ଆସୁଛି ୟାସ୍‌, ରାଜଧାନୀରେ ନିଅଣ୍ଟ ହେବନି ଅତ୍ୟାବଶ୍ୟକ ସାମଗ୍ରୀ

୧୫ ଦିନର ମାଲ୍‌ ମହଜୁଦ ଅଛି, ଛାନିଆ ହୋଇ କିଛି କିଣନ୍ତୁ ନାହିଁ: ପ୍ରଶାସନ

ଭୁବନେଶ୍ବର : ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଯୋଗୁଁ ଚାଉଳ, ଡାଲିର ପ୍ରାୟ ୩୦ରୁ ୪୦ ପ୍ରତିଶତ ଏବଂ ଆଳୁ, ପିଆଜର ବ୍ୟବସାୟ ପ୍ରାୟ ୫୦ ପ୍ରତିଶତ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ବାତ୍ୟା ପରିପ୍ରେକ୍ଷୀରେ ମଧ୍ୟ ରାଜଧାନୀରେ ଖାଦ୍ୟ ସାମଗ୍ରୀ ନିଅଣ୍ଟ ହେବାର ସମ୍ଭାବନା ନାହିଁ। ବରଂ ବ୍ୟବସାୟୀମାନଙ୍କ ପାଖରେ ବର୍ତ୍ତମାନ ଯେତିକି ଅତ୍ୟାବଶକ ସାମଗ୍ରୀ ମହଜୁଦ୍‌ ରହିଛି, ତାହା ରାଜଧାନୀର ୧୫ ଦିନର ଆବଶ୍ୟକତା ପୂରଣ କରିପାରିବ। ଏଭଳି ସୂଚନା ଦେଇଛି ଓଡ଼ିଶା ବ୍ୟବସାୟୀ ସଂଘ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପ୍ରଭାବରେ ଆସନ୍ତା ମଙ୍ଗଳବାର ରାତିରୁ ରାଜଧାନୀରେ ଖଡ଼ବାତ୍ୟା ସାଂଗକୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ବଜାରରୁ ଡାଲି, ଚାଉଳ, ଆଳୁ, ପିଆଜ, ଲୁଣଠାରୁ ଆରମ୍ଭ କରି ଅତ୍ୟାବଶକ ସାମଗ୍ରୀର ସଂକଟ ସୃଷ୍ଟି ହୋଇପାରେ ବୋଲି ରାଜଧାନୀବାସୀ ଏବେଠୁ ଆଶଙ୍କା କଲେଣି। ଏଥିଯୋଗୁଁ ଦୁଇଦିନର ସଟ୍‌ଡାଉନ୍ ପରେ ସୋମବାର ବଜାର ଏବଂ ଦୋକାନରେ ଭାରି ଭିଡ଼ ହେବା ନେଇ ଅନୁମାନ କରାଯାଉଛି। କରୋନା ପରିସ୍ଥିତି ସତ୍ତ୍ବେ ‌ଲୋକେ ବହୁ ସଂଖ୍ୟାରେ ବଜାରକୁ ଯାଇ ଆଳୁ, ପିଆଜ, ଚାଉଳ, ଅଟା ଆଦି କିଣିବାକୁ ଚେଷ୍ଟା କରିବେ। ମାତ୍ର ଏଭଳି କରିବାର କୌଣସି ଆବଶ୍ୟକତା ନାହିଁ ଏବଂ ଅତ୍ୟାବଶକ ସାମଗ୍ରୀ ନେଇ କୌଣସି ପ୍ରକାର ଚିନ୍ତା କରନ୍ତୁ ନାହିଁ ବୋଲି କହିଛି ବ୍ୟବସାୟୀ ସଂଘ।

ଓଡ଼ିଶା ବ୍ୟବସାୟୀ ସଂଘର ସୁଧାକର ପଣ୍ଡା କହିଛନ୍ତି, ରାଜଧାନୀରେ ପ୍ରତିଦିନ ହାରାହାରି ୯୦୦ ଟନ୍ ଚାଉଳ, ୧୦୦ ଟନ୍ ଡାଲି ବ୍ୟବସାୟ ହୁଏ। ରାଜଧାନୀ ନିକଟସ୍ଥ ଚାଉଳ କଳ ଯଥା ଟାଙ୍ଗୀ, ଖୋର୍ଧା, କାମାକ୍ଷାନଗର, ଚନ୍ଦନନଗରରୁ ଚାଉଳ ଆସି ପହଞ୍ଚିଥାଏ। ରାଞ୍ଚି, ହରିଆଣା, ପଂଜାବରୁ କିଛି ସ୍ବତନ୍ତ୍ର ପ୍ରକାର ଚାଉଳ ଆସେ। ଡାଲି ନାଗପୁର, ରାୟପୁର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକରୁ ଆସିଥାଏ। ଲକଡାଉନ୍‌ ସତ୍ତ୍ବେ ମାଲବାହୀ ଗାଡ଼ି ଚଳାଚଳରେ କୌଣସି ଅସୁବିଧା ନାହିଁ। ତେଣୁ ମାଲ୍‌ଗୁଡ଼ିକ ନିର୍ଧାରିତ ସମୟରେ ଏଠାରେ ପହଞ୍ଚି ଯାଉଛି। କରୋନା ପରିସ୍ଥିତି ଏବଂ ଲକଡାଉନ୍‌ ଯୋଗୁଁ ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଇଛି। ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲୁ ଥିବାରୁ କ୍ରୟ କରିବା ପାଇଁ ସମୟ ନାହିଁ। ଏଭଳି ସ୍ଥିତିରେ ଆମ ନିକଟରେ ପର୍ଯ୍ୟାପ୍ତ ସାମଗ୍ରୀ ମହଜୁଦ ରହିଛି।

ଆଇଗିଣିଆ ପିଆଜ ଗୋଦାମ ବ୍ୟବସାୟୀ ବୁଲୁ ମହାରଣା କହିଛନ୍ତି, ସାଧାରଣ ସମୟରେ ଆଇଗିଣିଆ ମଣ୍ଡିରୁ ୧୫ରୁ ୨୦ ଗାଡ଼ି ପିଆଜ, ୩୦ରୁ ୩୫ ଗାଡ଼ି ଆଳୁ ବିକ୍ରି ହୁଏ। ଏଠାରୁ ରାଜଧାନୀର ୧ନମ୍ବର ମାର୍କେଟ, ନୟାଗଡ଼, ପାରାଦୀପ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନକୁ ମାଲ୍ ଯାଇଥାଏ। ଏବେ ନାସିକରୁ ପର୍ଯ୍ୟାପ୍ତ ପିଆଜ ଆସୁଛି। ବ୍ୟବସାୟ ମାନ୍ଦା ରହୁଥିବାରୁ ଅନେକ ସ୍ଥାନରେ କ୍ରୟ ମୂଲ୍ୟରୁ ବି କମ୍‌ ମୂଲ୍ୟରେ ବିକ୍ରି କରିବାକୁ ଆମେ ବାଧ୍ୟ ହୋଉଛୁ ବୋଲି କହିଛନ୍ତି ଶ୍ରୀ ମହାରଣା।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗରୁ ବଙ୍ଗାଳୀ ବ୍ୟବସାୟୀ ଏଠାକୁ ଆସି ଆଳୁ ବିକ୍ରି କରିଥା’ନ୍ତି। ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଆସୁଛି। ବଜାର ବନ୍ଦ ଥିବାରୁ ରାସ୍ତାକଡ଼ରେ ବିକ୍ରି ହେଉଛି। ସାଧାରଣ ସମୟରେ ଗ୍ରାହକ ଯେତେ ଆଳୁ କିଣନ୍ତି, ଏବେ ସେଭଳି ହେଉନାହିଁ। ଲୋକେ ଚିନ୍ତିତ ହୋଇ ଆବଶ୍ୟକତାଠାରୁ ଅଧିକ କ୍ରୟ କଲେ ଅଭାବ ହୋଇଥାଏ। ଏବେ ସେଭଳି ହେବାର ସମ୍ଭାବନା ନାହିଁ ବୋଲି ଆଳୁ ବ୍ୟବସାୟୀମାନେ କହିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଭିନ୍ନ ସମୟରେ କିଛି ମୁନାଫା‌ଖୋର୍‌ ବ୍ୟବସାୟୀ ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କ ଦୁର୍ଦ୍ଦଶାକୁ ଆଳ କରି କୃତ୍ରିମ ଅଭାବ ସୃଷ୍ଟି କରନ୍ତି। ମୂଲ୍ୟ ଅଧିକ ବଢ଼ାଇ ଦିଅନ୍ତି। ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଅନ୍ୟ ଦିଗରେ ଖାଦ୍ୟ ସାମଗ୍ରୀ ଯୋଗାଣରେ କୌଣସି ଅସୁବିଧା ସୃଷ୍ଟି ନ ହେବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ତେଣୁ ଛାନିଆ ହୋଇ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ବେଶି ବେଶି କିଣି ନ ପକାଇବାକୁ ପ୍ରଶାସନ ପକ୍ଷରୁ ରାଜଧାନୀବାସୀଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର