ଏସ୍‌ପ୍ଲାନେଡ୍‌ ୱାନ୍‌ରେ ପାଳିତ ହେବ ବୋଇତ ବନ୍ଦାଣ ଉତ୍ସବ

ଭୁବନେଶ୍ୱର : ଏସ୍‌ପ୍ଲାନେଡ୍‌ ୱାନ୍‌ରେ ଶୁକ୍ରବାର ପାଳିତ ହେବ ବୋଇତ ବନ୍ଦାଣ ଉତ୍ସବ। ସହରର ଆଧୁନିକ ଯୁବକ/ଯୁବତୀ ତଥା ଛୋଟ ପିଲାମାନଙ୍କ ମଧ୍ୟରେ ଓଡ଼ିଆ ସଂସ୍କୃତି, ନୌବାଣିଜ୍ୟ ପରମ୍ପରା, ସାଧବ/ସାଧବାଣୀ କାହାଣୀ ଓ ଡଙ୍ଗାଭସା ପରମ୍ପରାକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜନ କରାଯାଇଛି। ଏଥିପାଇଁ ଏସ୍‌ପ୍ଲାନେଡ୍‌ ପ୍ରାଙ୍ଗଣରେ ଇକୋ-ପଣ୍ଡ ବା କୃତ୍ରିମ ପୋଖରୀର ବ୍ୟବସ୍ଥା କରାଯାଇଛି। ଲୋକମାନେ ଏଠାରେ ଆସି ଡଙ୍ଗା ଭସାଇ ପାରିବେ। ଅତ୍ୟଧିକ ପରିମାଣରେ କାଗଜ ଡଙ୍ଗା ବା କଦଳୀ ବାହୁଙ୍ଗା ଡଙ୍ଗା ଜଳାଶୟରେ ଭସାଇବା ଫଳରେ ଏହା ପ୍ରଦୂଷିତ ହୋଇଥାଏ। ଏଣୁ ଲୋକମାନଙ୍କୁ ଏକ ପରିବେଶ ସଚେତନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଉତ୍ସବର ଆୟୋଜନ ବୋଲି ଏସ୍‌ପ୍ଲାନେଡ୍‌ ଟିମ୍‌ ପକ୍ଷରୁ କୁହାଯାଇଛି। ତେବେ ଏହି ଅବସରରେ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଆକର୍ଷଣୀୟ ଅଫର ରହିବ ବୋଲି ମଲ୍‌ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।

ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ ଉଦ୍‌ଘାଟିତ

ପୁରୁଣା ଭୁବନେଶ୍ବର : କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲିଙ୍ଗିପୁର ଦୟାନଦୀ କୂଳରେ ‘ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ’ ଓ ‘ଦୟାନଦୀ ସମ୍ମାନ-୨୦୧୮’ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିମୟୀ ସୁନ୍ଦରାୟ, କାପୋକର ସଂପାଦକ ଚିତ୍ତ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କୁ ‘ଦୟାନଦୀ ସମ୍ମାନ ୨୦୧୮’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ସଂକୀର୍ତ୍ତନ ମଣ୍ଡଳୀ, ରବୀନ୍ଦ୍ର କୁମାର ପାତ୍ର, କ୍ଷୀରୋଦ ପ୍ରଧାନ, କଣ୍ଠଶିଳ୍ପୀ କୁମାର ବାପି, ପ୍ରଭୁ କିଶୋର, ସୁଜାତା, ଅଲିଭାଙ୍କୁ ସମ୍ବର୍ଧିତ କରାଯାଇଥିଲା। ଭକ୍ତ ଭୂଷଣ ବାରିକ ଧନ୍ୟବାଦ ଦେଇଥିଲେ। ଇଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କାପୋକର ସଭ୍ୟ ସୁବ୍ରତ ପାଇକରାୟ, ଅର୍ଜୁନ ବରାଳ, ବିଜୟ ସାମନ୍ତରାୟ, ସାଇ ପ୍ରସନ୍ନ ପଟ୍ଟନାୟକ, ରମାନନ୍ଦ ସାମନ୍ତରାୟ, ଦିନବନ୍ଧୁ ସ୍ୱାଇଁ, ପ୍ରକାଶ ସାହୁ, ରାକେଶ ମହାରଣା, ଅଶୋକ ଓଝା ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର