ଏସ୍କର୍ଟ ସର୍ଭିସ୍‌ ନାଁ’ରେ ଠକେଇ ମାମଲା: କିଙ୍ଗ୍‌ପିନ୍‌ ଗୀତା ଗିରଫ

ଭୁବନେଶ୍ବର: ଅନ୍‌ଲାଇନ ଏସ୍କର୍ଟ ସର୍ଭିସ୍‌ ନାଁ (ଦେହଜୀବୀ ଯୋଗାଣ)ରେ ଠକେଇ କରୁଥିବା ମାମଲାରେ ଆଜି ସାଇବର ଥାନା ପୁଲିସ ଫେରାର୍‌ ଥିବା ଯୁବତୀ କିଙ୍ଗ୍‌ପିନ୍‌କୁ ନୂଆପଲ୍ଲୀ ଥାନା ଅଞ୍ଚଳରୁ ଧରିବାରେ ସଫଳ ହୋଇଛି। ରାଜଧାନୀରେ ଏଭଳି ଏକ ରୢାକେଟ୍‌ ଚଳାଇଥିବା ଯୁବତୀ ହେଲେ ପୁରୀ ଅଞ୍ଚଳର ଗୀତାଞ୍ଜଳି ପରିଡ଼ା(୨୨)। ସେ କେତେବେଳେ ନିଜକୁ ଟ୍ବିଙ୍କଲ୍‌ ତ କେତେବେଳେ ନିଜକୁ ପିଙ୍କି ବୋଲି କହୁଥିଲା। ପୁଲିସ ତା’ ନିକଟରୁ ନଗଦ ୬୨ ହଜାର ଟଙ୍କା, ୭୦ ସିମ୍‌ କାର୍ଡ ଓ କିଛି ବ୍ୟାଙ୍କ ଜମା ବହି ଜବତ କରିଛି। ସେହିଭଳି ତା’ ନାଁରେ ଥିବା ୫ ଲକ୍ଷ ଟଙ୍କାର ବିଭିନ୍ନ ଆକାଉଣ୍ଟକୁ ଅଚଳ କରିଦିଆଯାଇଛି। ଏହି ମାମଲାରେ ପୂର୍ବରୁ ଗୀତାର ୫ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ମାଷ୍ଟରମାଇଣ୍ଡ ଗୀତା ପୁଲିସକୁ ଚକ୍‌ମା ଦେଇ ଫେରାର୍‌ ଥିଲା।

୭୦ ସିମ୍‌ କାର୍ଡ, ୬୨ ହଜାର ଟଙ୍କା ଜବତ
୫ ଲକ୍ଷ ଟଙ୍କାର ଆକାଉଣ୍ଟ ଅଚଳ

ପୁଲିସ ସୂଚନାନୁସାରେ ବିବେକାନନ୍ଦ ନାମକ ଜଣେ ଯୁବକ ଗୁଗୁଲ୍‌ ସାଇଟ୍‌କୁ ଯାଇ ଭୁବନେଶ୍ବର ସହର ମଧ୍ୟରେ ଥିବା କୌଣସି ଏସ୍କର୍ଟ ସର୍ଭିସ୍‌ ଠିକଣା ଖୋଜୁଥିଲେ। ସେଥିରୁ ତାଙ୍କୁ ଏକ ଫୋନ୍‌ ନମ୍ବର ମିଳିଥିଲା। ଉକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ଜଣେ ଯୁବତୀ ତାଙ୍କୁ ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ଏକ ହୋଟେଲ ନିକଟକୁ ଆସି ଦେଖା କରିବାକୁ କହିଥିଲେ। ସାକ୍ଷାତ ବେଳେ ଯୁବତୀଜଣକ ନିଜକୁ ଟ୍ବିଙ୍କଲ୍‌ ବୋଲି ପରିଚୟ ଦେଇଥିଲା। ଏସ୍କର୍ଟ ସର୍ଭିସ୍‌ ପାଇବାକୁ ହେଲେ ପ୍ରଥମେ ୧୫୦୦ ଟଙ୍କା ଦେଇ ପଞ୍ଜୀକରଣ କରିବାକୁ ସେ ବିବେକାନନ୍ଦଙ୍କୁ କହିଥିଲା। ୧୫ ଶହ ଟଙ୍କା ପାଇବା ପରେ ଗୀତା ଓରଫ୍‌ ଟ୍ବିଙ୍କଲ୍‌ ବିବେକାନନ୍ଦଙ୍କ ଠିକଣା ଆଦି ବୁଝି ଚାଲିଯାଇଥିଲେ।

ଏହା ପରେ ସେ ଫୋନ୍‌ ଯୋଗେ ଏହି ସର୍ଭିସ୍ ପାଇଁ ସିକ୍ୟୁରିଟି ଚାର୍ଜ ବାବଦକୁ ଆଉ କିଛି ଟଙ୍କା ଦାବି କରିଥିଲେ ଏବଂ ବିବେକାନନ୍ଦ ମଧ୍ୟ ଅନ୍‌ଲାଇନ୍‌ରେ ଦେଇଚାଲିଥିଲେ। କିନ୍ତୁ ଏମିତିରେ ବିଭିନ୍ନ ପର୍ଯ୍ୟାୟରେ ସେ ୨୨ ହଜାର ୫୦୦ଟଙ୍କା ଦେବା ପରେ ବି ତାଙ୍କୁ ସେବା ମିଳିନଥିଲା। ଏହା ପରେ ଟ୍ବିଙ୍କଲ୍‌ର ଫୋନ୍‌ ବନ୍ଦ ହୋଇଯାଇଥିଲା। ଠକାମିର ଶିକାର ହେବା ନିଶ୍ଚିତ ହେବା ବିବେକାନନ୍ଦ ସାଇବର ଥାନାରେ ଅଭିଯୋଗ କରିଥିଲେ। ବିବେକାନନ୍ଦଙ୍କ ପୂର୍ବରୁ ଅନ୍ୟ ୮ ଜଣ ଏମିତି ଠକାମିର ଶିକାର ହୋଇ ଅଭିଯୋଗ କରିଥିଲେ। ରାଜଧାନୀରେ ସକ୍ରିୟ ଥିବା ଏଭଳି ଏକ ରୢାକେଟ୍‌କୁ ତୁରନ୍ତ ଠାବ କରିବାକୁ ପୁଲିସ ଲାଗିପଡ଼ିଥିଲା। ପୁଲିସ ଜାଲରେ ଗୀତା ଗ୍ୟାଙ୍ଗ୍‌ର ୫ଜଣ ଫସିଯାଇଥିଲେ ବି କିଙ୍ଗ୍‌ପିନ୍‌ ଧରାପଡ଼ିନଥିଲା।

ସମ୍ବନ୍ଧିତ ଖବର