ଖଣ୍ଡଗିରି: କାର୍ତ୍ତିକରେ ପରିବା ଦର ଆକାଶଛୁଆଁ ରହିବା ପରେ ଏବେ ମାର୍ଗଶୀରରେ ପରିବାରେ ହାତ ମାରିହେଉନି। ଅଧିକାଂଶ ପରିବା କେଜି ପ୍ରତି ୬୦ଟଙ୍କା ଉପରେ ରହିଥିବାରୁ ଖାଉଟି ଚିନ୍ତାରେ ପଡ଼ିଛନ୍ତି। କାର୍ତ୍ତିକ ପରେ ଦର ଟିକେ କମିବ ବୋଲି ଯାହା ଆଶା ଥିଲା, ମାତ୍ର ବଜାରରେ ସେଭଳି ସ୍ଥିତି ଦେଖିବାକୁ ମିଳୁନାହିଁ। ୮ ଦିନ ହେଲା ପରିବା ଦର ସ୍ଥିର ରହିଛି। ବାଇଗଣ, କ୍ୟାପ୍ସିକମ୍, ଶିମ୍ୱ, ବିନ୍ ଭଳି ପରିବା ଦର କେତେକ ସ୍ଥାନରେ ଏବେ ବି ଶହେ ଉପରେ ରହିଛି। ଯେଉଁ ସମୟରେ ପରିବା ମୂଲ୍ୟ ହ୍ରାସ ହେବା କଥା, ସେ ସମୟରେ ଅଧିକ ମୂଲ୍ୟ ଦେଇ ସହରବାସୀଙ୍କୁ ପରିବା କିଣିବାକୁ ପଡ଼ୁଛି।
ସବୁଠାରୁ ବଡ଼ କଥା ହେଲା, ବାହାରୁ ଆମଦାନୀ ହେଉଥିବା ପରିବା ଦର କମ୍ରହୁଛି। ଦେଶୀ ପନିପରିବା ମୂଲ୍ୟ ବଜାରରେ ବହୁ ଅଧିକ ରହିଥିବା ଦେଖିବାକୁ ମିଳୁଛି। ବାଇଗଣ, ପୋଟଳ, ବନ୍ଧାକୋବି, ଟମାଟୋ ଆଦି ପରିବା ମୂଲ୍ୟ ଅଧିକ ରହୁଥିବା ଏକ ନମ୍ବର ହାଟରୁ ଜଣାପଡ଼ିଛି। ଏ ନେଇ ହୋଲ୍ସେଲ୍ପରିବା ସଂଘ ସଭାପତି କବିରାଜ ସ୍ୱାଇଁ କହିଛନ୍ତି, ଗ୍ରାହକଙ୍କ ଚାହିଦା ଅନୁଯାୟୀ ପରିବା ଦର ରହିଛି। ସ୍ଥାନୀୟ ଅଞ୍ଚଳର ପରିବା ଦର ଅଧିକ ରହୁଛି। ଏବେ ବଜାରରେ ୭ ପ୍ରକାର ବାଇଗଣ ମିଳୁଛି। ନଖରାରୁ ଆସୁଥିବା ବାଇଗଣ ମୂଲ୍ୟ ୧୦୦ ଟଙ୍କା ଉପରେ ରହୁଛି। ଯେତେବେଳେ କି ରାୟପୁର, ବଲାଙ୍ଗୀର ପଶ୍ଚିମବଙ୍ଗରୁ ଆସୁଥିବା ବାଇଗଣ ଦର ୫୦/୬୦ ଟଙ୍କା ରହୁଛି। ସେହିପରି ନୟାଗଡ଼ ପୋଟଳ କେଜି ୮୦ ଟଙ୍କା, ବଲାଙ୍ଗୀର, ବ୍ରହ୍ମପୁର, ପଶ୍ଚିମବଙ୍ଗ ବଜାରରୁ ଆସୁଥିବା ପୋଟଳ କିଲୋ ୪୦ରୁ ୫୦ଟଙ୍କା ରହୁଛି। ଏବେ ବଜାରରେ ୩ ପ୍ରକାର ବନ୍ଧାକୋବି ଓ ୪ ପ୍ରକାର ଟମାଟୋ ଉପଲବ୍ଧ ହେଉଛି। ଅନ୍ୟ ମାର୍କେଟ୍ରେ ଦର ଉଚ୍ଚା ରହୁଥିବା ବେଳେ ଏକ ନମ୍ବରରେ କମ୍ରହୁଛି ବୋଲି ସେ କହିଛନ୍ତି।
