ରୋଜଗାର ଯୋଗାଇଛି ‘ମାସ୍କ’; ଦୈନିକ ୭ ହଜାର ମାସ୍କ ପ୍ରସ୍ତୁତ କରୁଛନ୍ତି

କଟକ, ଭୁବନେଶ୍ବରରେ ବେଶ୍‌ ଚାହିଦା

ଭୁବନେଶ୍ବର: ଚାକିରି ଗଲା। ବ୍ୟବସାୟ ବନ୍ଦ। ଘରେ ବସି କରିବେ କ’ଣ? ଆଗକୁ ରାସ୍ତା ନାହିଁ। ପାଖରେ ବି ପୁଞ୍ଜି ଅଭାବ। ପରିବାର ସହ କିପରି ଚଳିବେ ଭାବିଲେ ଆଖିକୁ ନିଦ ଆସୁନି। ଏଭଳି ସମୟରେ ପ୍ରଶିକ୍ଷାର୍ଥୀଙ୍କୁ ଏକାଠି କରି ନିଯୁକ୍ତି ଦେବାର ସୁଯୋଗ ସୃଷ୍ଟି କରିଛି ସହୀଦ୍‌ନଗରସ୍ଥିତ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ପ୍ରଶିକ୍ଷଣ କେନ୍ଦ୍ର। କେନ୍ଦ୍ର ସରକାରଙ୍କ କୌଶଳ ବିକାଶ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଦକ୍ଷତା ମିସନ୍ ଆନୁକୂଲ୍ୟରେ ପରିଚାଳିତ ଏହି କେନ୍ଦ୍ର ଏଭଳି ପଦକ୍ଷେପ ହାତକୁ ନେଇଛି। ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷା ସୁଶ୍ରୀ କବିତା ମଞ୍ଜରୀ ପରିଡ଼ାଙ୍କ ନେତୃତ୍ବରେ ୧୫ଟି ଅତ୍ୟାଧୁନିକ ସିଲେଇ ମେସିନ୍‌କୁ ବ୍ୟବହାର କରାଯାଇ ୧୫ଜଣ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି।

ଏହି କେନ୍ଦ୍ରର ପ୍ରଶିକ୍ଷାର୍ଥୀଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ମାସ୍କକୁ ଭୁବନେଶ୍ବର, କଟକ ସମେତ ଆଖପାଖ ଜିଲ୍ଲାର ବ୍ୟବସାୟୀ ନେଇ ବିକ୍ରି କରି ଅର୍ଥ ଉପାର୍ଜନ କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ଯେଉଁ ସମୟରେ ଯୁବତୀ/ମହିଳାମାନେ ଘରେ ବସି ରହିଥାନ୍ତେ ସେମାନଙ୍କୁ ଏବେ ରୋଜଗାର ପନ୍ଥା ମିଳିଛି। ପ୍ରଶିକ୍ଷାର୍ଥୀ ସୋନାଲି ସାହୁଙ୍କ କହିବାନୁଯାୟୀ ଲକ୍‌ଡାଉନ୍‌ ଯୋଗୁଁ ଘରେ ବସିଥିଲୁ। ଏବେ ମାସ୍କ ତିଆରି କାମ ମିଳିଥିବାରୁ ବେଶ୍‌ ଦୁଇ ପଇସା ରୋଜଗାର ହେଉଛି। ପ୍ରଶିକ୍ଷାର୍ଥୀ ସୁଷମା ମିଶ୍ର କହିଛନ୍ତି ଯେ ମାସ୍କ କିଭଳି ପ୍ରସ୍ତୁତ ହୁଏ ତାହା ଜାଣିବା ଲାଗି ପ୍ରଥମେ ଟିକିଏ କଷ୍ଟ କରିବାକୁ ପଡ଼ିଥିଲା। ବାହାରେ ବିକ୍ରି ହେଉଥିବା ମାସ୍କକୁ ଆଣି ଅନୁଧ୍ୟାନ କରିବା ପରେ ଆମେ ନିଜେ ପ୍ରସ୍ତୁତ କରିଥିଲୁ। ଏବେ ଆମେ ପ୍ରତିଦିନ ୪୦୦ରୁ ୫୦୦ ମାସ୍କ ତିଆରି କରି ବଜାରକୁ ପଠାଉଛୁ। କୌଶଳ ବିକାଶ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗତ ବର୍ଷକ ଭିତରେ ସିଲେଇ ଶିକ୍ଷା ବିଭାଗରେ ଶତାଧିକ ପ୍ରଶିକ୍ଷାର୍ଥୀ ଉନ୍ନିତ ହୋଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିଲେ। କେହି କେହି ନିଜେ ଦୋକାନ କରି ଆତ୍ମନିର୍ଭରଶୀଳ ହୋଇଥିଲେ। ତେବେ କରୋନା ଯୋଗୁଁ ଜୀବନଜୀବିକା ବିପର୍ଯ୍ୟସ୍ତ ହୋଇଯାଇଛି। ସଟ୍‌ଡାଉନରେ ସବୁ ବନ୍ଦ ରହିଥିବାରୁ ୧୫ ଜଣ ପ୍ରଶିକ୍ଷାର୍ଥୀକୁ ନେଇ ଏବେ ଦିନକୁ ୭ ହଜାର ପର୍ଯ୍ୟନ୍ତ ମାସ୍କ ପ୍ରସ୍ତୁତ କରୁଛୁ। ଭୁବନେଶ୍ବର ସମେତ କଟକ, ଖୋର୍ଧା, ପୁରୀ ଅଞ୍ଚଳର ବ୍ୟବସାୟୀ ଏଠାରୁ ମାସ୍କ ନେଉଛନ୍ତି। ମୁମ୍ବାଇର ଏକ ସଂସ୍ଥା ମଧ୍ୟ ମାସ୍କ ନେବା ଲାଗି ବରଦା ଦେଇଛି। ଆତ୍ମନିର୍ଭର ଭାରତ ଯୋଜନା ଆର୍ଥିକ ସହଯୋଗ ମିଳିଲେ, ସମସ୍ତେ ଲୋକାଲ୍ ପ୍ରତି ଭୋକାଲ୍ ହେଲେ, ଆଗକୁ ଅଧିକ ଲୋକଙ୍କୁ ନିଯୁକ୍ତି ଦିଆଯାଇପାରିବ। ସନ୍ତୋଷୀରାଣୀ ପଣ୍ଡା, ଜ୍ୟୋସ୍ନାରାଣୀ ପଣ୍ଡା, ସୁରେଶ ନାୟକ ପ୍ରମୁଖ ଏହି ସିଲେଇ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ ସନ୍ତୋଷ କୁମାର ସାମଲ ଓ ଆଶିଷ କୁମାର ବେହେରା ବ୍ୟବସାୟୀକ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର