ଏମିତି ବି ଆସେ ମୃତ୍ୟୁ! ପୁଅ ଛାତ ଉପରୁ ଖସିପଡ଼ିବା ଦେଖି ବାପାର ଜୀବନ ଗଲା

ବାଲିଅନ୍ତା: ସ୍ଥାନୀୟ ବ୍ରାହ୍ମଣଷଡ଼ଙ୍ଗୀ ଗ୍ରାମରେ ପୁଅ ଛାତ ଉପରୁ ତଳକୁ ଖସିପଡ଼ିବା ଦେଖି ବାପାର ମୃତ୍ୟୁ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ପ୍ରଦୀପ୍ତ ପଣ୍ଡା(୪୦)। ପରିବାର ଲୋକ ସଂକଟାପନ୍ନ ଅବସ୍ଥାରେ ପ୍ରଦୀପ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଛାତରୁ ଖସିପଡ଼ି ପ୍ରଦୀପ୍ତଙ୍କ ଏକମାତ୍ର ପୁଅ ଓମପ୍ରକାଶ ପଣ୍ଡା (୧୦)ଙ୍କ ଗୋଇଠି ଭାଙ୍ଗି ଯାଇଛି। ପ୍ରାଥମିକ ଚିକିତ୍ସା ପରେ ଓମ୍‌ ଘରକୁ ଫେରି ଆସିଛି।

ସୂଚନା ଅନୁସାରେ ଓମ୍‌ ସବୁଦିନ ଭଳି ଆଜି ମଧ୍ୟାହ୍ନରେ ତାଙ୍କର ଏକମହଲା ଛାତ ଉପରେ ମଟର ଲଗାଇ ପାଇପ୍‌ରେ ଗାଧୋଉ ଥିଲେ। ସାବୁନ ଫେଣ ଆଖିରେ ପଶି ପୋଡ଼ିବାରୁ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ। ଓମ୍‌ ଛାତ ଉପରୁ ଖସିପଡ଼ି ଯନ୍ତ୍ରଣାରେ ଛଟପଟ ହେବା ଦେଖି ପ୍ରଦୀପ୍ତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ବାଇକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଜଣେ ମୃତ

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥର ପାତ୍ରପଡ଼ାସ୍ଥିତ ଡି.ଏନ୍‌ ରେଗାଲିଆ ଫ୍ଲାଏଓଭର୍‌ ସମ୍ମୁଖରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ପୁରୀ ଡେଲାଙ୍ଗସ୍ଥିତ ବିଟିପୁର ଗାଁର ପ୍ରକାଶ ପାତ୍ର(୨୦)। ତେବେ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅନ୍ୟ ଜଣେ ଯୁବକ ଏମ୍‌ସ‌ରେ ଚିକିତ୍ସିତ ହେଉଛନ୍ତି।

ସୂଚନାନୁସାରେ, ସୋମବାର ବିଳମ୍ବିତ ରାତିରେ ପ୍ରକାଶ ଓ ତାଙ୍କ ସଂପର୍କୀୟ ଭାଇ ଅଶୋକ ବାଇକ୍‌ରେ ଖୋର୍ଦ୍ଧାରୁ ଭୁବନେଶ୍ବର ଅଭିମୁଖେ ଫେରୁଥିଲେ। ରାତି ପ୍ରାୟ ସାଢ଼େ ୨ଟାରେ ରେଗାଲିଆ ସମ୍ମୁଖ ଫ୍ଲାଏଓଭର୍‌ରେ ପଛପଟୁ ଆସୁଥିବା ଏକ ଏକ ଟ୍ରକ୍ ଦ୍ରୁତ ଗତିରେ ବାଇକକୁ ଧକ୍କା ଦେଇ ପଳାଇଥିଲେ। ଦୁର୍ଘଟଣାରେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତା ପାର୍ଶ୍ବ‌ରେ ପଡ଼ିଥିଲେ। ସେହି ବାଟ ଦେଇ ଯାତାୟାତ କରୁଥିବା କିଛି ଲୋକଙ୍କଠାରୁ ଖବର ପାଇ ତମାଣ୍ଡୋ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଏମ୍‌ସ ସ୍ଥାନାନ୍ତର କରିଥିଲା। କିନ୍ତୁ ଡାକ୍ତର ସେଠାରେ ପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ। ପ୍ରକାଶଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ଖଣ୍ଡଗିରି ଥାନା ପୁଲିସ୍‌ ଦୁର୍ଘଟଣାଜନିତ ଏକ ମାମଲା ରୁଜୁ କରିଛି। ଆଜି ପରିବାରଲୋକଙ୍କୁ ପ୍ରକାଶଙ୍କ ଶବ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର