ଭୁବନେଶ୍ବର: ଜେଲ୍‌ରେ ପ୍ରତିଷ୍ଠା ହେବ ରେଡିଓ ଷ୍ଟେସନ୍। ସ୍ବତନ୍ତ୍ର ଷ୍ଟୁଡିଓରୁ ହେବ ପ୍ରସାରଣ। କଏଦୀ ରେଡିଓ ଜକି ହୋଇ ମନର କଥା କହିବେ। ମନ ହାଲ୍‌କା ତଥା ମାନସିକ ଦୁଶ୍ଚିନ୍ତାରୁ ମୁକ୍ତ ହେବା ସହିତ ଅନ୍ତେବାସୀଙ୍କ ପ୍ରତିଭା ମଧ୍ୟ ଲୋକଲୋଚନକୁ ଆସିବ। ଜେଲ୍‌ରେ ରହୁଥିବା ଅନ୍ତେବାସୀଙ୍କ ମାନସିକ ସ୍ଥିତି ସଠିକ୍ ରଖିବା ପାଇଁ ୨୦୧୯ ସେପ୍ଟେମ୍ବରରେ ତତ୍‌କାଳୀନ କାରାଗାର ଡିଜି ସତ୍ୟଜିତ ମହାନ୍ତି ଏହି ଯୋଜନା କରିଥିଲେ। ଏପରିକି ଏହି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ସେତେବେଳୁ ହିଁ ଅର୍ଥାତ୍ ୨୦୧୯ରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା। ମାତ୍ର ଘୋଷଣାକୁ ଇତି ମଧ୍ୟରେ ଅଢ଼େଇ ବର୍ଷ ବିତିଥିଲେ ହେଁ ସବୁ ଧୂଆଁବାଣ ହୋଇଯାଇଛି। ରାଜ୍ୟରେ ଥିବା ୫ଟି ସର୍କଲ ଜେଲ୍‌ ସମେତ ୯୧ କାରାଗାରରେ ରେଡିଓ ଷ୍ଟେସନ ପ୍ରତିଷ୍ଠା ହୋଇପାରିନାହିଁ।

Advertisment

କେବଳ ଏତିକି ନୁହେଁ, ଶ୍ରୀ ମହାନ୍ତି ସେତେବେଳେ କହିଥିଲେ ଯେ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରର ଝାରପଡ଼ା ସ୍ବତନ୍ତ୍ର କାରାଗାର ଓ କଟକର ଚୌଦ୍ବାର ମଣ୍ଡଳ କାରାଗାରରେ ଆରମ୍ଭ କରାଯିବ। ମାତ୍ର ଦୁର୍ଭାଗ୍ୟଜନକ ଭାବେ ଏହି ୨ କାରାଗାରରେ ଏବେ ଯୋଜନା ସାଉଣ୍ଡ ସିଷ୍ଟମ୍‌ରେ ସୀମିତ ରହିଛି। ବ୍ରହ୍ମପୁର, କୋରାପୁଟ, ବାରିପଦା ସମ୍ବଲପୁର ମଣ୍ଡଳ କାରାଗାରରେ ମଧ୍ୟ ସମାନ ବ୍ୟବସ୍ଥା। ଅନ୍ତେବାସୀଙ୍କୁ ସକାଳେ ଓ ସନ୍ଧ୍ୟାବେଳେ ସାଉଣ୍ଡ ସିଷ୍ଟମ୍‌ରେ ଗୀତ ବଜାଯାଉଛି। ଅପରପକ୍ଷରେ ଜିଲ୍ଲା କାରାଗାର, ଉପକାରାଗାର, ମୁକ୍ତାକାଶ କାରାଗାରଗୁଡ଼ିକର କଥା ନ କହିବା ଭଲ। ସାଉଣ୍ଡ ସିଷ୍ଟମ୍‌ ତ ଦୂରର କଥା, ରହିବା ଓ ଶୌଚାଳୟର ସୁବିଧା ମଧ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ।

ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ, ରାଜ୍ୟର କାରାଗାରମାନଙ୍କରେ ଥିବା ସମୁଦାୟ ଅନ୍ତେବାସୀଙ୍କ ମଧ୍ୟରୁ ଶତକଡ଼ା ୫ଭାଗ ମାନସିକ ରୋଗର ଶିକାର ହେଉଛନ୍ତି। ଗତ ୨୦୧୭-୧୯ରୁ ମଧ୍ୟରେ ରାଜ୍ୟରେ ୧୪ଜଣ କଏଦୀ ଆତ୍ମହତ୍ୟା କରିଥିବା ବେଳେ ୨୭ରୁ ଅଧିକ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଝାରପଡ଼ା, ବ୍ରହ୍ମପୁର, ଚୌଦ୍ବାର, କେନ୍ଦ୍ରପଡ଼ା, ମାଲକାନଗିରି, ନିମାପଡ଼ା, ସାଲେପୁର ପ୍ରମୁଖ ଉପକାରାଗାରରେ ଆତ୍ମହତ୍ୟା ଜନିତ ଅଘଟଣ ସର୍ବାଧିକ। ଏଭଳି ମାମଲା ବାରମ୍ବାର ସାମ୍ନାକୁ ଆସିବା ପରେ ଏହି ମହତ୍‌ ଯୋଜନା (ଜେଲ୍‌ରେ ରେଡିଓ ଷ୍ଟେସନ୍‌)ର ପରିକଳ୍ପନା ହୋଇଥିଲା। ମାତ୍ର ସବୁ ଯୋଜନା ପାଣିଫୋଟକା ଭଳି ଉଭେଇ ଯାଇଛି।
କାରାଗାର ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ଜେଲ୍‌ରେ ରେଡିଓ ଷ୍ଟେସନ୍ ପ୍ରତିଷ୍ଠା କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଖରୁ ଅନୁମତି ଆଣିବା ପରେ ହିଁ ଏହା କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହା ଏକ ଜଟିଳ ଓ ଲମ୍ବା ପ୍ରକ୍ରିୟା। ପ୍ରାଥମିକ ପର୍ଯ୍ୟାୟରେ କେବଳ ସାଉଣ୍ଡ ସିଷ୍ଟମ୍‌ରେ କଏଦୀଙ୍କୁ ମାନସିକ ସ୍ଥିତି ସୁଧାର ଆଣିବା ପାଇଁ ଯୋଜନା କରାଯାଇଥିବା ସେ କହିଛନ୍ତି।

ଏ ସଂପର୍କରେ ନେଇ ରେଡିଓ ବିଶେଷଜ୍ଞ ସୁବ୍ରତ ପତି କହିଛନ୍ତି, ବାହାର ଦେଶ ବା ରାଜ୍ୟର ମଡେଲ୍ ଦେଖି ଅନୁପ୍ରାଣିତ ହେବା ସ୍ବାଗତଯୋଗ୍ୟ। ମାତ୍ର ବିଭାଗର ସର୍ବୋଚ୍ଚ ଅଧିକାରୀ ଗୋଟିଏ ଯୋଜନା ଘୋଷଣା କରିବା ପରେ ମଧ୍ୟ ବର୍ଷବର୍ଷ ଧରି କାର୍ଯ୍ୟକାରୀ ନ ହେବା ଦୁର୍ଭାଗ୍ୟଜନକ ବିଷୟ। ଓଡ଼ିଶା ସରକାର ରେଡିଓକୁ ନେଇ ଯେତେ ଯୋଜନା ଆଣିଛନ୍ତି, ତା’ ସଫଳ ହୋଇପାରିନାହିଁ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଜୁ ଗାଁ ରେଡିଓ ଯୋଜନାରେ ମନର କଥା ହେଉ କି ଶ୍ରୀମନ୍ଦିର ପ୍ରଶାସନର ଏଫ୍ ଏମ୍ ରେଡିଓ ଯୋଜନା ଅବା ଜେଲ୍ ବିଭାଗର ନିଜସ୍ବ ରେଡିଓ ପ୍ରତିଷ୍ଠା କଥା ହେଉ; କୌଣସି କାର୍ଯ୍ୟକ୍ରମ ବାସ୍ତବ ରୂପ ନେଇନାହିଁ। ଏଥିପାଇଁ ଇଚ୍ଛାଶକ୍ତିର ଅଭାବ ଜଳଜଳ ଦେଖାଯାଉଛି। ଅପରପକ୍ଷେ ଜଣେ ସର୍ବୋଚ୍ଚ ଅଧିକାରୀ ଯୋଉଟା ଘୋଷଣା କରୁଛନ୍ତି, ତାକୁ କାର୍ଯ୍ୟକାରୀ କରିବା ପରବର୍ତ୍ତୀ ଅଧିକାରୀଙ୍କ କର୍ତ୍ତବ୍ୟ।