ପୁରୁଣା ଭୁବନେଶ୍ବର ପାଇଁ ସମସ୍ତେ ଏକାଠି, ପ୍ରତିବାଦରୁ ଉଚ୍ଛେଦ ବନ୍ଦ

କ’ଣ କରିବ ଆଗ କୁହ, ତା’ପରେ ଭାଙ୍ଗିବ, ଆଜି ବିଏମ୍‌ସି କମିସନରଙ୍କ ସହ ଆଲୋଚନା

ଭୁବନେଶ୍ବର/ ପୁରୁଣା ଭୁବନେଶ୍ବର: ଶ୍ରୀ ଲିଙ୍ଗରାଜଙ୍କ ପାଇଁ କ’ଣ ଯୋଜନା ଅଛି? ମନ୍ଦିର ଚାରିପଟେ କ’ଣ ହେବ? କେଉଁଠୁ କେଉଁ ‌ପର୍ଯ୍ୟନ୍ତ ଭାଙ୍ଗିବ? କ’ଣ ପାଇଁ ଭାଙ୍ଗିବ? ତୁମ ମାଷ୍ଟର ପ୍ଲାନ କାଇଁ?

ଏମିତି ପ୍ରଶ୍ନ ଆଜି ବିଏମ୍‌ସିର ଅତିରିକ୍ତ କମିସନର, ବିଡିଏର ଏନଫୋର୍ସମେଣ୍ଟ ଅଧିକାରୀ, ଭୁବନେଶ୍ବର ଏଡିଏମ୍‌ଙ୍କୁ ଲୋକମାନେ ପଚାରିଥିଲେ। ପ୍ରଶାସନର ମନଇଚ୍ଛା ଉଚ୍ଛେଦକୁ ଆଜି ପୁରୁଣା ଭୁବନେଶ୍ବରର ବିଭିନ୍ନ ସଙ୍ଗଠନ, ସାଧାରଣ ଲୋକ, ରାଜନୈତିକ ଦଳର ପ୍ରତିନିଧି, ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ, ଉଠା ଦୋକାନୀ, ସ୍ଥାୟୀ ଦୋକାନୀମାନେ ଏକାଠି ହୋଇ ବିରୋଧ କରିବା ସହ ଶ୍ରୀ ଲିଙ୍ଗରାଜ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ରାସ୍ତାରୋକ କରିଥିଲେ। ଏହାପରେ ବିକ୍ଷୋଭସ୍ଥଳକୁ ବିଏମ୍‌ସି, ବିଡିଏ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଆସିବାରୁ ଲୋକଙ୍କ ପ୍ରଶ୍ନବାଣରେ ଥତମତ ହୋଇଯାଇଥିଲେ। ଭଜନ ମଣ୍ଡପ ଭଙ୍ଗାକୁ ନେଇ ସେମାବାର ସଂଧ୍ୟାରୁ ଆରମ୍ଭ ହୋଇଥିବା ବିରୋଧ ଆଜି ଏମିତି ରୂପ ନେଲା ଯେ ମିଳିତ ଉଚ୍ଛେଦକାରୀ ଟିମ୍ ଗୋଟିଏ ବି ଜବରଦଖଲ ହଟାଇ ପାରିଲାନି। ଯେମିତି ବୁଲଡୋଜର୍‌ ଧରି ଆସିଥିଲା, ସେମିତି ଫେରିଗଲା। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭରେ ବିଜେପିର ସମୀର ମହାନ୍ତି, ଅମୀୟ ଦାଶ, ବାବୁ ସିଂହ, ମଦନମୋହନ ପ୍ରଧାନ, କଂଗ୍ରେସର ମନୋରଂଜନ ଦାଶ, ରଶ୍ମି ମହାପାତ୍ର, ଏକାମ୍ର ସାଂସ୍କୃତିକ ପ୍ରକାଶନୀର ସମ୍ପାଦକ ସନତ ମିଶ୍ର, ପୁରୁଣା ଭୁବନେଶ୍ବର ବ୍ୟବସାୟୀ ସଂଘ ସଭାପତି ଟୁଟୁ ପଣ୍ଡା, ଉପସଭାପତି ସୁରେଶ ପୂଜାପଣ୍ଡା, ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ, ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ ସମର୍ଥା ପ୍ରମୁଖଙ୍କ ସମେତ ଶତାଧିକ ଲୋକ ଯୋଗଦେଇ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ପ୍ରାୟ ତିନି ଘଣ୍ଟା କାଳ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ ପରେ ଭୁବନେଶ୍ବର ଏଡିଏମ୍‌ ଅରୁଣ କୁମାର ବେହେରା, ବିଏମ୍‌ସିର ଅତିରିକ୍ତ କମିସନର୍‌ ଅବନୀକାନ୍ତ ପଟ୍ଟନାୟକ, ବିଡିଏର ଅତିରିକ୍ତ କମିସନର ହରୀଶ ଚନ୍ଦ୍ର ନାୟକ ପ୍ରମୁଖ ଆସି ଲୋକଙ୍କୁ ବୁଝାଇଥିଲେ। ହେଲେ ବିକ୍ଷୋଭରେ ବସିଥିବା ଲୋକଙ୍କର ପ୍ରଶ୍ନବାଣ ଥିଲା, ତୁମେ କ’ଣ କରିବ ଆଗ କୁହ, ବ୍ଲୁ ପ୍ରିଣ୍ଟ ଦେଖାଅ। କିନ୍ତୁ ଏହି ତିନି ବାବୁଙ୍କ ମୁହଁରୁ ଶବ୍ଦ ବାହାରିନଥିଲା। ସବୁ ବିଏମ୍‌ସି କମିସନର କହିପାରିବେ ବୋଲି କହିବାରୁ ଆନ୍ଦୋଳନକାରୀମାନେ କହିଥିଲେ ଯେ ବିଏମ୍‌ସି କମିସନରଙ୍କୁ ଡାକ। ତାଙ୍କ ସହ ବିସ୍ତୃତ ଆଲୋଚନା ପରେ ଯାହା ନିଷ୍ପତ୍ତି ନିଆଯିବ। ଏହାପରେ ନିଷ୍ପତ୍ତି ହୋଇଥିଲା ଯେ ଆଜି କିଛି ଉଚ୍ଛେଦ ହେବନି। ବୁଧବାର ବିଏମ୍‌ସି କାର୍ଯ୍ୟାଳୟରେ କମିସନରଙ୍କ ସହ ଆଲୋଚନା ହେବା ପରେ ଯାହା ପଦକ୍ଷେପ ନିଆଯିବ।

