ଶୀତୁଆ ସନ୍ଧ୍ୟାକୁ ଜମେଇଲା ଡାଲ୍‌ଖାଇ

ତୋଷାଳି ଜାତୀୟ କ୍ରାଫ୍ଟସ୍‌ ମେଳାର ପଞ୍ଚମ ସନ୍ଧ୍ୟା

ଚନ୍ଦ୍ରଶେଖରପୁର: ଶିରି ଶିରି ଶୀତରେ ସମ୍ବଲପୁରୀ ଲୋକନୃତ୍ୟ ଡାଲ୍‌ଖାଇର ତାଳେ ତାଳେ ଦ୍ୱାଦଶ ତୋଷାଳି ଜାତୀୟ କ୍ରାଫ୍ଟସ୍‌ ମେଳାର ପଞ୍ଚମ ସନ୍ଧ୍ୟାକୁ ବେଶ୍‌ ଉପଭୋଗ କରିଥିଲେ ଦର୍ଶକ। ଏହା ସହିତ ଘୁମୁରା ଓ ଅନ୍ୟାନ୍ୟ ଲୋକନୃତ୍ୟ ମଧ୍ୟ ବେଶ୍‌ ଉପଭୋଗ୍ୟ ହୋଇଥିଲା। ଆଜି ସନ୍ଧ୍ୟାରେ ସଂଗୀତ ସାଧନା, ବଲାଙ୍ଗୀର; କଳା ଓ କଳାକାର, ସମ୍ବଲପୁର ଓ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା। ରାଜ୍ୟ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ସାଂସ୍କୃତିକ ସନ୍ଧ୍ୟାକୁ ଉଦ୍‌ଘାଟନ କରିଥିଲେ। ବୟନ ଓ ହନ୍ତତନ୍ତ ସଚିବ ଶୁଭା ଶର୍ମା, ବିଭାଗୀୟ ଉପଶାସନ ସଚିବ ଅଞ୍ଜନା ପଣ୍ଡା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ମେଳାରେ ଏଯାବତ୍‌ ଉତ୍ସାହଜନକ ବ୍ୟବସାୟିକ କାରବାର ହୋଇଥିବା ଜଣାପଡ଼ିଛି। ୫ ଦିନ ମଧ୍ୟରେ ପ୍ରାୟ ୨କୋଟି ୭୦ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦଗୁଡ଼ିକର ଚାହିଦା ଖୁବ୍‌ ଭଲ ରହିଛି। ଆଗକୁ ବଡ଼ଦିନ ଓ ଛୁଟି ଦିବସ ଆସୁଥିବାରୁ ମେଳା ଆହୁରି ଜୋର୍‌ ଧରିବା ନେଇ ଆୟୋଜକମାନେ ଆଶାବାଦୀ ଅଛନ୍ତି। ଯୁବପିଢ଼ି ଏହି ମେଳାକୁ ବେଶ୍‌ ଉପଭୋଗ କରୁଥିବା ନଜରକୁ ଆସିଛି। ସାଙ୍ଗସାଥୀଙ୍କ ମେଳରେ ମେଳା ବୁଲା ସହିତ ସେଲ୍‌ଫି ନେବାର ମଜା ନେଉଛନ୍ତି ଯୁବକ ଯୁବତୀ।

ସମ୍ବନ୍ଧିତ ଖବର