ରାଜଧାନୀରେ ସବୁ ନକଲି! ଦେଶୀ ନାଁରେ ବିକ୍ରି ହେଉଛି ଅପମିଶ୍ରିତ କ୍ଷୀର, ଦହି, ଘିଅ

କୋଲକାତାରୁ ଆସୁଛି ସିନ୍ଥେଟିକ୍ ପନିର

ଲୋକଙ୍କ ଜୀବନ ସହ ଚାଲିଛି ଖେଳ
କରୋନା କାଳ‌ରେ ମାଡ଼ିଗଲାଣି ନକଲି କାରବାର
ସବୁ ଜାଣି ଅଜଣା, ମନେ ପଡ଼ିଲେ ଚଢ଼ଉ

ଭୁବନେଶ୍ବର,(ଶୁଭକାନ୍ତ ପଢ଼ିହାରୀ): ଘରେ ଗାଈ ନାହିଁ; କିନ୍ତୁ ଘରକୁ ଘର ବୁଲି ଯୋଗାଇ ଦେଉଛନ୍ତି କ୍ଷୀର, ଦହି, ଘିଅ, ପନିର। କେତେକ ଦୋକାନରେ ବି ଦେଶୀ ନାଁରେ ବେଧଡ଼କ ବେପାର ଚାଲିଛି। ଏସବୁ ଅସଲି କି ନକଲି ଜାଣିବା ସାଧାରଣ ଲୋକ ପାଇଁ ସହଜ ନୁହେଁ। ତେଣୁ ଲୋକେ ଦେଶୀ ନାଁରେ ବିଷ ହିଁ ଖାଉଛନ୍ତି। ରାଜଧାନୀରେ ଅସାଧୁ ଉପାୟରେ କେମିକାଲ ଓ ପାଉଡର୍ ବ୍ୟବହାର କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ମାଳମାଳ ବେପାରୀ ବୁଲି ଏହି ବିପଜ୍ଜନକ ବେପାର ଚଳାଇଛନ୍ତି। ବଡ଼ କଥା ହେଲା ଏହି ନକଲି ବେପାରରେ ବଙ୍ଗୀୟ ଲୋକଙ୍କ ଦବଦବା ବେଶି। ସେମାନେ ଏହାର କାଇଦା-କୌଶଳ ବ୍ୟବହାର କରି ବିନା ଗାଈରେ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତ କରି ବେପାରରେ ସକ୍ରିୟ ରହିଛନ୍ତି। ପ୍ରକୃତ ଦାମ୍ ଠାରୁ ଏହି ନକଲି ସାମ୍ରଗୀର ଦାମ୍ କମ୍ ରହିଥିବା ବେଳେ ଲୋକଙ୍କ ପାଖରେ ଏସବୁ ସହଜରେ ଉପଲବ୍ଧ ହେଉଛି।

IndiaMART

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀରେ ଏକାଧିକ ଅଞ୍ଚଳରେ ଏହି ଅସାଧୁ ବେପାରୀମାନେ ସକ୍ରିୟ ରହିଛନ୍ତି। କେବଳ ଖୋଲାରେ ନୁହେଁ; ପ୍ୟାକେଟ୍ କରି ମଧ୍ୟ ଏହାକୁ ବିକ୍ରି କରୁଛନ୍ତି। ବିଶେଷ କରି ବଡ଼ଗଡ଼, ଲକ୍ଷ୍ମୀସାଗର, ଏୟାରଫିଲ୍ଡ,, ବରମୁଣ୍ଡା, ଖଣ୍ଡଗିରି, ଭରତପୁର, ପଳାସୁଣି, ନୟାପଲ୍ଲୀ ସମେତ ଅନେକ ଅଞ୍ଚଳରେ ସକ୍ରିୟ ବେପାରୀମାନେ କେମିକାଲ, ପାଉଡର୍ ବ୍ୟବହାର କରି ନକଲି କ୍ଷୀର, ଦହି, ଘିଅ, ପନିର୍, ଛେନା ପ୍ରସ୍ତୁତ କରୁଛନ୍ତି। ବିଭିନ୍ନ ଅଞ୍ଚଳରେ ବୁଲିବୁଲି ବେପାର କରୁଛନ୍ତି। ଏପରିକି କେତେକ ନିର୍ଦ୍ଦିଷ୍ଟ ଦୋକାନକୁ ଦୁଗ୍ଧଜାତୀୟ ସାମଗ୍ରୀ ଯୋଗାଇ ଦେଉଛନ୍ତି। ବସାଦହି କେଜି ୫୦ ଟଙ୍କାରେ ମିଳି ଯାଉଥିବା ବେଳେ ଗୁଆଘିଅ ୨ ଶହରୁ ୩ ଶହ ଟଙ୍କାରେ ମିଳୁଛି। ଯାହାର ପ୍ରକୃତ ବଜାର ଦର ଢେର୍ ଅଧିକ ରହିଛି। ଏହାଛଡ଼ା କୋଲକାତାରୁ ବସ୍ ଯୋଗେ ପ୍ରତିଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ସିନ୍ଥେଟିକ୍ ପନିର୍ ମଧ୍ୟ ରାଜଧାନୀ ଆସୁଛି। ଯାହାର ଯଥେଷ୍ଟ ଚାହିଦା ରହୁଛି। ମାତ୍ର ଶହେ ଟଙ୍କା କେଜିରେ ବେପାରୀ ଏହି ପିନର କିଣି ଏହାକୁ ଦୁଇ ଶହରୁ ଅଢ଼େଇ ଶହ ଟଙ୍କା କିଲୋରେ ବିକ୍ରି କରୁଛନ୍ତି। ରାଜଧାନୀରେ ଏଭଳି ନକଲି ଓ ବିଷାକ୍ତ ଖାଦ୍ୟ ସାମଗ୍ରୀ ଯୋଗାଇ ଏହି ବେପାରୀମାନେ ଲୋକଙ୍କ ଜୀବନ ସହ ଖେଳୁଥିବାବେଳେ ନିଘୋଡ଼ ନିଦରେ ଶୋଇଛି ପୁଲିସ ଓ ସ୍ବାସ୍ଥ୍ୟ ବିଭାଗ। ନକଲି ସାମଗ୍ରୀ ଧରପଗଡ଼ କଥା ସତେ ଯେମିତି ଭୁଲି ଯାଇଛନ୍ତି କର୍ତ୍ତୃପକ୍ଷ। ମନେ ପଡ଼ିଲେ କାଁଭାଁ କେମିତି ଚଢ଼ଉ ହେଉଥିଲେ ମଧ୍ୟ ଏହାର ପ୍ରଭାବ ପଡ଼ୁ ନଥିବାରୁ ଦିନକୁ ଦିନ ରାଜଧାନୀରେ ଏଭଳି ନକଲି କାରବାର କାୟା ମେଲାଇବାରେ ଲାଗିଛି।

ମଞ୍ଚେଶ୍ବରରେ ନକଲି ପାଣି, କୋଲ୍‌ଡ ଡ୍ରିଙ୍କ୍‌ସ ଓ ଇଞ୍ଜିନ୍ ଅଏଲ୍ କାରଖାନା
କେବଳ ଏହି ଖାଦ୍ୟ ସାମଗ୍ରୀ ନୁହେଁ; ମଞ୍ଚେଶ୍ବର, ଚନ୍ଦକା ଶିଳ୍ପାଞ୍ଚଳ ସମେତ କେତେକ ଅଞ୍ଚଳରେ ନକଲି ପାଣି ମଧ୍ୟ ପ୍ରସ୍ତୁତ ଚାଲିଛି। ଆଇଏସ୍ଆଇ ମାର୍କା ଲଗାଇ ଏହାକୁ ବଜାରକୁ ଛଡ଼ାଯାଉଛି। ନା ଏହାକୁ ଯାଞ୍ଚ କରାଯାଉଛି ନା ମାନ ପରୀକ୍ଷା ହେଉଛି। ସେହିପରି ନକଲି ମୃଦୁପାନୀୟ ମଧ୍ୟ ତିଆରି ଚାଲିଛି। ଏହା ସହ ପୁଣି ନକଲି ଇଞ୍ଜିନ୍ ଅଏଲ୍ ପ୍ରସ୍ତୁତ କରାଯାଇ ଛଡ଼ାଯାଉଛି। କରୋନା କଟକଣା ଜାରି ରହିଥିବା ବେଳେ ଅସାଧୁ ଓ ନକଲି ବେପାରୀମାନେ ଅଧିକ ସକ୍ରିୟ ହୋଇ ପଡ଼ିଛନ୍ତି।

ଉଲ୍ଲେଖଯୋଗ୍ୟ, ପୁଲିସ ଗତ ଦେଢ଼ ବର୍ଷ ଭିତରେ ମା ହାତଗଣତି ନକଲି ଓ ଅପମିଶ୍ରିତ ସଂସ୍ଥା ଉପରେ ଚଢ଼ଉ କରିଛି। ମଞ୍ଚେଶ୍ବରରେ ନକଲି ମୃଦୁପାନୀୟ, ଇଞ୍ଜିନ୍ ଅଏଲ୍, ପାହାଳରେ ଅମମିଶ୍ରିତ ସସ୍ କାରଖାନା ଓ ସୁନ୍ଦରପଦା ଅଞ୍ଚଳରେ ଘିଅ କାରଖାନା ଉପରେ ଚଢ଼ଉ କରାଯାଇଥିଲା। ନକଲି କାରବାର ଚାଲିଥିଲେ ମଧ୍ୟ ହଠାତ୍ ଚଢ଼ଉ ଠପ୍ ହୋଇ ଯାଇଛି। ଉଭୟ କମିସନରେଟ୍ ପୁଲିସ୍ ଓ ବିଏମସି ସ୍ବାସ୍ଥ୍ୟ ବିଭାଗ ଆଖି ବୁଜି ଦେଇଛନ୍ତି। ଏ ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଆମ ପାଖକୁ ଖବର ଆସିଲେ ନିଶ୍ଚୟ ନକଲି ସାମଗ୍ରୀ ପ୍ରସ୍ତୁତ କରୁଥିବା ବେପାରୀଙ୍କ ଉପରେ ଚଢ଼ଉ କରାଯିବ।

ଅପମିଶ୍ରିତ ଖାଦ୍ୟ ପେଟ କ୍ୟାନସର ସୃଷ୍ଟିର ପ୍ରମୁଖ କାରଣ
ଅପମିଶ୍ରିତ, ନକଲି ଓ ରାସାୟନିକ ପଦାର୍ଥ ମିଶ୍ରିତ ଖାଦ୍ୟର ଅତ୍ୟଧିକ ବ୍ୟବହାର ପେଟ ରୋଗ ସୃଷ୍ଟି କରୁଛି। ଯେପରି ନକଲି ଛେନା ଓ ଅପମିଶ୍ରିତ ପନିରରେ ୟୁରିଆ ସାର ବ୍ୟବହାର, ବିଭିନ୍ନ ମସଲାରେ ରାସାୟନିକ ରଙ୍ଗର ବ୍ୟବହାର, କେତେକ ମିଠାଜାତୀୟ ଦ୍ରବ୍ୟରେ ଅପମିଶ୍ରଣ ଶରୀର ପାଇଁ କ୍ଷତିକାରକ। ଏପରିକି ଦୈନନ୍ଦିନ ଜୀବନରେ ଅପମିଶ୍ରିତ, ରାସାୟନିକ ପଦାର୍ଥ ଯୁକ୍ତ ଖାଦ୍ୟ ବ୍ୟବହାର ଏବେ ପେଟ କ୍ୟାନସର ସୃଷ୍ଟିର ଅନ୍ୟତମ ପ୍ରମୁଖ କାରଣ। ତେଣୁ ଏଥିପ୍ରତି ସତର୍କ ରହିବା ଜରୁରି।
ଡାକ୍ତର ହରିଭକ୍ତି ସେବା ଦାସ
ଆସୋସିଏଟ୍‌ ପ୍ରଫେସର, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି
ଏସ୍‌ସିବି ମେଡିକାଲ କଲେଜ

ସମ୍ବନ୍ଧିତ ଖବର