ପାର୍ସଲ ନୁହେଁ, ଖାଇବାକୁ ଦିଅ: ସବୁ ‌ଖୋଲିଲା, ଖାଇବାରେ କଟକଣାା କାହିଁକି

ଭୁବନେଶ୍ବର: ଲକଡାଉନ କୋହଳ ହେବା ପରେ ଫୁଟପାଥ୍‌କୁ ଫେରିଛି ଚଟପଟି ଖାଦ୍ୟର ପସରା। ସ୍ବାଦିଷ୍ଟ ଖାଦ୍ୟର ଗନ୍ଧ ନାକରେ ବାଜିବା ପରେ ଖାଦ୍ୟ ପ୍ରାଙ୍ଗଣକୁ ମୁହାଇଁଛନ୍ତି ଖାଦ୍ୟ ରଙ୍କୁଣା। ହେଲେ ଗରମ ଗରମ ଚାଟ୍‌ ଟିକେ ଖାଇବା ବେଳକୁ କଟକଣା ବାଟ ଓଗାଳୁଛି। ଯଦିଓ ବ୍ୟବସାୟୀଙ୍କୁ ଖାଦ୍ୟ ବିକିବାକୁ ଅନୁମତି ଅଛି, କିନ୍ତୁ ଗ୍ରାହକକୁ ଦୋକାନ ସାମ୍ନାରେ ଛିଡ଼ା ହୋଇ ଖାଇବା ବାରଣ କରାଯାଇଛି। ହେଲେ ଦୋକାନୀ ନାଚାର। ସେଇଠି ଖାଇବାକୁ ନ ଦେଲେ ଗ୍ରାହକଟିଏ ଫେରି ଯାଉଛି। ଏଣେ ଖାଇବାକୁ ନ ଦେଇ କଟକଣାକୁ ମାନିଲେ ବେପାର କମିଯିବାର ଆଶଙ୍କା। ତେଣୁ ଦୋକାନୀଟିଏ ଖାଦ୍ୟ ପରସି ଦେଉଛି ସତ, କିନ୍ତୁ ଖାଦ୍ୟ ‌ପ୍ଲେଟ୍‌ ଧରିବା କ୍ଷଣି କହୁଛି, ଆଜ୍ଞା ଟିକେ ଦୋକାନ ପଛକୁ ଯାଇ ଖାଆନ୍ତୁ। କିଏ କହୁଛି, ଖାଦ୍ୟ ନେଇ ସେ ଗଛ ମୂଳକୁ ପଳାନ୍ତୁ। କଟକଣା ନ ମାନିଲେ ଜରିମାନାର ଭୟ। ତେଣେ ନ ବିକିଲେ ଗ୍ରାହକ ଖସିଯିବାର ଆଶଙ୍କା ଯୋଗୁଁ ଘାଣ୍ଟି ହେଉଛନ୍ତି ବ୍ୟବସାୟୀ। କେବଳ ବ୍ୟବସାୟୀ ନୁହନ୍ତି, ରାଜଧାନୀକୁ ବାହାର ଅଞ୍ଚଳରୁ ଆସୁଥିବା ଲୋକେ ବେଶି କଲବଲ ହେଉଛନ୍ତି। ଖୋର୍ଧା କିମ୍ବା ପୁରୀରୁ ଆସୁଥିବା ଲୋକଟିଏ ଦହିବରା ଖାଇବାକୁ ଗଲା ବେଳକୁ ତା ଆଗେ ପ୍ରଥମେ ସର୍ତ ରହୁଛି। ଦୋକାନୀ ପଚାରୁଛନ୍ତି, ପାର୍ସଲ ନବ ନା ଖାଇବ। ଯଦି ଖାଇବ ଏଠି ନୁହେଁ, ସେଠିକି ଯାଇ ଖାଇବାକୁ ପଡ଼ିବ। ବିଚରା ଲୋକଟିଏ ବାଧ୍ୟ ହୋଇ ଦୋକାନୀ ପାଖରୁ କିଛି ବାଟ ଦୂରକୁ ଯାଇ ଖାଉଛି। ଯେଉଁମାନେ କେବଳ ପାର୍ସଲ ଦେଉଛନ୍ତି ସେଠାରେ ଲୋକମାନେ ଖାଇବାକୁ ଚାହିଁ ବି ଫେରିବାକୁ ବାଧ୍ୟ ହେଉଛନ୍ତି। ‌ଗ୍ରାହକ ଖୋଦ୍‌ ପଇସା ଦେବାକୁ ତ ରାଜି ଅଛନ୍ତି କିନ୍ତୁ ଶାନ୍ତିରେ ଖାଦ୍ୟ ଖାଇବାକୁ ସୁଯୋଗ ମିଳୁନାହିଁ।

