ଅନିଶ୍ଚିତତାରେ ୫୧ ପରିବାର, ମୁହୂର୍ତ୍ତକରେ ଚାଲିଗଲା ଘର, ଦୋକାନ

ଖଣ୍ଡଗିରି : ‘ଆଜ୍ଞା ମୁଁ ଜଣେ ସ୍ବାମୀ ପରିତ୍ୟକ୍ତା ଓ ଦିବ୍ୟାଙ୍ଗ। ସ୍ବାମୀ ଛାଡ଼ି କୁଆଡ଼େ ଚାଲିଗଲାଣି, ବାପ ଘରେ ବି କେହି ପଚାରନ୍ତିନି। ୩୦ ବର୍ଷ ହେଲା ଚା’ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲି। ଏବେ କୁଆଡ଼େ ଯିବି?’ ଏମିତି କାନ୍ଦି କାନ୍ଦି କହୁଥିଲେ ସସ୍ମିତା ସାହୁ। ହୋଟେଲ୍ ପାଇଁ ତାଙ୍କ ଛୋଟିଆ ଚା’ ଦୋକାନଟି ବୁଲ୍‌ଡୋଜର ମାଡ଼ରେ ଭାଙ୍ଗିଯିବା ପରେ ସେ ସର୍ବସ୍ବ ହରାଇ କାନ୍ଦୁଥିଲେ। ତାଙ୍କ କହିବା କଥା; ସେ ଏଠାରେ ପ୍ରଥମ କରି ଯେତେବେଳେ ଦୋକାନ କଲେ, ଏହି ଅଞ୍ଚଳକୁ କେହି ପଚାରୁ ନ ଥିଲେ। ସଂଧ୍ୟା ହେଲେ ସେହି ଅଞ୍ଚଳକୁ ଆସିବା ଲାଗି ଲୋକେ ଭୟ କରୁଥିଲେ। କିନ୍ତୁ ଏଠାରେ ସେମାନେ ଗୋଟିଏ ପରେ ଗୋଟିଏ ଦୋକାନ ତିଆରି କରିବା ପରେ ଏହି ଅଞ୍ଚଳର ଗୁରୁତ୍ବ ବଢ଼ିଲା। ଏଥିଯୋଗୁଁ ହିଁ ଆଜି ଏତେ ବଡ଼ ହୋଟେଲ ନିର୍ମାଣ ପାଇଁ ସରକାର ମନ ବଳାଇଲେ। କିନ୍ତୁ ଶେଷରେ ବଡ଼ବଡ଼ିଆଙ୍କ ପାଇଁ ସରକାର ଗରିବ ଦୋକାନୀଙ୍କ ଉପରେ ବୁଲ୍‌ଡୋଜର ଚଢ଼ାଇଲେ ବୋଲି କାନ୍ଦିକାନ୍ଦି କହିଛନ୍ତି ସସ୍ମିତା।

ସେହିଭଳି ୭୦ ବର୍ଷୀୟ ପ୍ରଭାକର ସେଠୀ କହନ୍ତି; ସେ ଚାଲିବାକୁ ଅକ୍ଷମ ହୋଇଥିବା ଯୋଗୁଁ କାମ କରିପାରନ୍ତି ନାହିଁ। ଭିକ ମାଗି ଚଳନ୍ତି। କିନ୍ତୁ ଏଭଳି ଦୟନୀୟ ଅବସ୍ଥାରେ ତାଙ୍କୁ ବିଡିଏ ଘରୁ ବାହାର କରି ଘର ଉପରେ ବୁଲ୍‌ଡୋଜର ଚଢ଼ାଇଦେଲା। ସେ ଏବେ କେଉଁଠି ମୁଣ୍ଡ ଗୁଞ୍ଜିବେ ବୋଲି ବଡ଼ ଦୁଃଖରେ କହିଛନ୍ତି। ସେହିଭଳି ୨୫ ବର୍ଷ ହେଲା ଟେଲର୍‌ ଦୋକାନ କରିଥିବା ରୁକ୍‌ସାନା କହନ୍ତି ଯେ ଦୋକାନ ସହିତ ତାଙ୍କ ଘର ଭାଙ୍ଗିଗଲା। ଏବେ ରହିବେ କେଉଁଠି, ଖାଇବେ କଣ ବୋଲି କାନ୍ଦି କାନ୍ଦି କହିଛନ୍ତି। ସେଥିରେ ପୁଣି ୫ରୁ ୧୦ ବର୍ଷ ବୟସ ଭିତରେ ତାଙ୍କ ଚାରି ସନ୍ତାନଙ୍କ ଅବସ୍ଥା କ’ଣ ହେବ ବୋଲି ତାଙ୍କ ଚିନ୍ତା ବଢ଼ି ଯାଇଛି।

ହୋଟେଲ ପାଇଁ ଆଇଗିଣିଆ ଛକରୁ ଏମ୍‌ସ ଛକ ରାସ୍ତାରେ ଥିବା ସବୁ ଦୋକାନୀ ଏବଂ ଘର ଲୋକଙ୍କ ସମାନ ଅବସ୍ଥା। ସେମାନଙ୍କ କହିବା କଥା, ଗୁରୁବାର ଦିନ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଘୋଷଣା ହେଲା। ଜବରଦଖଲ ପାଇଁ ସମସ୍ତେ ସହଯୋଗ କରିବେ, କିନ୍ତୁ କେବଳ କିଛି ଦିନର ମହଲତ ଦେବାକୁ ସେମାନେ ଅନୁରୋଧ କରିଥିଲେ। ଏନେଇ ସେମାନେ ବିଡିଏ ଏବଂ ଖଣ୍ଡଗିରି ଥାନାକୁ ଲିଖିତ ଭାବରେ ଜଣାଇଥିଲେ। କିଛି ଦୋକାନୀଙ୍କ ସୂଚନାନୁସାରେ, ସେମାନେ ନିଜ ପକ୍ଷରୁ ଦୋକାନ ଭାଙ୍ଗିବେ ବୋଲି ପ୍ରସ୍ତୁତ ଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁଯୋଗ ଦିଆଗଲା ନାହିଁ। ବୁଲ୍‌ଡୋଜର ଲଗାଇ ଦୋକାନ ଭାଙ୍ଗି ଦିଆଗଲା। ସେମାନଙ୍କ ଥଇଥାନ ପ୍ରତି ଦୃଷ୍ଟି ନଦେଇ ଏଭଳି ଅମାନବୀୟ କାର୍ଯ୍ୟ ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଅଧିବାସୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର