୨ ନିଶାରାଣୀଙ୍କ ଘରେ ବୁଲିଲା ବୁଲ୍‌ଡୋଜର୍‌

ନାରାୟଣୀ ଓ ମହିଷାଖାଲ ବସ୍ତିରେ ପୁଲିସର ଆକ୍ସନ୍‌, ନିଶାମାଫିଆଙ୍କ ମହଲରେ ଆତଙ୍କ

ଭୁବନେଶ୍ବର: ନିଶା ମାଫିଆଙ୍କୁ ଆଉ ନିସ୍ତାର ନାହିଁ। ନିଶା ବ୍ୟବସାୟୀଙ୍କ ଘରେ ବୁଲିଚାଲିଛି ବୁଲ୍‌ଡୋଜର୍‌। ଆଜି ଏକାବେଳକେ ଦୁଇ ମହିଳା ନିଶାରାଣୀଙ୍କ ଘରକୁ ମାଟିରେ ମିଶାଇଛି ପୁଲିସ। ଦୁହେଁ ନିଶା ବେପାର କରିବା ସାଙ୍ଗକୁ ବିଭିନ୍ନ ଅପରାଧରେ ଜଡ଼ିତ ଥିଲେ। ନିଜ ନିଜ ଅଞ୍ଚଳର ଏହି ନିଶାରାଣୀଦ୍ବୟଙ୍କ ଇସାରାରେ ତା’ର ଗ୍ୟାଙ୍ଗ ସଦସ୍ୟମାନେ ହତ୍ୟାକାଣ୍ଡ ଘଟାଇବାକୁ ମଧ୍ୟ ପଛାଉନଥିଲେ। ସେମାନେ ହେଲେ, ଚନ୍ଦୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ୟୁନିଟ୍-୮ ନାରାୟଣୀ ବସ୍ତିର ରଞ୍ଜୁ ନାୟକ ଓ ମହିଷାଖାଲ ବସ୍ତିର ଅନ୍ନପୂର୍ଣ୍ଣା ବେହେରା ଓରଫ୍ ପାନା ଓ ତାଙ୍କ ଝିଅ ସନ୍ତୋଷୀ ବେହେରା। ରଞ୍ଜୁ ଓ ଅନ୍ନପୂର୍ଣ୍ଣାର ଘରକୁ ଆଜି ପୁଲିସ ଓ ବିଏମ୍‌ସି ଧୂଳିସାତ୍‌ କରିଛନ୍ତି। ଏହାକୁ ନେଇ ନିଶା ମାଫିଆଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

ସକାଳୁ ଆରମ୍ଭ ହୋଇଥିବା ଉଚ୍ଛେଦ ଅଭିଯାନ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରଥମେ ବିଏମ୍‌ସି ଓ କମିସନରେଟ୍ ପୁଲିସ୍‌ ୟୁନିଟ୍-୮ସ୍ଥିତ ନାରାୟଣୀ ବସ୍ତିରେ ପହଞ୍ଚି ରଞ୍ଜୁର ଘର ଉଚ୍ଛେଦ କରିଥିଲେ। ପ୍ରାୟ ଘଣ୍ଟାଏ କାଳ ଉଚ୍ଛେଦ ଚାଲିଥିବା ବେଳେ ବସ୍ତିରେ ନିଶା କାରବାରକୁ ବିରୋଧ କରୁଥିବା କିଛି ମହିଳା ରଞ୍ଜୁର ବାପା ଓ ତା’ ୪ ଭଉଣୀଙ୍କ ଘରକୁ ଭାଙ୍ଗିବାକୁ ଦାବି କରିଥିଲେ।

ଏପରିକି ଏନେଇ ମହିଳାମାନଙ୍କର ରଞ୍ଜୁର ପରିବାରଲୋକଙ୍କ ସହ ମୁହାଁମୁହିଁ ବି ହୋଇଥିଲା। ପୁଲିସ ହସ୍ତକ୍ଷେପ ପରେ ପ୍ରାୟ ୧୦ ବଖରା ଆଜବେଷ୍ଟସ୍ ଘର ଉଚ୍ଛେଦ କରି ସେଠାରୁ ଫେରିଥିଲା। ସକାଳୁ ସକାଳୁ ପୁଲିସ ଯେ‌ତେବେଳେ ବୁଲ୍‌ଡୋଜର୍‌ ନେଇ ବସ୍ତିରେ ପହଞ୍ଚିଲା, ବୁଲ୍‌ଡୋଜର୍‌ ପଶି ପାରିନଥିଲା। ଶେଷରେ ପୁଲିସ ହାତୁଡ଼ି, ଶାବଳ, ଗଇଁତି, କୋଦାଳ ଆଦିରେ କାନ୍ଥ ଭାଙ୍ଗିଥିଲା। ଗୋଟିଏ ଦୁଇଟି ଘର ଭାଙ୍ଗିବା ପରେ ବୁଲଡୋଜର୍‌ ଭିତରକୁ ପଶି ଅନ୍ୟ ଘରଗୁଡ଼ିକୁ ମାଟିରେ ମିଶାଇ ଦେଇଥିଲା। କାଳେ ଘର ଭିତରେ କିଛି ବିସ୍ଫୋରକ ସାମଗ୍ରୀ କିମ୍ବା ମାରଣାସ୍ତ୍ର ଥିବ, ସେଥିପାଇଁ ପୁଲିସ ମେଟାଲ ଡିଟେକ୍ଟର୍‌ର ସାହଯ୍ୟ ନେଇଥିଲା। ମେଟାଲ ଡିଟେକ୍ଟର୍‌ କିଛି ନ ଧରିପାରିବା ପରେ ପୁଲିସ୍‌ ଘର ଭିତ‌ରେ ପଶି ସନ୍ଦିଗ୍ଧ ଜିନିଷ ଖୋଜିବା ଆରମ୍ଭ କରିଥିଲା।

୨.୫ ଲକ୍ଷର ଶାଗୁଆନ ଖଟ ସାଙ୍ଗକୁ ୪୨ଇଞ୍ଚର ଏଲ୍‌ଇଡି ଟିଭି

ରଞ୍ଜୁର ଘର ଆସବାବପତ୍ର ଦେଖି ପୁଲିସ ତାଟକା ହୋଇଯାଇଥିଲା। ଘରେ ପଡ଼ିଛି, ଅଢ଼େଇ ଲକ୍ଷ ଟଙ୍କାର ଖଟ, ତାହା ପୁଣି ଶାଗୁଆନ୍। ପୁଲିସ ସେହି ଖଟ ଉପରେ ବୁଲ୍‌ଡୋଜର ଚଢ଼େଇ ଗୁଣ୍ଡ କରି ଦେଇଥିଲା। କାନ୍ଥରେ ଲାଗି ଥିଲା ୪୨ ଇଞ୍ଚ୍‌ର ସ୍ମାର୍ଟ ଏଲଇଡି ଟିଭି। ବ୍ୟାଚଲର୍ ବାରାକ୍ ଭଙ୍ଗାଯିବା ପରେ ସେଠାରେ ପ୍ରାୟ ୩ହଜାରରୁ ଅଧିକ ବର୍ଗଫୁଟ୍ ଜାଗାରେ ମାଡ଼ି ବସି ରଞ୍ଜୁ ଓ ତା’ ପରିବାରଲୋକ ୧୦ରୁ ଊର୍ଦ୍ଧ୍ବ ଘର ତିଆରି କରିଥିଲେ।

କେବଳ ନିଶା କାରବାରରେ ପୂରା ପରିବାର ସାମିଲ୍ ଥିବାରୁ ପୁଲିସକୁ ଚକ୍‌ମା ଦେବା ପାଇଁ ଧାଡ଼ି ହୋଇ ଘରଗୁଡ଼ିକ ତିଆରି ହୋଇଥିଲା। ଆଉ ଭିତରେ ସବୁ ଘରକୁ ଯିବା ପାଇଁ ବାଟ ରହିଥିଲା। ଯେଉଁଥିପାଇଁ ସବୁବେଳେ ବ୍ୟବସାୟ କରୁଥିଲେ ବି ରଞ୍ଜୁ ମାତ୍ର ୨ ଥର ପୁଲିସ ହାତରେ ଧରାପଡ଼ିଥିଲା। ବ୍ରାଉନସୁଗାର ବେପାର କରି ରଞ୍ଜୁ ମାସକୁ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ରୋଜଗାର କରୁଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ହତ୍ୟା ମାମଲାରେ ସପ୍ତାହକ ତଳେ ଜେଲ୍‌ ଯାଇଛି ରଞ୍ଜୁ

ରଞ୍ଜୁର ନିଶା କାରବାରକୁ ସତ୍ୟବ୍ରତ ରାଓ ଓ ଚନ୍ଦୁ ନାମକ ଦୁଇଜଣ ଯୁବକ ବିରୋଧ କରୁଥିଲେ, ଯାହା ଚନ୍ଦୁଙ୍କ ପାଇଁ କାଳ ହୋଇଥିଲା। ରଞ୍ଜୁ ଓ କାହ୍ନା ମିଶି କରି ଚନ୍ଦୁଙ୍କୁ ହତ୍ୟା କରିଥିଲେ। ହତ୍ୟାକାଣ୍ଡ ଘଟାଇବା ପରେ ଦୁହେଁ କେରଳ ପଳାଉଥିଲେ। କିନ୍ତୁ ପୁଲିସ ଦୁହିଁଙ୍କୁ ଟ୍ରାକ କରି ଗଞ୍ଜାମରୁ ଗିରଫ କରିଥିଲା। ଦୁହେଁ ଏବେ ଝାରପଡ଼ା ଜେଲରେ।

ଏଯାଏ ଭାଙ୍ଗିଲାଣି ୩୦ ମାଫିଆଙ୍କ ଘର

ରାଜଧାନୀରେ ମୁଖ୍ୟତଃ ନିଶା କାରବାର ବସ୍ତିରେ ହିଁ ହେଉଛି। ସରକାରୀ ଜାଗାକୁ ମାଡ଼ି ବସି ନିଶା ମାଫିଆମାନେ ବେଧଡ଼କ ନିଶା କାରବାର କରୁଛନ୍ତି। କମିସନରେଟ୍‌ ପୁଲିସ ପକ୍ଷରୁ ହ୍ବାଇଟ୍‌ ସ୍ପାଇଡର୍‌ ଯୋଜନା ଆରମ୍ଭ ହେବା ପରେ ପୁଲିସ ଏଯାଏ ୨୦ ଜଣ ନିଶା ମାଫିଆଙ୍କ ଘର ଭାଙ୍ଗି ସାରିଲାଣି। ଯାହା ସୂଚନା ମିଳିଛି ଏବେ ସୁଦ୍ଧା ସାଲିଆସାହିଠାରୁ ଆରମ୍ଭ କରି ରଙ୍ଗମାଟିଆ, ପଟିଆ, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ପଟିଆରେ ପୁଲିସର ବୁଲଡୋଜର୍‌ ଚାଲି ସାରିଛି। ସେହିପରି ଅପରାଧୀମାନଙ୍କ ଘରେ ପୁଲିସ ବୁଲଡୋଜର୍‌ ଚଳାଇଛି। ଏବେ ସୁଦ୍ଧା ପାଖାପାଖି ନିଶାମାଫିଆଙ୍କ ସମେତ ୩୦ଜଣ ଗୁଣ୍ଡାଙ୍କ ଘର ଭାଙ୍ଗି ସାରିଲାଣି ପୁଲିସ।

ମହିଷାଖାଲରେ ବି ବୁଲିଲା ବୁଲ୍‌ଡୋଜର୍‌

ଗତ ୧୪ ତାରିଖ ବଡ଼ଗଡ଼ ମହିଷାଖାଲ ବସ୍ତିରୁ ୬୦ ଗ୍ରାମ୍‌ ବ୍ରାଉନସୁଗାର ଓ ଲକ୍ଷାଧିକ ଟଙ୍କା ସହ ଧରାପଡ଼ିଥିଲେ ନିଶାରାଣୀ ଅନ୍ନପୂର୍ଣ୍ଣା ବେହେରା ଓ ତାଙ୍କ ଝିଅ ସନ୍ତୋଷୀ। ଅନ୍ନପୂର୍ଣ୍ଣା ଓ ତାଙ୍କ ସ୍ବାମୀ ଗତ ୪ବର୍ଷ ହେବ, ବସ୍ତିରେ ନିଶା କାରବାର କରୁଥି‌ଲେ। ବସ୍ତିରେ ନିୟମିତ ଭାବେ ନିଶା କାରବାରରେ ଲିପ୍ତ ଥିବା ବେଳେ ବିରୋଧ କଲେ ପଡ଼ୋଶୀଙ୍କୁ ମାରପିଟ୍ କରୁଥିଲେ। ତେଣୁ କମିସନରେଟ୍ ପୁଲିସ ଅନ୍ନପୂର୍ଣ୍ଣାଙ୍କୁ ପୂର୍ବରୁ କାରବାର ନକରିବାକୁ ଚେତାଇ ଦେଇଥିଲା। ମାତ୍ର ସେ ଏଥିରୁ ନ ଓହରିବାରୁ ତାଙ୍କ ଘରକୁ ଆଜି ଭଙ୍ଗା ଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର