ଭୁବନେଶ୍ବର: ନିକଟ‌ରେ ନୂଆଦିଲ୍ଲୀରେ ଆୟୋଜିତ ନିବେଶକ ସମ୍ମିଳନୀରେ ଆନୁଷଙ୍ଗିକ ଶିଳ୍ପ ଲାଗି ରାଜ୍ୟ ସରକାର ୧୨ଟି ସଂସ୍ଥା ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ସେଥିରୁ କୌଣସି ସଂସ୍ଥା ଓଡ଼ିଆ ଉଦ୍ୟୋଗୀଙ୍କ ନଥିବାରୁ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅଧିକରୁ ଅଧିକ ଓଡ଼ିଆ ଲୋକ ଉଦ୍ୟୋଗ ସ୍ଥାପନ କରନ୍ତୁ ବୋଲି ସେ ଚାହୁଥିବା କହିଛନ୍ତି। ଫିକି ଏଫ୍ଏଲ୍‌ଓ ପକ୍ଷରୁ ଆୟୋଜିତ ‘ଚେଞ୍ଜ୍‌ ଦି ଗାର୍ଡ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ ଯେ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲାଗି ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ହାସଲ କରିବା ଲାଗି ରାଜ୍ୟର ମହିଳାମାନଙ୍କୁ ସ୍ବାବଲମ୍ବୀ ଓ ଆର୍ଥିକସ୍ତରରେ ସ୍ବାଧୀନ ହେବାକୁ ପଡ଼ିବ। ମହିଳାମାନଙ୍କ ସଶକ୍ତୀକରଣ ପାଇଁ ସରକାର ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି, ନାନୋ ୟୁନିକର୍ଣ୍ଣ ଯୋଜନା, ସୁଦକ୍ଷା ଯୋଜନା ଆଦି ଜରିଆରେ ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ସାମଗ୍ରିକ ବିକାଶ ଲାଗି ସରକାରଙ୍କୁ ମହିଳାମାନଙ୍କ ସହଯୋଗ ଦରକାର ବୋଲି ସେ କହିଥିଲେ। 

Advertisment

ମହିଳାଙ୍କ ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ଆଲୋଚନା କରି ସେ କହିଥିଲେ ଯେ ମହିଳାମାନଙ୍କ ଲାଗି ସ୍ବତନ୍ତ୍ର ଶିଳ୍ପ ପାର୍କ ସ୍ଥାପନ କରାଯାଉଛି। ଇପିକଲ୍‌ରେ ମହିଳା ଉଦ୍ୟୋଗୀଙ୍କ ପାଇଁ ସ୍ବତନ୍ତ୍ର ସେଲ୍‌ ରହିଛି। ସରକାର ଚାହୁଛନ୍ତି ଯଦି ପ୍ରତି ଜିଲ୍ଲାରୁ ୪୦-୫୦ ନୂଆ ମହିଳା ଉଦ୍ୟୋଗୀ ସୃଷ୍ଟି ହୁଅନ୍ତୁ। ଅଧିକରୁ ଅଧିକ ଓଡ଼ିଆ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସହ ଯୋଡ଼ି ହୁଅନ୍ତୁ। ଆନୁଷଙ୍ଗିକ ଶିଳ୍ପ ପାଇଁ ବିଭିନ୍ନ ଶିଳ୍ପାଞ୍ଚଳର ମ୍ୟାପିଂ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ଅବସରରେ ଡ. ପ୍ରଜ୍ଞା ପାରମିତା ମିଶ୍ରଙ୍କୁ ଫିକି ଏଫ୍‌ଏଲ୍‌ଓ ଭୁବନେଶ୍ବରର ନୂଆ ଅଧ୍ୟକ୍ଷା ଘୋଷଣା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାଳ ଶେଷ ହୋଇଥିବା ଅଧ୍ୟକ୍ଷା ରଶ୍ମି ସାହୁ, ପ୍ରତିଷ୍ଠାତା ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ, ବରିଷ୍ଠ ଉପାଧ୍ୟକ୍ଷା‌ ପଞ୍ଚମୀ ମାନୋ ଉକିଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ।