ଭୁବନେଶ୍ୱର : ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣ ମାମଲା କେବଳ ରାଜଧାନୀ ନୁହେଁ, ସମଗ୍ର ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟଭାବେ ଜଣାପଡ଼ି ନ ଥିଲେ ମଧ୍ୟ ତେଲ କମ୍ପାନିଗୁଡ଼ିକ ପକ୍ଷରୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି। ପମ୍ପ ଗୁଡ଼ିକରେ ଫ୍ଲେକ୍ସ ବୋର୍ଡ ଲଗାଯିବା ସହ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ମାତ୍ର କିଛି ପମ୍ପ ଏହି ନିୟମକୁ ମାନୁଥିବା ବେଳେ ଆଉ କେତେକ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ବହୁ ପମ୍ପରେ କର୍ମଚାରୀ ଓ ଗ୍ରାହକମାନେ ନିୟମର ଖୋଲା ଉଲ୍ଲଂଘନ କରୁଛନ୍ତି। ଏତେ ବଡ଼ ଭୟଙ୍କର ବିସ୍ଫୋରଣ ପରେ ବି ଚେତା ପଶିନାହିଁ। ରାଜଧାନୀରେ ଥିବା ପେଟ୍ରୋଲ ପମ୍ପରେ କେମିତି ସୁରକ୍ଷା ବ୍ୟବସ୍ଥା ରହିଛି, କେମିତି ନିୟମକୁ ପାଳନ କରାଯାଉଛି, ସେ ନେଇ ‘ସମ୍ବାଦ’ ଟିମ୍ ବିଭିନ୍ନ ସ୍ଥାନ ବୁଲିବା ସହ ରିଅଲିଟି ଚେକ୍ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କେତେକ ପମ୍ପରେ କର୍ମଚାରୀ ଡେଲିଭରି ପମ୍ପ ପାଖରେ ଛିଡ଼ା ହୋଇ ଫୋନ୍ରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଆଉ କେତେକ ପମ୍ପ ପାଖରେ ଗ୍ରାହକ ମଧ୍ୟ ଫୋନରେ କଥାବାର୍ତ୍ତା ହେଉଥିଲେ। ଯେଉଁ ପମ୍ପରେ କର୍ମଚାରୀ ଫୋନ୍ରେ କଥା ହେଉଥିଲେ, ତାଙ୍କୁ ଜଣେ ଗ୍ରାହକ ମୋବାଇଲ ଫୋନ୍ ବ୍ୟବହାର ନ କରିବା ପାଇଁ କହିଥିଲେ। କିନ୍ତୁ ସେ ଗ୍ରାହକଙ୍କ କଥା ନ ଶୁଣି ଫୋନ୍ରେ ଗପି ଚାଲିଥିଲେ। ଏମିତି ଥିଲା ରସୁଲଗଡ଼ରୁ ରବି ଟକିଜ୍ ଭିତରେ ଥିବା ଏକ ପେଟ୍ରୋଲ ପମ୍ପର ଚିତ୍ର।
ସେହିପରି ଅନ୍ୟ ଏକ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଆସିଥିବା ଗ୍ରାହକ ମୋବାଇଲ୍ ଫୋନ୍ରେ କଥା ହେଉଥିଲେ। ତାଙ୍କୁ ପମ୍ପ କର୍ମଚାରୀ ବାରଣ କରିଥିଲେ ମଧ୍ୟ ସେ କିଛି ସମୟ କଥା ହୋଇ ଫୋନ୍ ପକେଟରେ ରଖିଥିଲେ। ଏ ଥିଲା ଜାତୀୟ ରାଜପଥର ଏକ ପେଟ୍ରୋଲ ପମ୍ପର ଚିତ୍ର। ସେହିପରି ତେଲ ପକାଇବା ସମୟରେ ଗାଡ଼ି ଷ୍ଟାର୍ଟ ବନ୍ଦ କରିବା ପାଇଁ ସତର୍କ ସୂଚନା ଜାରି ହୋଇଥିଲେ ମଧ୍ୟ ଏହି ନିୟମ ପାଳନ ହେଉ ନଥିବା ଦେଖିବାକୁ ମିଳିଛି। ଖୋଲାରେ ପେଟ୍ରୋଲ ନ ଦେବା ପାଇଁ ନିୟମ ରହିଛି। କିନ୍ତୁ କେତେକ ପମ୍ପରେ ଲୋକେ ବୋତଲରେ ପେଟ୍ରୋଲ ନେଉଥିବା ଦେଖିବାକୁ ମିଳିଥିଲା।
ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ପରେ ରାଜଧାନୀର ଡିଲରମାନଙ୍କୁ ନେଇ ଏକ ବୈଠକ ବସିଥିଲା। ମୋବାଇଲ୍ ଫୋନ୍ରେ କଥା ହେବା, ସିଗାରେଟ୍ ନ ଟାଣିବା ଉପରେ ସତର୍କ ନଜର ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ଯେଉଁ ଗ୍ରାହକମାନେ ଫୋନ୍ ବ୍ୟବହାର କରୁଥିବେ ସେମାନଙ୍କୁ ପମ୍ପଠୁ ଦୂରକୁ ଯାଇ କଥା ହେବା ପାଇଁ କର୍ମଚାରୀମାନେ ବାଧ୍ୟ କରିବେ ବା ବୁଝାଇବେ ବୋଲି କୁହାଯାଇଥିଲା। ଏହି ସବୁ ଦିଗ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। କିନ୍ତୁ କେତେକ ପମ୍ପରେ ଏହି ନିୟମ ପାଳନ ହେଉ ନ ଥିବା ଦେଖିବାକୁ ମିଳିଛି।
ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି ଅଧିକାଂଶ ପେଟ୍ରୋଲ ପମ୍ପ ନିୟମକୁ କଡ଼ାକଡ଼ି ପାଳନ କରୁଛନ୍ତି। ତେଲ କମ୍ପାନି ପକ୍ଷରୁ ଯେଉଁ ସତର୍କ ସୂଚନା ଜାରି କରାଯାଇଛି, ତାହାକୁ ପାଳନ ପାଇଁ ଡିଲରମାନଙ୍କୁ କୁହାଯାଇଛି। ତଥାପି ଯଦି କିଛି ପମ୍ପରେ ନିୟମର ଉଲ୍ଲଂଘନ ହେଉଛି, ତାହାକୁ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ଯାଞ୍ଚ କରିବେ।