ଅଶୋକ ନଗରରେ ଚାଟ୍‌ ଖାଉଥିବା ରମାକାନ୍ତ ନାୟକ କହିଛନ୍ତି, କଟକଣା ଯଦି ପାଳନ ହେଉଛି, ତାହେଲେ ସମ୍ପୂର୍ଣ୍ଣ ପାଳନ ହେବା ଉଚିତ। ଯଦି ଖାଦ୍ୟ ଦୋକାନ ଖୋଲିବାକୁ ଅନୁମତି ମିଳିଲା, ତେବେ ଶାନ୍ତିରେ ଖାଇବାକୁ ଦିଆଯାଉ। ନ ଖୋଲିଥିଲେ, ସେପରି ବହୁତ ବଡ଼ ସମସ୍ୟା ହେଇଯିବ ନାହିଁ। ମାତ୍ର ଚାଟ୍‌ ଦୋକାନଟିଏ ଖୋଲିବା ପରେ ମଧ୍ୟ ଗରମ ଗରମ ଚାଟ୍‌ ନ ଖାଇ ତାକୁ ଘରକୁ ନେଇ ଖାଇବାର କିଛି ମାନେ ନାହିଁ। କେବଳ ଚାଟ୍‌ ନୁହେଁ, ଫାଷ୍ଟଫୁଡ୍‌ ହେଉ କି ଗୁପଚୁପ୍‌ ଏସବୁ ସେଇଠି ଦୋକାନ ସାମ୍ନାରେ ଖାଇବାର ସ୍ବାଦ ନିଆରା। ତେଣୁ କିଛିଟା ଶୃଙ୍ଖଳ ଥିଲେ ମଧ୍ୟ ଅନେକ ତାକୁ ଛିଣ୍ଡାଇବାକୁ ବାଧ୍ୟ ହେଉଛନ୍ତି। କଟକଣା ଭିତରେ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ୟବସାୟ କରିବାକୁ ଅନୁମତି ମିଳିଥିବାରୁ ଅନେକ ଚାହୁଁଥିଲେ ମଧ୍ୟ ଦୋକାନ ଖୋଲିପାରୁ ନାହାନ୍ତି। ଚଟପଟି ଖାଦ୍ୟର ସମୟ ବାସ୍ତବରେ ସନ୍ଧ୍ୟାରୁ ହିଁ ଆରମ୍ଭ ହୁଏ। ଏହାର ମଜା ନେବାକୁ ରାଜଧାନୀର ଗଳିକନ୍ଦିଠୁ ନେଇ ଖାଦ୍ୟ ହବ୍‌ ଭାବେ ପରିଚିତ କିଟ୍‌ ଛକ, ଇନଫୋସିଟି ଅଞ୍ଚଳ, ଶିରିପୁର-ଜାଗମରା ନୂଆ ରୋଡ୍‌, ରାମ ମନ୍ଦିର ନିକଟ, ସହିଦ ନଗର ଆଦିରେ ବ୍ୟାପକ ସମାଗମ ହୁଏ। ଏବେ କିନ୍ତୁ ଏହି ଖାଦ୍ୟ ହବ୍‌ଗୁଡ଼ିକ ଖୋଲୁନାହିଁ। ଏସବୁ ସ୍ଥାନରେ ଅପରାହ୍‌ଣରୁ ରାତି ପର୍ଯ୍ୟନ୍ତ ବେପାର ହୁଏ। ତେଣୁ ପ୍ରଶାସନ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ୟବସାୟ ଅନୁମତି ଦେଇଥିବାରୁ ସେମାନେ ବେପାର ହେବ ବୋଲି ଭରସା କରି ପାରୁନାହାନ୍ତି। ଏଣେ ପୁଣି ଖାଦ୍ୟ ନଖାଇ ପାର୍ସଲ ନେବାର ବିଧି ଆମମାନଙ୍କୁ ସୁହାଇବ ନାହିଁ ବୋଲି ଶିରିପୁର-ଜାଗମରା ନୂଆ ରୋଡ୍‌ ଖାଦ୍ୟ ହବ୍‌ର ବ୍ୟବସାୟୀ ସେକ୍‌ ସଲିମ କହିଛନ୍ତି।

ଇତିମଧ୍ୟରେ ସମସ୍ତ ଅଫିସ୍‌ ଖୋଲି ଯାଇଛି ଓ ଶତପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଚାଲିଛି। ଅଧିକାଂଶ ଅଫିସ୍‌ର କର୍ମଚାରୀ ମଧ୍ୟାହ୍ନ ଭୋଜନ ପାଇଁ ହୋଟେଲ୍‌ କିମ୍ବା କ୍ୟାଣ୍ଟିନ୍‌ ଉପରେ ନିର୍ଭର କରନ୍ତି। ମାତ୍ର ରେସ୍ତୋରାଁରେ ବସି ଖାଦ୍ୟ ଖାଇବାର ଅନୁମତି ମିଳିନାହିଁ। ଫଳରେ ସେମାନଙ୍କୁ ଦହଗଞ୍ଜ ହେବାକୁ ପଡ଼ୁଛି। ବିଶେଷକରି ପରିବହନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିବିଶେଷ ପାର୍ସଲ ନେଇ ଖାଇବାକୁ ଭାରି କିଲିବିଲି ହେଉଛନ୍ତି। କୋଉଠି ଗଛ ମୂଳ ତ ପୁଣି କୋଉଠି କେବିନ୍‌ ପଛ ପଟ ଖୋଜୁଛନ୍ତି। ଖୋଦ୍‌ ପଇସା ତ ଦେଉଛନ୍ତି, କିନ୍ତୁ ଖାଇବାକୁ ବାର ଦୁଆର ହେଉଛନ୍ତି।

ସମ୍ବନ୍ଧିତ ଖବର