ଏବେ ଓଡ଼ିଶାରେ ଜହ୍ନି, କଲରା, କାକୁଡ଼ି, ଛଚିନ୍ଦ୍ରା ପରି ପରିବା ଉତ୍ପାଦନ ହେଉଛି। ଯେଉଁ ଜିଲ୍ଲାରେ ଉତ୍ପାଦନ ହେଉଛି ସେଠାକୁ ନିଅଣ୍ଟ ପଡ଼ୁଛି। ଭୁବନେଶ୍ବର ବଜାରକୁ ଅନ୍ୟ ଜିଲ୍ଲାରୁ ବହୁ କମ୍ପରିବା ଆସୁଛି। ଓଡ଼ିଶାରେ ଏପର୍ଯ୍ୟନ୍ତ ଟମାଟୋ ଉତ୍ପାଦନ ହୋଇନାହିଁ। ଜାନୁଆରିରୁ ମାର୍ଚ୍ଚ ପର୍ଯ୍ୟନ୍ତ ଟମାଟୋ ଓଡ଼ିଶାରେ ଉତ୍ପାଦନ ହୋଇଥାଏ। ନ ହେଲେ ବର୍ଷତମାମ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼େ। ଏବେ ତ ମହାରାଷ୍ଟ୍ର ଓ ରାୟପୁରରୁ ଟମାଟୋ ଆସୁଛି। ଗୁରୁତ୍ବପୂର୍ଣ୍ଣ ହେଉଛି, ଶୀତ ପଡ଼ିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଓଡ଼ିଶାରେ ଆଗଭଳି ସବୁଜ ପନିପରିବା ଉତ୍ପାଦନ ହୋଇନାହିଁ। ଯେଉଁଥିପାଇଁ ଏବେ ବି ବାଇଗଣ, ପୋଟଳ, କୋବି, କଦଳୀ, କାଙ୍କଡ଼, ଝୁଡଙ୍ଗ ଭଳି ପରିବା ପାଇଁ ମଧ୍ୟ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ବ୍ୟବସାୟୀ ପ୍ରଶାନ୍ତ ସାମଲ କହିଛନ୍ତି, ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ପରିବା ଚାଷ ପ୍ରଭାବିତ ହୋଇଛି। ଯେଉଁ ସମୟରେ ଉତ୍ପାଦନ ହେବା କଥା ତାହା ବିଳମ୍ବିତ ହେଉଛି। ଜଣେ ପରିବା ଚାଷୀ କହିଛନ୍ତି, ଚଳିତ ବର୍ଷ ଅକ୍ଟୋବର ମାସ ପ୍ରାୟ ଶେଷ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଲା। ବିଲରେ ପାଣି ଜମି ରହିବାରୁ ପନିପରିବା ଚାଷ ବିଳମ୍ବ ହୋଇଛି। ଏପରିକି ଗତବର୍ଷ ଅପେକ୍ଷା ଏଥର କମ୍ଚାଷୀ ପନିପରିବା ଚାଷ କରିଛନ୍ତି। ଏବେ ସ୍ଥାନୀୟ ଅଞ୍ଚଳରୁ ଅଳ୍ପ ପରିମାଣର ଶାଗ ଓ ବାଇଗଣ ଆସୁଛି। ଆଉ ୧୫ରୁ ୨୦ ଦିନ ପରେ ସ୍ଥାନୀୟ ଅଞ୍ଚଳର ପରିବା ଭୁବନେଶ୍ବର ବଜାରକୁ ଆସିଲେ, ପରିବା ଭାଉ କିଛିଟା କମିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/19/dgdadgazcccvz-2025-11-19-03-34-14.jpg)