ଭୁବନେଶ୍ୱର: ୧୫ ବର୍ଷର ଅଦାଲତୀ ଲଢ଼େଇ ପରେ ଜୟଦେବବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତା ନିର୍ମାଣରେ ବାଧକ ସାଜିଥିବା ଏକ କୋଠାକୁ ବିଡିଏ ମାଟିରେ ମିଶାଇ ଦେଇଛି। ଦୁଇ ହଜାର ବର୍ଗଫୁଟ୍ ଅଞ୍ଚଳର ସରକାରୀ ଜାଗାରେ ତିଆରି ହୋଇଥିବା ଏହି କୋଠାରେ ୧୦ରୁ ଅଧିକ କୋଠରି ଭଡ଼ାରେ ଲାଗିଥିଲା। ଗାଡ଼କଣ ମୌଜା ପ୍ଲଟ ନଂ ୨୭୩ରେ ଥିବା ଏହି କୋଠାକୁ ଧୂଳିସାତ୍ କରିବା ପାଇଁ ବିଡିଏ ଏନ୍ଫୋର୍ସମେଣ୍ଟ ଟିମ୍କୁ ଦୁଇ ଦିନ ଲାଗି ଯାଇଥିଲା।
ଏହି ସରକାରୀ ଜମିର ପରିମାଣ ହେଉଛି ୦.୦୬୫ ଏକର। ସବିତା ସାହୁ ନାମକ ଜଣେ ମହିଳା ଏହାକୁ ନିଜର ଜାଗା ବୋଲି ଦାବି କରି ମାଡ଼ି ବସିଥିଲେ। ଉଚ୍ଛେଦ ପାଇଁ ନୋଟିସ୍ ହେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବୋର୍ଡ ଅଫ୍ ରେଭେନ୍ୟୁରେ ଏହି ମାମଲା ୬ ମାସ ମଧ୍ୟରେ ସାରିବା ପାଇଁ ଆଦେଶ ହୋଇଥିଲା। ସେଠାରେ ମହିଳା ମାମଲା ହାରିଯିବା ପରେ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ ଏହାକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଡିଏ ଏନ୍ଫୋର୍ସମେଣ୍ଟ ଅଫିସର୍ ଶ୍ୱେତ କୁମାର ଦାଶଙ୍କ ନେତୃତ୍ୱରେ ବିଡିଏର ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍-୧ ଓ ୩, ବିଏମ୍ସିର ଏନଫୋର୍ସମେଣ୍ଟ ସ୍କାଡ୍- ୧ ଓ ୫ ଏହାକୁ ଉଚ୍ଛେଦ କରିଛନ୍ତି।
ଉଚ୍ଛେଦ ବେଳେ ସବିତା ଘଟଣାସ୍ଥଳରେ ଘୋର୍ ବିରୋଧ କରିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା। ତେବେ ସେଠାରେ ଉପସ୍ଥିତ ଏକ ପ୍ଲାଟୁନ୍ ପୁଲିସ ଓ ଗୋଟିଏ ସେକ୍ସନ୍ ମହିଳା ପୁଲିସଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଡିଏ ଲିଆସନ୍ ଅଫିସର୍ ଶୁଭ୍ରାଂଶୁ ଶେଖର ମହାନ୍ତି, ଜିଏର ସହକାରୀ ନିର୍ଦ୍ଦେଶକ ଅମୀୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/50-6.jpg)