ଭୁବନେଶ୍ବର: ଶ୍ୟାମପୁର ମୌଜାରେ ୬୮ ଏକର ଜମିକୁ ଦଲାଲ୍ ବିଡିଏ ଆଖିରେ ଆଙ୍ଗୁଠି ଗେଞ୍ଜି ନେଇଯିବା ପରେ ଜବରଦଖଲକାରୀଙ୍କ ସାହସ ବଢ଼ିଛି। ବିଡିଏ ଲୋକ ଦେଖାଣିଆ ନୋଟିସ୍ ଧମକ ଖାତିର ନ କରି ଜବରଦଖଲକାରୀ ଯେଉଁଠି ଖାଲି ଜାଗା ଦେଖୁଛନ୍ତି ମାଡ଼ି ବସୁଛନ୍ତି। ପୂର୍ବରୁ କିଛି ଦିନ ଜାଗାରେ ପାଲ ଘୋଡ଼ାଇ ଫାଙ୍କା ରଖିବା ପରେ ଘର ତିଆରି କରୁଥିଲେ। ହେଲେ ଏବେ ଆଉ ଫୁର୍ସତ୍ ଦେଉ ନାହାନ୍ତି। ଜିଏ ବିଭାଗ ଲଗାଇଥିବା ‘ଏହା ସରକାରଙ୍କ ସମ୍ପତ୍ତି, ଅନଧିକାର ପ୍ରବେଶ ଦଣ୍ଡନୀୟ’ ଫଳକରେ ନୀଳ ଗାମୁଛା ଗୁଡ଼ାଇ କଂକ୍ରିଟ୍ ନିର୍ମାଣ ଆରମ୍ଭ କରି ଦେଉଛନ୍ତି। ଭୁବନେଶ୍ବର ଛାତି ଉପରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ନୂଆପଲ୍ଲୀରେ ଜିଏ ବିଭାଗର ଥିବା ୫୨୭ ଡେସିମିଲ୍ ଜାଗାକୁ ପ୍ଲଟିଂ କରି ଜବରଦଖଲକାରୀ ବିକି ଦେଇଛନ୍ତି। ଦୀର୍ଘ ତିନିମାସ ଧରି ନିର୍ମାଣ ଚାଲିବା ପରେ ଏବେ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଲୋକ ରହିବା ଆରମ୍ଭ କଲା ପରେ ଜିଏ ବିଭାଗର ନିଦ ଭାଙ୍ଗିଛି। ଏହାକୁ ଉଚ୍ଛେଦ କରିବାକୁ ବିଡିଏକୁ ଚିଠି ଲେଖିଛି। ଜବରଦଖଲ ପଛରେ ନେତାଙ୍କ ହାତ ଥିବାରୁ ନିଜ ଜମିରୁ ଜବରଦଖଲ ଉଚ୍ଛଦ କରିପାରୁ ନଥିବା ବିଡିଏ ଏଠାରୁ କିଭଳି ଉଚ୍ଛେଦ କରିବ ସେ ନେଇ ଚିନ୍ତାରେ ପଡ଼ିଛି।
ନୂଆପଲ୍ଲୀ ଦମୟନ୍ତୀ ଆପାର୍ଟମେଣ୍ଟ କଡ଼ରେ ଜିଏ ବିଭାଗର(ଖାତା ସଂଖ୍ୟା ୩୨୯୩) ୫ଟି ପ୍ଲଟ୍ରେ ୫୨୭ ଡେସିମିଲ୍ ଜମି ରହିଛି। ଯାହାର ବଜାର ଦର ଏବେ ୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଜମି ପୂର୍ବରୁ ଜବରଦଖଲରେ ଥିଲା। ଏହାକୁ ସେତେବେଳେ ଦଲାଲ୍ ବିକି ଦେଇଥିଲେ। ୧୧ଜଣ ଏହି ସରକାରୀ ଜମି କିଣି ଘର କରିଥିବା ବେଳେ ୧୦ ଜଣ ଜବରଦଖଲରେ ଥିଲେ। ୨୦୧୮ ମସିହା ଜୁଲାଇ ୧୧ ତାରିଖରେ ଏଠାରୁ ଉଚ୍ଛେଦ ହୋଇଥିଲା। ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଅଧିକାରୀ ଓ ପୁଲିସ ନୟାନ୍ତ ହୋଇଥିଲେ। ଉଚ୍ଛେଦ ପରେ ଏହି ୫୨୭ ଡେସିମିଲ୍କୁ ପାଚେରୀ କରାଯାଇ ଆବଦ୍ଧ କରାଯାଇଥିଲା। ସରକାରୀ ସମ୍ପତ୍ତିରେ କେହି ଅନୁପ୍ରବେଶ ନ କରିବାକୁ ଫଳକ ଜରିଆରେ ଚେତାବନୀ ଦିଆଯାଇଥିଲା। ୨୦୧୮ରୁ ୨୦୨୪ ମସିହା ପର୍ଯ୍ୟନ୍ତ, ଅର୍ଥାତ୍ ୮ ବର୍ଷ ଧରି ଜିଏ ବିଭାଗ ଏଥିରେ କିଛି କଲା ନାହିଁ କିମ୍ବା ଅନ୍ୟ କୌଣସି ସରକାରୀ ସଂସ୍ଥାକୁ ହସ୍ତାନ୍ତର କଲାନାହିଁ। ସହରର ଛାତି ଉପରେ ଥିବାରୁ ଏହା ଉପରେ ଜମି ଦଲାଲମାନେ ନଜର ପକାଇଥିଲେ।
ସାଧାରଣ ନିର୍ବାଚନରେ ସରକାର ବଦଳିବା ପରେ ଦଲାଲ ସକ୍ରୀୟ ହୋଇଥିଲେ। ୫୨୭ ଡେସିମିଲ୍ ଜାଗାକୁ ୬ଶହ ବର୍ଗଫୁଟ୍ ହିସାବରେ ଭାଗ ଭାଗ କରି ବିକିବା ଆରମ୍ଭ କରିଥିଲେ। ୬ଶହ ବର୍ଗଫୁଟ୍କୁ ୪ଲକ୍ଷ ଦର ରହିଥିଲା। ୨୦ କୋଟିର ସରକାରୀ ଜାଗାକୁ ବିକି ଦଲାଲ ୨କୋଟିରୁ ଊର୍ଦ୍ଧ୍ବ ରୋଜଗାର କରିଥିବା ଜଣାପଡ଼ିଛି। ଏହା ପଛରେ କେବଳ ନେତା ନାହାନ୍ତି ବରଂ ଜିଏ ବିଭାଗର ଅଧିକାରୀ ଥିବା ଚର୍ଚ୍ଚା ହେଉଛି। ସମ୍ପୃକ୍ତ ଅଧିକାରୀଙ୍କ ଅଭୟବାଣୀ ପାଇ ଦଲାଲ୍ମାନେ ପାଚେରୀ ଭାଙ୍ଗି ଗର ତିଆରି କରିଥିବା ଅଭିଯୋଗ ହୋଇଛି। ତେବେ ବିଡିଏ ଉଚ୍ଛେଦ ନ କରି ଶ୍ୟାମପୁର ଜମି ଭଳି ନୋଟିସ୍ ଦେବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଫଳରେ ଦଲାଲ ଆଶ୍ବସ୍ତ ହୋଇଛନ୍ତି।