ଗୋଟିଏ କ୍ଲିକ୍‌ରେ ମିଳିବ ଗାଡ଼ିର ସମ୍ପୂର୍ଣ୍ଣ ତଥ୍ୟ, କମିସନରେଟ୍‌ ପୁଲିସକୁ ୬୦ ପିଓଏସ୍‌ ମେସିନ୍‌ ପ୍ରଦାନ

ଭୁବନେଶ୍ବର: ସାବଧାନ୍‌! ପୁଲିସ ହାତରେ ପିଏସ୍‌ଓ ମେସିନ୍‌। ପଞ୍ଜୀକରଣ ନମ୍ବରରୁ ଜଣାପଡ଼ିବ ଗାଡ଼ିର ବିବରଣୀ। ଲାଇସେନ୍ସ ନମ୍ବରରୁ ଜଣାପଡ଼ିବ ଚାଳକର ଫଟୋ ସହ ସମ୍ପୂର୍ଣ୍ଣ ତଥ୍ୟ। ଏଥର ଖସିବା ମୁସ୍କିଲ। ମେସିନ୍‌ ହିଁ ଜଣାଇବ ଚାଳକ କେତେ ଜରିମାନା ଦେବ। ଏଣୁ ପୁଲିସ ବି ଠକିବା ଅସମ୍ଭବ ହେବ। ‘ଏମ୍‌-ପରିବହନ’ ଓ ‘ବାହନ’ ସହ ଇଣ୍ଟରନେଟ୍‌ରେ ସଂଯୁକ୍ତ ଥିବା ଏଭଳି ୬୦ ପିଓଏସ୍‌ ମେସିନ୍‌ ଆଜି ପରିବହନ ବିଭାଗ କମିସନରେଟ୍‌ ପୁଲିସ୍‌କୁ ପ୍ରଦାନ କରିଥିବା ବେଳେ ପର୍ଯ୍ୟାୟ କ୍ରମେ ୫ଶହ ମେସିନ୍‌ ପୁଲିସକୁ ମିଳିବ। ମେସିନ୍‌ କେମିତି ପରିଚାଳନା କରାଯିବ ସେଥିପାଇଁ ଆଜି ୫୦ରୁ ଊର୍ଦ୍ଧ୍ବ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।

ସଂଶୋଧିତ ମୋଟର ଯାନ ଆଇନ ବଳରେ ମୋଟା ଅଙ୍କର ଜରିମାନାକୁ ନେଇ ଅସନ୍ତୋଷର ନିଆଁ ଜଳିବା ପରେ ମୁଖ୍ୟମନ୍ତ୍ରୀ ଦେଇଥିବା ୩ ମାସର ଅବଧି ସରି ସରି ଆସୁଛି। ପୁଣି ଥରେ ମୋଟା ଅଙ୍କର ଜରିମାନା କଷିବା ପାଇଁ ଉଭୟ ପରିବହନ ବିଭାଗ ଓ କମିସନରେଟ୍‌ ପୁଲିସ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ପୁଲିସ କମିସନରଙ୍କ କାର୍ଯ୍ୟାଳୟ ପରିସରରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ମେସିନ୍ ପ୍ରଦାନ କରାଯାଇଛି। ପୂର୍ବରୁ ଇ-ଚାଲାଣ ମେସିନ୍‌ ପୁଲିସକୁ ପ୍ରଦାନ କରାଯାଇଥିଲେ ମଧ୍ୟ ଏମ୍‌-ପରିବହନ ସହ ସଂଯୁକ୍ତ ନଥିଲା। କେବଳ ଅନ୍‌ଲାଇନ୍‌ରେ ଚାଲାଣ କଟାଯାଉଥିଲା। ପୂର୍ବରୁ ଚାଳକ କେତେଥର ନିୟମ ଉଲ୍ଲଂଘନ କରିଛି? କେତେଥର ଜରିମାନା ଦେଇଛି? ଚାଳକର କେଉଁ କାଗଜପତ୍ର ଅବୈଧ ରହିଛି? ଏ ସବୁ ଉକ୍ତ ମେସିନ୍‌ରେ ଜଣାପଡ଼ୁନଥିଲା। ତାହା ଏବେ ଗୋଟିଏ କ୍ଲିକ୍‌ରେ ଜଣା ପଡ଼ିଯିବ। ମେସିନ୍‌ରେ ଚାଳକର ଫଟୋ ସହ ସମ୍ପୂର୍ଣ୍ଣ ବିବରଣୀ ଉପଲବ୍ଧ ହେବ। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆର୍‌ଟିଓ-୧ ପ୍ରଦୀପ ମହାନ୍ତି, ଆରଟିଓ-୨ ସଞ୍ଜୟ ବେହେରା, ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ, ଅତିରିକ୍ତ ଡିସିପି (ଟ୍ରାଫିକ୍‌) ଅମରେଶ ପଣ୍ଡା, ଏନ୍‌ଆଇସିର ବରି‌ଷ୍ଠ ବୈଷୟିକ ନିର୍ଦ୍ଦେଶକ ବିମଳକାନ୍ତ ପଣ୍ଡା ଓ ବୈଷୟିକ ନିର୍ଦ୍ଦେଶକ ପି.କେ ନାୟକଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର