ଟ୍ବିନ୍‌ ସିଟିରେ ହେବ ସାଇବର ସିକ୍ୟୁରିଟି କ୍ଲବ୍

ଭୁବନେଶ୍ବର: ଖୁବ୍ ଶୀଘ୍ର ଟ୍ବିନ୍ ସିଟିରେ ଗଠନ ହେବ ସାଇବର ସିକ୍ୟୁରିଟି କ୍ଲବ୍। ଏହି କ୍ଲବ୍‌ରେ କମିସନରେଟ ପୁଲିସର ବଛା ବଛା କେତେକ ଅଫିସର, ବିଭିନ୍ନ ସ୍କୁଲର ପରିଚାଳନା କମିଟିର ସଦସ୍ୟ ଓ ସ୍କୁଲର ସିନିଅର ଛାତ୍ରଛାତ୍ରୀ ରହିବେ। ସମସ୍ତଙ୍କୁ ନେଇ ଏକ ହ୍ବାଟ୍‌ସଆପ୍ ଗ୍ରୁପ ଗଠନ କରାଯିବ। ଏହି ଗ୍ରୁପ୍‌ ମାଧ୍ୟମରେ ସ୍କୁଲ ଛାତ୍ରଛାତ୍ରୀ ସମ୍ମୁଖୀନ ହେଉଥିବା କିମ୍ବା ଶିକାର ହେଉଥିବା ଅପରାଧ ସମ୍ପର୍କରେ ଅବଗତ କରାଇପାରିବେ। ପରବର୍ତ୍ତୀ ସମୟରେ କମିସନରେଟ ପୁଲିସ ସେହି ସମସ୍ୟାକୁ କିଭଳି ମୁକାବିଲା କରାଯାଇପାରିବ, ସେନେଇ ସେଚେତନତା ସୃଷ୍ଟି କରିବ। ସାଇବର ଅପରାଧ, ନିଶା ସେବନ, ଅପହରଣ, ବାଲ୍ୟବିବାହ ଭଳି ପ୍ରସଙ୍ଗ ପୁଲିସର ଫୋକସ୍‌ରେ ରହିବ।

ଆଜି କମିସନରେଟ ପୁଲିସ କାର୍ଯ୍ୟାଳୟରେ ‘ସାଇବର ସିକ୍ୟୁରିଟି ଫର୍‌ ଚି‌ଲ୍‌ଡ୍ରେନ ଆଣ୍ଡ୍ ଷ୍ଟୁଡେଣ୍ଟ’ ଉପରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାଇବର ଅପରାଧ ସମ୍ପର୍କରେ ବିସ୍ତୃ୍ତ ସୂଚନା ଦେଇ କହିଛନ୍ତି ଯେ ଏବେ ସାଇବର ଅପରାଧ ବହୁ ମାତ୍ରାରେ ବଢ଼ିଯାଇଛି। ବି‌ଶେଷକରି କୋଭିଡ୍‌ ପରେ ସ୍କୁଲ ପିଲାମାନେ ମୋବାଇଲ୍ ଫୋନ୍ ମାଧ୍ୟମରେ ପାଠ ପଢ଼ିବା ପରେ ଏହାର ଅନେକ କୁ-ପ୍ରଭାବ ଦେଖିବାକୁ ମିଳିଛି। ଏବେ ଅପହରଣ, ବାଲ୍ୟ ବିବାହ, ଆତ୍ମହତ୍ୟା ଓ ନିଶା ସେବନ ଭଳି ଅପରାଧ ବଢ଼ିବଢ଼ି ଚାଲିଛି। ଅନେକ ଛୋଟ ଛୋଟ ସ୍କୁଲ ପିଲା ମଧ୍ୟ ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିଛନ୍ତି। ବିଭିନ୍ନ ପ୍ରକାରର ମାରାତ୍ମକ ଇଣ୍ଟରନେଟ୍ ଗେମ୍‌ ଖେଳୁଛନ୍ତି। ଏହାଦ୍ବାରା ଆତ୍ମହତ୍ୟା ପ୍ରବଣତା ବଢ଼ିଛି। ଏପରକି ଇଣ୍ଟରନେଟ୍ ସେମାନଙ୍କ ନିଶାରେ ପରିଣତ ହୋଇଯାଇଛି। ଏହା ଦ୍ବାରା ସେମାନଙ୍କ ଆକାଂକ୍ଷା ବଢ଼ୁଛି, ମାନସିକ ଚାପରେ ରହିରହି ଚିଡ଼ିଚିଡ଼ା ହୋଇଯାଉଛନ୍ତି। ପୁଣି ଏହି ସବୁ ଗେମ୍ ଖେଳିବା ବେଳେ ସେମାନେ ସାଇବର ଅପରାଧର ଶିକାର ହେଉଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରୁ ସେମାନଙ୍କ ଫଟୋକୁ ସାଇବର ଅପରାଧୀମାନେ ସଂଗ୍ରହ କରି ତାକୁ ଏଡିଟିଂ କରି ବ୍ଲାକ୍‌ମେଲ୍‌ କରୁଛନ୍ତି। ଏଥିପାଇଁ ଅନେକ ଲଜ୍ଜାରେ ପାଠପଢ଼ା ଛାଡ଼ି ଦେଉଛନ୍ତି। କେତେକ କ୍ଷେତ୍ରରେ ପିଲାମାନଙ୍କ ଏହି ଗେମ୍ ଖେଳକୁ ନେଇ ବାପାମା’ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିଦେଇଛନ୍ତି ସାଇବର ଅପରାଧୀ। ତେଣୁ ଏଭଳି ସାଇବର ଅପରାଧ ସମ୍ପର୍କରେ ସଚେତନତା କରାଇବା ପାଇଁ କମିସନରେଟ ପୁଲିସ ପକ୍ଷରୁ ସାଇବର ସିକ୍ୟୁରିଟି କ୍ଲବ୍ ଗଠନ କରାଯିବାକୁ ସ୍ଥିର ହୋଇଛି। ଆସନ୍ତା ୪/୫ ଦିନ ମଧ୍ୟରେ ଏହି ଟିମ୍ ଏକାଧିକ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବାକୁ ଯୋଜନା ରଖିଛି।

