ଟେଷ୍ଟ-ଟ୍ୟୁବ୍ ବେବି ସେଣ୍ଟର୍ ମାମଲା: ଡା. ପି ନମର୍ଥାଙ୍କୁ ୨୭ ମାସ ଜେଲ୍

ଦୋଷୀ ସାବ୍ୟସ୍ତ ହେଲେଣି ୩ ଡାକ୍ତର

ଭୁବନେଶ୍ବର : ବିନା ଲାଇସେନ୍ସରେ ଟେଷ୍ଟ୍-ଟ୍ୟୁବ୍ ବେବି ସେଣ୍ଟର୍ ଚଳାଇବା, ଅଣସ୍ବୀକୃତିପ୍ରାପ୍ତ ଆୟୁଷ ଡାକ୍ତରଙ୍କ ଦ୍ବାରା ଲିଙ୍ଗ ନିରୂପଣ ଓ ପରୀକ୍ଷା କରାଇବା ଏବଂ ଟିକସ ଫାଙ୍କିବା ଭଳି ଏକାଧିକ ମାମଲାରେ ସ୍ତ୍ରୀ-ପ୍ରସୂତି ଓ ବନ୍ଧ୍ୟାଦୋଷ ଦୂରୀକରଣ ବିଶେଷଜ୍ଞ ଡାକ୍ତର ପି. ନମର୍ଥା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟର ମାଜିଷ୍ଟ୍ରେଟ୍ ପାୟଲ୍ ଗୁପ୍ତା ମାମଲାର ଶୁଣାଣି କରି ତାଙ୍କୁ ୨ବର୍ଷ ୩ମାସ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି।

ସୂଚନା ଅନୁସାରେ, ୧୯ ମାର୍ଚ୍ଚ ୨୦୧୫ରେ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଯାଞ୍ଚ ଓ ପରିଚାଳନା କମିଟିର ଯୁଗ୍ମ ନିର୍ଦ୍ଦେଶକ ଡା. ଅଜିତ କୁମାର ମହାନ୍ତି, ମନୋରଂଜନ ପ୍ରଧାନ, ଶ୍ରାବଣୀ ଦାଶ ପ୍ରମୁଖ ଜୟଦେବ ବିହାରସ୍ଥିତ ସୃଷ୍ଟି ଟେଷ୍ଟ୍-ଟ୍ୟୁବ୍ ବେବି ସେଣ୍ଟର୍‌ରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଜଣାପଡ଼ିଥିଲା ଯେ ସେଠାରେ ବିନା ପିସି ଓ ପିଏନ୍‌ଡିଟି ପଂଜୀକରଣରେ ଜେନେଟିକ୍ କାଉନସେଲିଂ ସେଣ୍ଟର୍ ଓ ଲ୍ୟାବ୍ ଚାଲୁଥିଲା। ଜିଲ୍ଲା ପ୍ରାଧିକୃତ ଅଧିକାରୀଙ୍କ ବିନା ଅନୁମତିରେ ଏହି ବେବି ସେଣ୍ଟର୍‌ରେ ଅଲଟ୍ରାସାଉଣ୍ଡ ମେସିନ୍ ବ୍ୟବହାର ହେଉଥିଲା। ମେସିନ୍ ଚଳାଇବା ଅଣପ୍ରାଧିକୃତ ବା ଅଯୋଗ୍ୟ ଆୟୁଷ ଡାକ୍ତରଙ୍କୁ ସଂସ୍ଥା ପକ୍ଷରୁ ନିଯୁକ୍ତ କରାଯାଇଥିଲା।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ପ୍ରତିଦିନ ସେଣ୍ଟର୍‌ରେ କେତେ ଲୋକଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିଲା ଏବଂ ଲିଙ୍ଗ ନିରୂପଣ କରାଯାଇଥିଲା, ସେ ନେଇ କୌଣସି ତଥ୍ୟ ନଥିଲା। ଏପରିକି ଲିଙ୍ଗ ନିରୂପଣ କରିବାକୁ ଆସୁଥିବା ଲୋକଙ୍କଠାରୁ ମନଇଚ୍ଛା ଟଙ୍କା ଶୋଷଣ କରାଯିବା ପରେ ସେମାନଙ୍କୁ ବିଲ୍ ଦିଆଯାଉ ନଥିଲା। ତଦନ୍ତ ପରେ ଜଣାପଡ଼ିଥିଲା, ସଂସ୍ଥା ଟିକସ ଫାଙ୍କୁଥିଲା। ପରେ ତଦନ୍ତକାରୀ ଦଳ ଟେଷ୍ଟ୍ ଟ୍ୟୁବ୍ ବେବି ସେଣ୍ଟର୍‌କୁ ସିଲ୍ କରିବା ସହ ଅଲଟ୍ରାସାଉଣ୍ଡ୍ ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ପ୍ରାୟ ୭ବର୍ଷ ଧରି ମାମଲାର ବିଚାର ପରେ ଆଜି କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ବିନା ଲାଇସେନ୍ସରେ କ୍ଲିନିକ୍ ଚଳାଇବାକୁ ନେଇ ମାସକ ମଧ୍ୟରେ ୩ଜଣ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ସାରିଲାଣି। ଡା. ନମର୍ଥାଙ୍କ ବ୍ୟତୀତ ଡା. ରାଜକିଶୋର ସାହୁଙ୍କୁ ୨ବର୍ଷ ଓ ଡା. ନବନୀତା ପାଢ଼ୀଙ୍କୁ ଅଢ଼େଇ ବର୍ଷ ଜେଲ୍‌ ଦଣ୍ଡ​​​ରେ ଦଣ୍ଡିତ କରାଯାଇଛି।

ସମ୍ବନ୍ଧିତ ଖବର