ଚନ୍ଦ୍ରଶେଖରପୁର: ରାଜଧାନୀରେ ସରକାରୀ ଜମି ଜବରଦଖଲ ବଢ଼ିବାରେ ଲାଗିଛି। ଦିନ ଦିପହରରେ ସରକାରୀ ବାବୁଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଜମି ମାଫିଆମାନେ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତିକୁ କବ୍ଜା କରି ନେଉଛନ୍ତି। ଯେଉଁଠି ଟିକିଏ ଖାଲି ସ୍ଥାନ ପାଉଛନ୍ତି କଳ ବଳ ଲଗାଇ ଜବରଦଖଲ କରୁଛନ୍ତି। କେଉଁଠି ବେଆଇନ ନିର୍ମାଣ କରୁଛନ୍ତି ତ ଆଉ କେଉଁଠି ଅସାମାଜିକ ଲୋକଙ୍କୁ ହାତ କରି ଜମି ହାତେଇ ନେଉଛନ୍ତି। ସହର ଭିତରେ ଗୋଟିଏ ପରେ ଗୋଟିଏ ବେଆଇନ ନିର୍ମାଣକୁ ଭାଙ୍ଗି ସରକାରୀ ଜମିକୁ ଫେରାଇ ଆଣୁଥିବା ବେଳେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ରାଜୀବ ଆବାସ ଯୋଜନା (ଆରଏୱାଇ)ରେ ଚିହ୍ନଟ ହୋଇଥିବା ବସ୍ତିବାସିନ୍ଦାଙ୍କୁ ବିଏସ୍ୟୁପି ଯୋଜନାରେ ଘର ଦିଆଯାଇଛି। ତା’ ପରେ ମଧ୍ୟ ପୁରୁଣା ଘରକୁ ଭଡ଼ା ଲଗାଇ ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି ବସ୍ତିବାସିନ୍ଦା। ଏନେଇ ବାରମ୍ବାର କହିବା ପରେ ମଧ୍ୟ ଘର ଛାଡ଼ୁନାହାନ୍ତି। ଯେଉଁଥିପାଇଁ ବିଡିଏର ଉଚ୍ଛେଦକାରୀ ଦଳ ଆଜି ବିଏମ୍ସି ୯ ନମ୍ବର ୱାର୍ଡର ଗାଡ଼କଣ ମୌଜାରେ ୩୧ଟି ବେଆଇନ ଘରକୁ ଭାଙ୍ଗିଛି। ବାକି ଘର ଛାଡ଼ିବା ଲାଗି ବସ୍ତିବାସିନ୍ଦାଙ୍କୁ ୭ ଦିନ ସମୟ ଦେଇଛି।
ବିଡିଏ ସୂଚନା ଅନୁଯାୟୀ ୯ ନମ୍ବର ୱାର୍ଡର ଅରବିନ୍ଦ ନଗର ଓ ତାରିଣୀ ବସ୍ତିର ୧୭୯ ଜଣ ଆରଏୱାଇ ହିତାଧିକାରୀଙ୍କୁ ବିଏସ୍ୟୁପି ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଇଛି। ତେବେ ସେମାନଙ୍କ ମଧ୍ୟରୁ କିଛି ଜଣ ନୂଆ ଘରକୁ ଭଡ଼ାରେ ଲଗାଇ ପୁରୁଣା ଘରେ ରହୁଛନ୍ତି। ଆଉ କେତେଜଣ ପୁରୁଣା ଘରକୁ ଭଡ଼ାରେ ଲଗାଇ ଦେଇ ନୂଆ ଘରେ ଅଛନ୍ତି। ଏହା ଜଣାପଡ଼ିବା ପରେ ଉକ୍ତ ଘର ଭାଙ୍ଗିବା ଲାଗି ବିଏମ୍ସି ଉତ୍ତର ଜୋନ୍ ପକ୍ଷରୁ ୨୦୧୯ରେ ଚିଠି କରାଯାଇଥିଲା। ଯାହାକୁ ଆଧାର କରି ଆଜି ଅରବିନ୍ଦ ବସ୍ତିରେ ୩୧ଟି ଏସି ସିଟ୍/ଚଳଘର ଭଙ୍ଗାଯାଇଛି। ତେବେ ଭାଙ୍ଗିବା ସମୟରେ ବସ୍ତିବାସିନ୍ଦା ପ୍ରବଳ ବିରୋଧ କରିବାରୁ ଉଚ୍ଛେଦ କାର୍ଯ୍ୟ ଆଗକୁ ବଢ଼ିପାରି ନ ଥିଲା। ଚନ୍ଦ୍ରଶେଖରପୁର ଥାନା ଏସିପି, ଆଇଆଇସିଙ୍କ ଉପସ୍ଥିତିରେ ଏନେଇ ଆଲୋଚନା ପରେ ବସ୍ତିବାସିନ୍ଦାଙ୍କୁ ୭ ଦିନ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ସେମାନେ ନିଜ ନିଜ ଦାୟିତ୍ବରେ ଘର ଖାଲି କରିବେ। ନ ହେଲେ ସେମାନଙ୍କ ଘର ଭାଙ୍ଗି ଦିଆଯିବ। ବିଡିଏ ଏନ୍ଫୋର୍ସମଣ୍ଟେ ଅଧିକାରୀ ପ୍ରମୋଦ କୁମାର ପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଉଚ୍ଛେଦ କାର୍ଯ୍ୟରେ ୨ଟି ଏକ୍ସାଭେଟର ନିୟୋଜିତ ହୋଇଥିଲା। ଏସିପି ତରୁଣ କୁମାର ଦାଶ, ଚନ୍ଦ୍ରଶେଖରପୁର ଆଇଆଇସି ଯୁବରାଜ ସ୍ବାଇଁ, ବିଡିଏର ୧, ୨ ଓ ୩ ନମ୍ବର ଉଚ୍ଛେଦକାରୀ ସ୍କ୍ବାଡ୍, ବିଏମ୍ସି ଉତ୍ତର ଜୋନ୍ ସ୍କ୍ବାଡ୍ ସମେତ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/fdhsh564sfhsf7h98fs7f987f98fshsfhsfh.jpg)