ଭୁବନେଶ୍ବର ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ କିମି ପରିସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ କରାଯାଇପାରିବ। ଇଏସ୍ଜେଡ୍ ତଥା ପରିବେଶ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଏଠାରେ କୌଣସି ନିର୍ମାଣ ହୋଇପାରିବ ନାହିଁ ବୋଲି କଟକଣା ଲାଗିଥିଲା। ମାତ୍ର ସୁପ୍ରିମ୍କୋର୍ଟ ଏହାକୁ ହଟାଇ ଦେଇଛନ୍ତି।
ବିଚାରପତି ବି ଆର ଗଭାଇ ଓ ବିକ୍ରମ ନାଥଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ରାୟ ଫଳରେ ଇଏସ୍ଜେଡ୍ର ଏକ କିମି ପରିସୀମା ମଧ୍ୟରେ ନିର୍ମାଣ କରାଯାଇପାରିବ ବୋଲି ନିଷ୍ପତ୍ତି ହୋଇଛି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ପାଇଁ ୨୦୧୬ ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଲାଗି ୨୦୧୯ରେ କେନ୍ଦ୍ର ଜଙ୍ଗଲ, ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ଇଏସ୍ଜେଡ୍ କଟକଣା ନିର୍ଦ୍ଦେଶ ଆସିବା ପୂର୍ବରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇସାରିଥିବାରୁ ସେଠାରେ ଅତିରିକ୍ତ ୧ କିମି ଇଏସ୍ଜେଡ୍ କଟକଣା ହେବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛି।