା ବାଜିବାରୁ ଜଗା ଲହୁଲୁହାଣ ହୋଇ ତଳେ ପଡ଼ି ଯାଇଥିଲେ। ଦୁର୍ବୃତ୍ତମାନେ ତିନିଜଣଙ୍କଠାରୁ ସୁନା ଚେନ୍ ଓ ଟଙ୍କା ଲୁଟି ନେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭୀମପୁରର ଜିତୁକୁ ଗିରଫ କରିଥିଲା। ଜିତୁଠାରୁ ମୁଖ୍ୟ ଅଭିଯୁକ୍ତ ପୁରୁଣା ଭୁବନେଶ୍ବର ଅଞ୍ଚଳର ଅମିତ ସ୍ବରୂପ ମହାପାତ୍ର ଓରଫ ପିକୁଲ ସମ୍ପର୍କରେ ସୂଚନା ମିଳିଥିଲା। ଦୀର୍ଘ ୪ ମାସ ପୁଲିସକୁ ଭୁଆଁ ବୁଲାଇ ଅମିତ ଘୂରି ବୁଲିବା ସହ ନିଶା ବେପାର କରୁଥିଲା। ଗତ ୯ ତାରିଖ ତାକୁ ପୁରୁଣା ଭୁବନେଶ୍ବରରୁ ଗିରଫ କରାଯାଇଥିଲା। ୧୦ ତାରିଖ ସକାଳେ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ଡାକ୍ତରୀ ପରୀକ୍ଷା କରାଯାଇଥିଲା। କୋର୍ଟ ଚାଲାଣ ପାଇଁ କାଗଜପତ୍ର ପ୍ରସ୍ତୁତ କରାଯାଉଥିବା ବେଳେ ସେ ନାଟକୀୟ ଢଙ୍ଗରେ ଫେରାର ହେବାକୁ ସକ୍ଷମ ହୋଇଥିଲା। ସେହିଭଳି ଚନ୍ଦ୍ରଶେଖରପୁର ଥାନାରୁ ପୁଲିସକୁ ଧକ୍କା ମାରି ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା। ଅଦ୍ୟାବଧି ତା’ର ପତ୍ତା ମିଳିନାହିଁ।