ଏ ସମ୍ପର୍କରେ ଡିସିପି ପ୍ରତୀକ ସିଂହ କହିଛନ୍ତି ଅନେକ ଛାତ୍ରୀ ସାଇବର ଅପରାଧ, ଇଭ୍‌ଟିଜିଂ ଓ ଅସଦାଚରଣ ଭଳି ଅପରାଧର ଶିକାର ହେଉଥିଲେ ମଧ୍ୟ ଲଜ୍ଜାରେ ମୁହଁ ଖୋଲୁନାହାନ୍ତି। ସେକ୍ସେଟର୍ସନର ଶିକାର ହେଉଥିଲେ ମଧ୍ୟ ସମସ୍ତେ ଚୁପ ରହୁଛନ୍ତି। ତେଣୁ ଏଭଳି ଏକ କ୍ଲବ୍ ଖୋଲାଯିବା ପରେ ଛାତ୍ରୀମାନେ ସେମାନଙ୍କ ମନର କଥାକୁ ପ୍ରକାଶ କରିପାରିବେ। ଏଥିପାଇଁ ଯେଉଁ କ୍ଲବ୍‌ ଗଠନ କରାଯାଇଛି, ସେଥିରେ କମିସନରେଟ ପୁଲିସ, ସ୍କୁଲ ପରିଚାଳନା କମିଟି ଓ ଛାତ୍ରଛାତ୍ରୀମାନେ ରହିବେ। ଏହି ଗ୍ରୁପ୍‌ ମାଧ୍ୟମରେ ଅନେକ ଅଭିଯୋଗ ଆସିପାରିବ ଓ ଏହାର ସମାଧାନ ମଧ୍ୟ ହୋଇପାରିବ। ଏବେ ଦେଖିବାକୁ ମିଳୁଛି ଅନେକ ଛାତାଛ୍ରାତ୍ରୀ ବୟସ ପୂର୍ବରୁ ବିବାହ କରୁଛନ୍ତି, ପ୍ରେମିକ ସହତି ଲୁଚି ଘରୁ ପଳାଇ ଯାଉଛନ୍ତି ଏବଂ ନିଶା ମଧ୍ୟ ସେବନ କରୁଛନ୍ତି। ସେମାନଙ୍କୁ ମଧ୍ୟ ଏ ସମ୍ପର୍କରେ ସଚେତନତା କରାଯିବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରାଫିକ୍ ଡିସିପି ଠାକୁର ପ୍ରସାଦ ପାତ୍ର, ଏସିପି ଅଞ୍ଜନା ଟୁଡୁ, ବିଜୟିନୀ ସିଂହଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଓ ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର