ପ୍ରତ୍ୟେକ ମଣିଷ ଦିବ୍ୟ ଆତ୍ମାର ଆଧାର: ରାଜ୍ୟପାଳ

ଚନ୍ଦ୍ରଶେଖରପୁର: ପ୍ରତ୍ୟେକ ମଣିଷ ମଧ୍ୟରେ ସମ୍ଭାବନା ଓ ସାମର୍ଥ୍ୟ ରହିଛି। ପ୍ରତ୍ୟେକ ମଣିଷ ଦିବ୍ୟ ଆତ୍ମାର ଆଧାର। ଏହି ଭାବବୋଧକୁ ଭିତ୍ତି କରି ନିଜ ଜୀବନ ଓ ଦୃଷ୍ଟିକୋଣକୁ ଗଠନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପରାମର୍ଶ ଦେଇଛନ୍ତି। ଶିରିଡ଼ି ସାଇବାବାଙ୍କ ମହାସମାଧିର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ସାଇ ଇଣ୍ଟରନ୍ୟାସନାଲ୍‌ ରେସିଡେନ୍‌ସିଆଲ୍‌ ସ୍କୁଲରେ ଆୟୋଜିତ ‘ମହାସମାଧିର ଶତାବ୍ଦୀ ସମାରୋହ’କୁ ଉଦ୍‌ଘାଟନ କରି ପ୍ରଫେସର ଲାଲ୍‌ ଏହା କହିଛନ୍ତି। ସେ ଆହୁରି କହିଲେ, ପ୍ରେମ ହିଁ ଜୀବନର ସର୍ବୋଚ୍ଚ ଉପଲବ୍ଧି। ଏହାଦ୍ବାରା ପରମାତ୍ମାଙ୍କ ସହ ଯୋଡ଼ି ହେବା ଏକ ମାଧ୍ୟମ। ଶିରିଡ଼ି ସାଇବାବା ସତ୍ୟ, ପ୍ରେମ, କରୁଣା ଓ ମାନବିକତାର ପ୍ରତୀକ। ପ୍ରତ୍ୟେକ ଭାବଧାରା ତାଙ୍କଠାରେ ସମାହିତ। ତାଙ୍କ ଜୀବନ ଓ ଦର୍ଶନ ବାସ୍ତବରେ ମାନବିକତାର ନିଃଶ୍ବାସ ପ୍ରଶ୍ବାସ ବୋଲି ରାଜ୍ୟପାଳ କହିଛନ୍ତି। ଶିରିଡ଼ି ସାଇ ଗ୍ଲୋବାଲ ଫାଉଣ୍ଡେସନ୍‌ ପ୍ରତିଷ୍ଠାତା ଡ. ଚନ୍ଦ୍ରଭାନୁ ଶତପଥୀ ଯୋଗଦେଇ ସାଇବାବାଙ୍କୁ ଅସୀମତାର ପ୍ରତୀକ ଭାବେ ବର୍ଣ୍ଣନା କରିଥିଲେ। ସଂକୀର୍ଣ୍ଣତାର ଊର୍ଦ୍ଧ୍ବକୁ ଯାଇ ମାନବିକତାର ଆବାହନ ସାଇ ଦର୍ଶନର ମୂଳତତ୍ତ୍ବ। ଶିରିଡ଼ି ସାଇବାବା ସବୁ ମତ ଓ ତତ୍ତ୍ବକୁ ଆଧାର କରି ଯେଉଁ ଚିନ୍ତନର ପରିପ୍ରକାଶ କରିଥିଲେ ତାହାର ପ୍ରାସଙ୍ଗିକତା ରହିଛି। ଶିରିଡ଼ି ସାଇବାବା ଏକ ଚିରନ୍ତନ ଭାବବୋଧର ଆଧାର ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ସାଇବାବାଙ୍କ ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ। ସାଇ ଇଣ୍ଟରନ୍ୟାସନାଲ ଗ୍ରୁପ୍‌ର ଚେୟାରମ୍ୟାନ୍‌ ବିଜୟ କୁମାର ସାହୁ ସ୍ବାଗତ ଭାଷଣ ଦେଇ ଶିରିଡ଼ି ସାଇଙ୍କ ମହାନ ବାଣୀ ‘ଶ୍ରଦ୍ଧା ଓ ସବୁରି’ ମାଧ୍ୟମରେ ଅସାଧୢ କାମ ସାଧନ ହୋଇପାରିବ ବୋଲି କହିଥିଲେ। ଏହି ଅବସରରେ ‘ଶ୍ରୀଗୁରୁ ଭାଗବତ’ର ଷଷ୍ଠଖଣ୍ଡ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ସନ୍ଧ୍ୟାରେ ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଶିରିଡ଼ି ସାଇବାବାଙ୍କ ଭକ୍ତମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଏହି ଅବସରରେ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ବାରା ରଚିତ ପୁସ୍ତକ ‘ସାଇ ସତ୍‌ଚରିତ’ର ଓଡ଼ିଆ ଅନୁବାଦ ଓ ଦୃଷ୍ଟିଶକ୍ତି ହରାଇଥିବା ବ୍ୟକ୍ତିଙ୍କ ପାଇଁ ବ୍ରେଲି ଲିପିରେ ପ୍ରସ୍ତୁତ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ଓ ମୁଖ୍ୟମନ୍ତ୍ରୀ ଉଭୟେ ପରସ୍ପରକୁ ଉତ୍ତରୀୟ ଦେଇ ସମ୍ବର୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦେବାଶିଷ ସାମନ୍ତରାୟ, ସାଇ ଇଣ୍ଟରନ୍ୟାସନାଲ ଗ୍ରୁପ୍‌ର ଚେୟାରମ୍ୟାନ୍‌ ବିଜୟ କୁମାର ସାହୁ, ହୋଟେଲ ସ୍ବସ୍ତି ପ୍ରିମିୟମ୍‌ର ମୁଖ୍ୟ ଜେକେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପରେ ସାଇ ଇଣ୍ଟରନ୍ୟାସନାଲର ଛାତ୍ରଛାତ୍ରୀ ଗୁରୁଜୀଙ୍କ ରଚିତ ଓ ସ୍ବର ସ˚ଯୋଜିତ ସାଇ ସ୍ତୁତିକୁ ନୃତ୍ୟଶୈଳୀରେ ପ୍ରସ୍ତୁତ କରିଥିଲେ। ସୂଚନାଯୋଗ୍ୟ ଯେ ଶତବର୍ଷ ପୂର୍ତ୍ତିର ପ୍ରଚାର ପ୍ରସାର ପାଇଁ ୨୦୧୭ରୁ ଭାରତର ୧୫ଟି ସ୍ଥାନ ଓ ବିଦେଶରେ ୩ଟି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର