ଖଣ୍ଡଗିରି: ରାଜଧାନୀରେ ୧୮ଟି ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର(ୟୁଏଚ୍ଡବ୍ଲୁସି) ରହିଛି। ଡାକ୍ତରଖାନା ଯୋଗୁ ଘର ପାଖରେ ଲୋକେ ଡାକ୍ତରୀ ସୁବିଧା ପାଇବେ। ସାଧାରଣ ରୋଗ ପରୀକ୍ଷା ପାଇଁ ଆଉ ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ହେବନି। ଘରୋଇ ପାଥୋଲାବ୍କୁ ଦୌଡ଼ିବାକୁ ହେବନି। ଘରଠାରୁ ଦୂରକୁ ଯିବାକୁ ହେବନି। ଘର ପାଖ ଡାକ୍ତରଙ୍କୁ ଦେଖାଇ ମାଗଣା ଔଷଧ ପାଇବେ। ଏମିତି ହେଲେ କ୍ୟାପିଟାଲ ଉପରେ ମଧ୍ୟ ଚାପ କମିବ। ହେଲେ ଏଭଳି ଲକ୍ଷ୍ୟ ନେଇ ଥିବା ଏହି ଜନକଲ୍ୟାଣକାରୀ ବ୍ୟବସ୍ଥା ପ୍ରକୃତରେ ଲୋକଙ୍କର ଆବଶ୍ୟକତା କେତେ ପୂରଣ କରୁଛି ତାହା ଏବେ ସନ୍ଦେହ ଘେରରେ। ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମଧ୍ୟରୁ କେତେକରେ ଡାକ୍ତର ପଦବି ଖାଲିପଡ଼ିଥିବାରୁ ଏହି ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ଉଠିଯାଉଛି।
୨୦୨୩ରେ ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି କେ-୫ରେ ଏକ ଭଡ଼ା ଘରେ ୟୁଏଚ୍ଡବ୍ଲୁସି ଖୋଲିଲା। ପ୍ରଥମ ଦିନରୁ ଡାକ୍ତର ଖାନାରେ ରୋଗୀଙ୍କ ଗହଳି ଲାଗିଲା। ହେଲେ ଗତ ୪ ମାସ ହେଲା ଏଠାରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଡାକ୍ତରଖାନା ବାହାରେ ସୋମବାରରୁ ଶନିବାର ପର୍ଯ୍ୟନ୍ତ ଡାକ୍ତରଙ୍କ ସମୟ ସାରଣୀ ଝୁଲିଛି। ହେଲେ ଭିତରେ ଫାର୍ମାସିଷ୍ଟ ଓ ନର୍ସିଂ ଅଫିସର ରୋଗୀ ଦେଖୁଛନ୍ତି। ପରୀକ୍ଷାନିରୀକ୍ଷା ପାଇଁ ସବୁ ବ୍ୟବସ୍ଥା ଅଛି। ମାଗଣା ଔଷଧ ଦେବାପାଇଁ କାଉଣ୍ଟର୍ ବି ଖୋଲିଛି। ହେଲେ ଡାକ୍ତର ନାହାନ୍ତି। ଡାକ୍ତରଙ୍କ ଛଡ଼ା ଡାକ୍ତରଖାନାରେ ଅନ୍ୟ ସମସ୍ତ କର୍ମଚାରୀ ଅଛନ୍ତି।
ୱାର୍ଡ -୨୩ର କଳିଙ୍ଗବିହାର କେ-୪, କେ-୫, କେ-୬ ଅଞ୍ଚଳ ବାସିନ୍ଦାଙ୍କୁ ସ୍ବାସ୍ଥ୍ୟସେବା ପାଇବାକୁ ହେଲେ ପୂର୍ବରୁ ୨୫ କିଲୋମିଟର ଦୂର କ୍ୟାପିଟାଲ ଡାକ୍ତରଖାନା କିମ୍ବା ୬ କିଲୋମିଟର ଦୂର ବେସରକାରୀ ଡାକ୍ତରଖାନାକୁ ଯିବାକୁ ହେଉଥିଲା। ଅଞ୍ଚଳରେ ସର୍ବାଧିକ ଅବସରପ୍ରାପ୍ତ କର୍ମଚାରୀ ଓ ବରିଷ୍ଠ ନାଗରିକ ରହୁଥିବାରୁ ଡାକ୍ତରଖାନା ଖୋଲିବା ପରେ ଲୋକଙ୍କୁ ଘର ପାଖରେ ସବୁ ସୁବିଧା ମିଳିଲା। ହେଲେ ଏହି ଡାକ୍ତରଖାନା ଉପରେ ଲୋକଙ୍କ ନିର୍ଭରଶୀଳତା ବଢ଼ି ଆସିବା ବେଳକୁ ଡାକ୍ତର ଆସିବା ବନ୍ଦ ହୋଇଗଲା।
ଡାକ୍ତର ଆସୁ ନଥିଲେ ମଧ୍ୟ ପ୍ରତି ଦିନ ୧୦୦ରୁ ୧୪୦ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ଥଣ୍ଡାକାଶଠାରୁ ଡ୍ରେସିଂ ପର୍ଯ୍ୟନ୍ତ ସବୁ ବିନା ଡାକ୍ତରରେ ଚାଲିଛି। ମାଗଣା ଔଷଧ ମିଳୁଥିବାରୁ ବିନା ଡାକ୍ତରରେ ବି ରୋଗୀ ଆସି ପହଞ୍ଚୁଛନ୍ତି। କିନ୍ତୁ ଡାକ୍ତର ନ ଆସିବା ଦେଖି ଛୋଟ ପିଲାଙ୍କୁ ନେଇ ଆସୁଥିବା ଅଭିଭାବକ ହତାଶ ହେଇ ଫେରୁଛନ୍ତି। ଏଠାରେ ସୁରକ୍ଷା କର୍ମୀ, ସହାୟିକା, ପରିଚାରିକା, ଫାର୍ମାସିଷ୍ଟ, ନର୍ସଙ୍କୁ ମିଶାଇ ମୋଟ ୭ ଜଣ ଅଛନ୍ତି। ହେଲେ ଡାକ୍ତରଙ୍କୁ ଦେଖାଇବା ପାଇଁ ହେଲେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଏବେ ପୁଣି କ୍ୟାପିଟାଲ୍ ହସ୍ପିଟାଲ ଦୌଡ଼ୁଛନ୍ତି।
ଅଞ୍ଚଳର ସୁଲତା ବେହେରାଙ୍କ କହିବା କଥା, ଡାକ୍ତର ଏସ୍ ଏସ୍ ପ୍ରଧାନ ରୋଗୀ ଦେଖିବାକୁ ଆସୁଥିଲେ। ଝିଅର ଦେହ ଖରାପ ଥିବାରୁ ତାଙ୍କଠାରୁ ପରାମର୍ଶ ନେଉଥିଲୁ। ଏବେ ସାର୍ଙ୍କୁ ଦେଖାଇବା ପାଇଁ ୪ଥର ଆସିଲିଣି। ପ୍ରତିଥର ଫେରି ଯାଉଛି। ତାଙ୍କ ବଦଳରେ ମଧ୍ୟ କେହି ଆସୁ ନାହାନ୍ତି। ବୟସାଧିକ ଯୋଗୁ ସେ ଆଉ ଆସିବେନି ବୋଲି ଆଜି ଜାଣିଲି। ଏ ନେଇ ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ନୀଳମଣୀ ସେନାପତି କହିଛନ୍ତି, ଏନେଇ ଆମ ପାଖରେ ସୂଚନା ଅଛି। ଡାକ୍ତରଙ୍କ ନିଯୁକ୍ତିପାଇଁ ସମସ୍ତ ପ୍ରୟାସ ଚାଲିଛି। ଖୁବ୍ ଶୀଘ୍ର ଡାକ୍ତର ନିଯୁକ୍ତ ହେବେ।