ଭୁବନେଶ୍ବର: ଏସ୍କର୍ଟ ସର୍ଭିସ୍ ନାଁରେ ଲୋକଙ୍କୁ ବ୍ଲାକମେଲ୍ କରି କୋଟିକୋଟି ଟଙ୍କା ରୋଜଗାର ମାମଲାରେ ବିସ୍ଫୋରକ ତଥ୍ୟ ପଦାକୁ ଆସିଛି। ଏ ସଂପର୍କରେ ଜଣେ ମହିଳା ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ଘଟଣାର ମାଷ୍ଟର୍ମାଇଣ୍ଡ ସୁଶାନ୍ତ ପାତ୍ର କିଭଳି ଲୋକଙ୍କୁ ବ୍ଲାକମେଲ୍ କରୁଥିଲା ଓ ଯୁବତୀମାନଙ୍କୁ ଫସାଇ ଦେହ ବ୍ୟବସାୟରେ ସାମିଲ୍ କରାଉଥିଲା, ସେ ସଂପର୍କର ବହୁ ଚାଞ୍ଚଲ୍ୟକର ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି। ସେ ନିଜକୁ ସୁଶାନ୍ତର ପ୍ରଥମ ପତ୍ନୀ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଅର୍ଚ୍ଚନା ନାଗଙ୍କୁ ନେଇ ରାଜ୍ୟରେ ଯେଉଁ ଚର୍ଚ୍ଚା ହେଉଛି, ସୁଶାନ୍ତର କଳାକାରନାମା ଆଗରେ ତାହା କିଛି ବି ନୁହେଁ। ଲୋକଙ୍କୁ ବ୍ଲାକ୍ମେଲ୍ କରି ଟଙ୍କା ରୋଜଗାରରେ ସେ ଅର୍ଚ୍ଚନାକୁ ଟପିଯିବେ ବୋଲି କହିଛନ୍ତି। ପୁଲିସ ଠିକ୍ ଭାବେ ଯାଞ୍ଚ କଲେ ସବୁ ସତ ପଦାକୁ ଆସିବ। ତେବେ ସେ ସୁଶାନ୍ତ ବିରୋଧରେ ମୁହଁ ଖୋଲୁଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି। ସୁଶାନ୍ତର ସାନ ଭାଇ ଓ ନିର୍ଦ୍ଦିଷ୍ଟ ଦଳର ଜଣେ ରାଜନେତା ତାଙ୍କୁ ଫୋନ୍ କରି ବିଭିନ୍ନ ସମୟରେ ଧମକ ଦେଉଛନ୍ତି।
ଚାଳ ଛପରରୁ ରାଜପ୍ରସାଦ
ସୁଶାନ୍ତର ପରିବାର ଅତ୍ୟନ୍ତ ଗରିବ ଥିଲା। ତା’ ବାପା-ମା’ ତାଳ ବ୍ୟବସାୟ କରନ୍ତି। ଗାଁରେ ତା’ର ଚାଳ ଛପର ଘରଟିଏ ଥିଲା। ହେଲେ ବ୍ଲାକମେଲ୍ ଟଙ୍କା ଆସିବା ପରେ ତା’ର ଭାବଭଙ୍ଗୀ, ବେଶଭୂଷା, ଚାଲିଚଲଣି ସବୁ ରାତାରାତି ବଦଳି ଯାଇଥିଲା। ବ୍ଲାକମେଲ୍ କଳା ଟଙ୍କାରେ ସେ ଡେଲାଙ୍ଗରେ ରାଜପ୍ରସାଦ ଭଳି ଘର କରିଛି। ଦାମୀ କାର୍, ଟ୍ରକ୍, ବାଇକ୍, ପିକ୍-ଅପ୍ ଭ୍ୟାନ୍ ବି କିଣିଛି। ବିଭିନ୍ନ ବ୍ୟାଙ୍କରେ ତା’ର କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ରହିଛି ବୋଲି ମହିଳାଜଣଙ୍କ କହିଛନ୍ତି।
୫ବର୍ଷ ତଳୁ ଚଳାଇଥିଲା ଦେହ ବ୍ୟବସାୟ
ଦୀର୍ଘ ୫ବର୍ଷ ହେବ ସୁଶାନ୍ତ ଏସ୍କର୍ଟ ସର୍ଭିସ୍ ନାଁରେ ଦେହ ବ୍ୟବସାୟ ଚଳାଇଥିଲା। ପ୍ରତି ବର୍ଷ ଜଣେ ଜଣେ ଯୁବତୀଙ୍କୁ ପାଲରେ ପକାଇ ବିବାହ କରୁଥିଲା। ପରେ ସେମାନଙ୍କୁ ପରପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ଏମିତି ସେ ୧୨ଜଣ ଯୁବତୀଙ୍କୁ ଫସାଇ ଦେହ ବ୍ୟବସାୟରେ ସାମିଲ୍ କରିଥିଲା। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭିଡିଓ ଉଠାଇ ବ୍ଲାକମେଲ୍ କରୁଥିଲା। ମୋତେ ମଧ୍ୟ ଏଭଳି କରିବାକୁ ବାଧ୍ୟ କରିଥିଲା। ହେଲେ ମୁଁ ତା’ଠାରୁ ଦୂରେଇ ରହିଥିଲି। ଏ ସଂପର୍କରେ ଦେଢ଼ବର୍ଷ ତଳେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲି। କିନ୍ତୁ ପୁଲିସ ମୋ ଅଭିଯୋଗ ଗ୍ରହଣ କରିନଥିଲା। ଏଥିପାଇଁ ମୁଁ ଡିସିପି ଓ ସିପିଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲି। ହେଲେ କିଛି ଲାଭ ହୋଇନଥିଲା ବୋଲି ସେ କହିଛନ୍ତି।
୪ବର୍ଷ ତଳେ ଛାଡ଼ିଥିଲା ଚାକିରି
ମୁଁ ବିବାହ କରିବା ସମୟରେ ସୁଶାନ୍ତ ଖୋର୍ଦ୍ଧା ତାପଙ୍ଗ ହାଡ଼ପଦା ଅଞ୍ଚଳରେ ଥିବା ପୋଷ୍ଟ ଅଫିସ୍ରେ ପୋଷ୍ଟମାଷ୍ଟର୍ ଭାବେ କାମ କରୁଥିଲା। ଚାକିରି କରିବା ଭିତରେ ସେ ଏସ୍କର୍ଟ ସର୍ଭିସ୍ ଚଳାଇଥିଲା। କିନ୍ତୁ ମୋତେ ଏ ବିଷୟରେ ଆଦୌ ମାଲୁମ୍ ନଥିଲା। ଏଥିରୁ ଅଧିକ ଟଙ୍କା ମିଳୁଥିବାରୁ ତାକୁ କୋଟିପତି ହେବାର ମୋହ ଲାଗିଥିଲା। ରାତାରାତି କୋଟିପତି ହୋଇଯିବ ବୋଲି ସେ ମୋତେ ପ୍ରାୟ ସମୟରେ କୁହେ। କିନ୍ତୁ ଏଇ କଳା ଟଙ୍କାରେ ସେ କୋଟିପତି ହେବା କଥା କହୁଛି ବୋଲି ମୁଁ ଜାଣିପାରୁ ନଥିଲି। ଏହି ଅଶଡ଼ କାରବାରରୁ ପୁଳାପୁଳା ଟଙ୍କା ଆସିବା ପରେ ୪ବର୍ଷ ତଳେ ସେ ଚାକିରି ଛାଡ଼ି ଦେଇ ପୂରା ଏଇଥିରେ ଲାଗି ଯାଇଥିଲା। ମୁଁ ଯେତେବେଳେ ଏ କଥା ଜାଣିଲି, ତାକୁ ଛାଡ଼ି ଦେଇଥିଲି।
ରାଜନେତା, ପୁଲିସ ବି ଫସିଛନ୍ତି
ସୁଶାନ୍ତର ଜାଲରେ ଯେ କେବଳ ସାଧାରଣ ଲୋକ ଫସିଛନ୍ତି, ତା’ ନୁହେଁ, ରାଜନେତାଠାରୁ ଆରମ୍ଭ କରି ପୁଲିସ, ବଡ଼ବଡ଼ ଅଫିସର୍ଙ୍କୁ ବି ସେ ନାକରେ କନ୍ଦେଇଛି। ତା’ ଦ୍ବାରା ବ୍ଲାକମେଲ୍ର ଶିକାର ହୋଇଥିବା ତାଲିକାରେ ହଜାର ହଜାର ଲୋକ ଅଛନ୍ତି। ସେ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ନେଇ ପରବର୍ତ୍ତୀ ସମୟରେ ବ୍ଲାକମେଲ୍ କରିଆସୁଥିଲା। ଚନ୍ଦ୍ରଶେଖରପୁର ଥାନାର ଜଣେ ଏସ୍ଆଇ ତା’ ଜାଲରେ ପଡ଼ିଥିଲେ। ତାଙ୍କୁ ବ୍ଲାକ୍ମେଲ୍ କରିବାରୁ ସେ ଲୋକଲଜ୍ଜାରେ କଥାକୁ ପଦାକୁ ଆସିବାକୁ ଦେଇନଥିଲେ।
ଏକାଧିକ ପୀଡ଼ିତ ମୋ ସମ୍ପର୍କରେ ଅଛନ୍ତି
ବ୍ଲାକମେଲ୍ର ଶିକାର ହୋଇଥିବା ଏକାଧିକ ଲୋକ ମୋ ସମ୍ପର୍କରେ ଅଛନ୍ତି। ଜଣେ ବ୍ୟକ୍ତିଙ୍କଠାରୁ ସୁଶାନ୍ତ ୫ଲକ୍ଷ ଟଙ୍କା ନେଇଥିଲା। ସେ ବ୍ୟକ୍ତି ସୁଶାନ୍ତ କବଳରୁ ବର୍ତ୍ତିବା ପାଇଁ ମୋ ସହ ଯୋଗାଯୋଗ କରିଥିଲେ। ସେମିତି ଆଉ ଜଣେ ବ୍ୟକ୍ତିଙ୍କୁ ସୁଶାନ୍ତ ଯାଜପୁର ଚଣ୍ଡୀଖୋଲସ୍ଥିତ ଏକ ହୋଟେଲ୍ରେ ଏସ୍କର୍ଟ ସର୍ଭିସ୍ ଦେଇ ତାଙ୍କର ଫଟୋ ଭିଡିଓ ଉଠାଇଥିଲା। ବ୍ଲାକମେଲ୍ କରି ୧୫ହଜାର ଟଙ୍କା ନେଇଥିଲା। ପରେ ତାକୁ ଲକ୍ଷଲକ୍ଷ ଟଙ୍କା ଡିମାଣ୍ଡ କରିଥିଲା। ସେ ବ୍ୟକ୍ତି ମୋତେ ଫୋନ୍ କରି ନେହୁରା ହୋଇଥିଲେ। ତାଙ୍କୁ ନେଇ ମୁଁ ଖଣ୍ଡଗିରି ଥାନାକୁ ଯାଇଥିଲି। ହେଲେ ପୁଲିସ ସେତେବେଳେ ଅଭିଯୋଗ ରଖିନଥିଲା।