ଆଜିର ଏହି ଆନ୍ଦୋଳନରେ ଶିବ ବେହେରା, ଲୁଲୁ ମହାପାତ୍ର, ଶେଷ ଶେଖର ଗରାବଡ଼ୁ, ରାଜା‌ ଗରାବଡ଼ୁ, ଜୟକୃଷ୍ଣ ମଲିଆ, ସୁନୀଲ ପଣ୍ଡା, ଅଭିଷେକ ନାୟକ, ମନୋରଞ୍ଜନ ବଟୁ, ରଞ୍ଜିତ ପାତ୍ର, କେଦାରନାଥ ମହାପାତ୍ର, କପିଳ ପଣ୍ଡା, ରତିକାନ୍ତ ମହାସୁଆର, ଚକ୍ରଧର ବେହେରା, ପୃଥିବୀକାନ୍ତ ମହାପାତ୍ର, ଛବି ମକଦମ, ଜଗତ ଗରାବଡ଼ୁ, ଶରତ ପଣ୍ଡା, ନେପାଳି ପଣ୍ଡା, ବାବୁ ବଡ଼ୁ, ନୀଳମଣି ମିଶ୍ର, ମାନସ ଆଚାର୍ଯ୍ୟ, ବିଜୟ ଦ୍ବିବେଦୀ, ପ୍ରକାଶ ରଥ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ସେବାୟତ, ବ୍ୟବସାୟୀ ସାମିଲ ହୋଇଥିଲେ।

ମନ୍ତ୍ରୀଙ୍କୁ ଭେଟିଲେ ଉଠା ‌େଦାକାନୀ
ଲିଙ୍ଗରାଜ ମନ୍ଦିର ନିକଟରୁ ଉଚ୍ଛେଦ ହୋଇଥିବା ଉଠା ଦୋକାନୀମାନେ ଆଜି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ତାଙ୍କ ବାସଭବନରେ ଭେଟି ଆଲୋଚନା କରିଥିଲେ। ଦୀର୍ଘ ଦିନ ଧରି ସେଠାରେ ବ୍ୟବସାୟ କରି ଜୀବିକା ଅର୍ଜନ କରୁଥିବା ବ୍ୟବସାୟୀମାନଙ୍କୁ ଥଇଥାନ କରିବାକୁ ସରକାର ପ‌ଦକ୍ଷେପ ନେବେ ବୋଲି ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ। ଲୋକସେବା ଭବନରେ ଗଣମାଧ୍ୟମକୁ ମନ୍ତ୍ରୀ କହିଥିଲେ, ସରକାରୀ ଜାଗା ଉପରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ବ୍ୟବସାୟୀମାନେ ସହଯୋଗ କରିଛନ୍ତି। ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ସହ ସେମାନଙ୍କ ଜୀବନ, ଜୀବିକାକୁ ସରକାର ଗୁରୁତ୍ବ ଦେଇଛନ୍ତି। ଆଜି ରାଜନୈତିକ ଉଦ୍ଦେଶ୍ୟ ରଖି କିଛି ଲୋକ ଧାରଣା ଦେଇଥିଲେ ବୋଲି ମନ୍ତ୍ରୀ କହିଥିଲେ।

ପୁରୁଣା ଭୁବନେଶ୍ବର ପାଇଁ ସମସ୍ତେ ଏକାଠି
ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ପ୍ରଶାସନର ମନଇଚ୍ଛା ଉ‌େଚ୍ଛଦକୁ ବିରୋଧ କରି ଆଜି ମହାଖଳାରେ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ନିଯୋଗ ଏବଂ ବିଭିନ୍ନ ସଂଘ, ସାହି ମୁରବିମାନେ ପରସ୍ପର ମଧ୍ୟରେ ଥିବା ସବୁ ବାଦବିବାଦକୁ ଭୁଲି ଏକାଠି ହୋଇଥିଲେ। ଯେଉଁ ନେତାମାନେ କେବେ ଏକାଠି ବସିବା ଦେଖିବାକୁ ମିଳୁ ନ ଥିଲା, ତାହା ଆଜି ଦେଖିବାକୁ ମିଳିଥିଲା। ବିଜେପି ରାଜ୍ୟ ଉପସଭାପତି ଅମିୟ ଦାଶ ଓ ଏକାମ୍ରରେ ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ବାବୁ ସିଂହ ଏକାଠି ହୋଇ ପ୍ରତିବାଦରେ ସ୍ବର ମିଳାଇଥିଲେ। ସେହିପରି ଯେଉଁ ନିଯୋଗର ପ୍ରମୁଖମାନଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେ‌ଲା ବିବାଦ ଲାଗି ରହିଥିଲା, ସେମାନେ ବି ଆଜି ଏକାଠି ବସିଥିଲେ। ବଡ଼ୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡ଼ୁ ଓ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ଏକାଠି ବସି ପ୍ରଶାସନର ମନଇଚ୍ଛା ଉଚ୍ଛେଦର ପ୍ରତିବାଦ କରିଥିଲେ। ସମସ୍ତେ ପୁରୁଣା ଭୁବନେଶ୍ବରର ଉନ୍ନତି ଏବଂ ବାସିନ୍ଦାଙ୍କ ପାଇଁ ଏକାଠି ଅଛୁ ବୋଲି ମତ ରଖିଥି‌ଲେ।

 

ସମ୍ବନ୍ଧିତ ଖବର