କାର୍ତ୍ତିକରେ ଗହଳଚହଳ ଅନନ୍ତ ବାସୁଦେବ ମନ୍ଦିର

ପୁରୁଣା ଭୁବନେଶ୍ୱର : ଶୈବପୀଠ ଏକାମ୍ର କ୍ଷେତ୍ରରେ କାର୍ତ୍ତିକ ମାସରେ ବିଷ୍ଣୁଙ୍କ ଅବତାର ଅନନ୍ତ ବାସୁଦେବ ମନ୍ଦିରରେ ଲାଗିଛି ଗହଳଚହଳ। ପ୍ରତିଦିନ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମୁଛି। ପୁରୀ ଶ୍ରୀମନ୍ଦିରର ଆନନ୍ଦ ବଜାର ଭଳି ଏଠାରେ ଅନନ୍ତ ବାସୁଦେବଙ୍କ ମନ୍ଦିରରେ ବି ଆନନ୍ଦ ବଜାର ରହିଛି। ଏଠି ଭକ୍ତଙ୍କ ପାଇଁ ଅବଢ଼ା ପ୍ରସାଦ ରନ୍ଧା ହେବା ବିଧି ରହିଛି। ଯେଉଁମାନେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିପାରୁନାହାନ୍ତି, ସେମାନେ ଏଠାରେ ଅନନ୍ତ ବାସୁଦେବଙ୍କ ଦର୍ଶନ କରୁଛନ୍ତି ଓ ଅବଢ଼ା ପ୍ରସାଦ ସେବନ କରୁଛନ୍ତି।

ଏକାମ୍ର ଚନ୍ଦ୍ରିକା ଅନୁଯାୟୀ ଶିବଙ୍କ ନିର୍ଦ୍ଦେଶରେ ଭଗବାନ ବିଷ୍ଣୁ ନିଜକୁ ଏକାମ୍ର କ୍ଷେତ୍ରର ଦ୍ବାରପାଳ ଭାବେ ଅବସ୍ଥାପିତ କରିଥିଲେ। ବିଷ୍ଣୁଙ୍କ ମୂର୍ତ୍ତିଠାରୁ ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବଙ୍କ ମୂର୍ତ୍ତି କିନ୍ତୁ ଅଲଗା। ଭାରତରେ ଥିବା ଭଗବାନ ବିଷ୍ଣୁ ପୂର୍ଣ୍ଣାଙ୍ଗ ରୂପରେ ପୂଜା ପାଉଥିବା ବେଳେ ଉପର ଦୁଇ ହାତରେ ଶଙ୍ଖ ଓ ଚକ୍ର ଏବଂ ତଳ ଦୁଇ ହାତରେ ଗଦା ଓ ପଦ୍ମ ରହିଥାଏ। ମାତ୍ର ଅନନ୍ତ ବାସୁଦେବ ମନ୍ଦିରରେ ପୂଜା ପାଉଥିବା ଭଗବାନ ବିଷ୍ଣୁଙ୍କ ଉପର ଦକ୍ଷିଣ ହସ୍ତରେ ଗଦା ଓ ବାମ ହସ୍ତରେ ତଳକୁ ମୁହଁ କରି ଚକ୍ର ରହିଛି। ସେହିପରି ଅନ୍ୟ ଦୁଇ ହସ୍ତରେ ବାସୁଦେବ ଶଙ୍ଖ ଓ ପଦ୍ମ ଧାରଣ କରିଛନ୍ତି। ପୌରାଣିକ କଥା ଅନୁଯାୟୀ, ମହାଭାରତ ଯୁଦ୍ଧରେ ବାସୁଦେବ ଅସ୍ତ୍ର ଧାରଣ ନ କରିବାକୁ ପ୍ରତିଜ୍ଞା କରିଥିଲେ। ତେଣୁ ଅନନ୍ତ ବାସୁଦେବଙ୍କ ମୂର୍ତ୍ତି ଏପରି ହୋଇଥାଇପାରେ ବୋଲି ବିଶ୍ବାସ କରାଯାଏ। ପ୍ରତ୍ନତତ୍ତ୍ୱବିତ୍ କହନ୍ତି ଯେ ଯେତେବେଳେ କଳିଙ୍ଗରେ ଜଗନ୍ନାଥ ସଂସ୍କୃତିର ଉତ୍‌ଥାନ ହେଲା ସେତେବେଳେ ଲୋକମାନେ ବିଷ୍ଣୁଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥିଲେ। ତେଣୁ ତ୍ରୟୋଦଶ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ ହୋଇଥିଲା। ବିନ୍ଦୁସାଗର କୂଳରେ ଥିବା ଏହି ବିଷ୍ଣୁ ମନ୍ଦିର ପଞ୍ଚାୟତନ ଶୈଳୀରେ ନିର୍ମାଣ କରାଯାଇଛି। ଶିଳାଲେଖ ଅନୁସାରେ ଏହି ମନ୍ଦିର ଚୋଡ଼ଗଙ୍ଗ ବଂଶର ରାଜା ତୃତୀୟ ଅନଙ୍ଗଭୀମ ଦେବଙ୍କ କନ୍ୟା ଚନ୍ଦ୍ରିକା ଦେବୀଙ୍କ ଦ୍ବାରା ନିର୍ମିତ ହୋଇଥିଲା।

ସମ୍ବନ୍ଧିତ ଖବର