ଏମ୍‌ଏଲ୍‌ସିପି ପାଇଁ ହଟିଲା ଜବରଦଖଲ

ଭୁବନେଶ୍ବର : ସହିଦନଗରରେ ନିର୍ମାଣାଧୀନ ଥିବା ମଲ୍ଟିଲେଭଲ କାର୍‌ ପାର୍କିଂ(ଏମ୍‌ଏଲ୍‌ସିପି) ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହା କାର୍ଯ୍ୟକ୍ଷମ ହେବା ପୂର୍ବରୁ ଏହାର ଆପ୍ରୋଚ୍‌ ରୋଡ୍‌ରେ ହୋଇଥିବା ଜବରଦଖଲ ଆଜି ହଟାଯାଇଛି। କେନ୍ଦ୍ରୀୟ ଏନ୍‌ଫୋର୍ସମେଣ୍ଟ ମନିଟରିଂ କମିଟିର ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ତଥା ବିଡିଏ, ବିଏମ୍‌ସି, ସ୍ମାର୍ଟ ସିଟି ଲିମିଟେଡ୍‌ ଓ କମିସନରେଟ୍‌ ପୁଲିସ ମିଳିତଭାବେ ଏହି ଜବରଦଖଲ ଉଚ୍ଛେଦ କରିଛନ୍ତି। ଏହି ଉଚ୍ଛେଦ ଫଳରେ ପାର୍କିଂ ଭିତରକୁ ଯିବା ଓ ଫେରିବା ରାସ୍ତା ପ୍ରସ୍ତୁତ ହେବ। ତା’ ଛଡ଼ା ରାସ୍ତା କଡ଼ରେ ଡ୍ରେନ୍‌ ନିର୍ମାଣ ହେବ। ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିବା ସହ ବୃକ୍ଷ ରୋପଣ ଓ ସୌନ୍ଦର୍ଯ୍ୟୀକରଣ ହେବ। ଏହି ପ୍ରକଳ୍ପ ନିର୍ମାଣ ପୂର୍ବରୁ ଏଠାରେ ଜବରଦଖଲ ରହିଥିଲା। ଆଜି ପ୍ରାୟ ୨୮ ସ୍ଥାନରୁ ଜବରଦଖଲ ହଟାଯାଇଛି। ପାଚେରି, ଅସ୍ଥାୟୀ ଛାତ, ରୢାମ୍ପ, ଦୋକାନ ଓ ସିମେଣ୍ଟ ବାରଣ୍ଡା ବେଆଇନ ଭାବରେ ନିର୍ମାଣ ହୋଇଥିଲା। ଦୁଇଟି ଜେସିବି ସହାୟତାରେ ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିଥିଲା।

ଏ ନେଇ ସ୍ମାର୍ଟ ସିଟି ଲିମିଟେଡ୍‌ର ସିଇଓ ସଞ୍ଜୟ ସିଂହ କହିଛନ୍ତି ସ୍ମାର୍ଟ ସିଟି ଅଧୀନରେ ରହିଥିବା ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ସହିଦନଗର ସହ ରାଜମହଲରେ ମଧ୍ୟ ଏଭଳି ଅନୁରୂପ ଆଉ ଗୋଟିଏ ଏମ୍‌ଏଲ୍‌ସିପି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏଥିରେ ପ୍ରାୟ ୬ଶହ ଗାଡ଼ି ଏକ ସମୟରେ ପାର୍କ ହୋଇ ପାରିବ। ଫଳରେ ଜନପଥରୁ ଭିଡ଼ ହଟି ପାରିବ। ଏହି ପାର୍କିଂ ବ୍ୟବସ୍ଥା ମାଷ୍ଟର ସିଷ୍ଟମ୍‌ ଇଣ୍ଟିଗ୍ରେଟର ସହ ସମନ୍ବିତ ହୋଇ ଜନସାଧାରଣଙ୍କ କାମରେ ଲାଗିବ। ଆପ୍‌ ଜରିଆରେ ଲୋକମାନେ ଗାଡ଼ି ପାର୍କିଂ ବ୍ୟବସ୍ଥାର ଲାଭ ଉଠାଇ ପାରିବେ।

ଉଲ୍ଲେଖଯୋଗ୍ୟ, ସହିଦନଗରରେ ୦.୭୩୪ ଏକର ଜାଗାରେ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଏହି ଏମ୍‌ଏଲ୍‌ସିପି ୫ ମହଲା ବିଶିଷ୍ଟ ହେବ। ବେସ୍‌ମେଣ୍ଟ ସହ ତିନୋଟି ଫ୍ଲୋର୍‌ ପାର୍କିଂ ପାଇଁ ରହୁଥିବା ବେଳେ ଦୁଇଟି ବ୍ୟବହାର ପାଇଁ ଉଦ୍ଦିଷ୍ଟ। ସେନ୍‌ସର ବେସ୍‌ଡ୍‌ ପାର୍କିଂ, ୱାଇ-ଫାଇ ସହ ବି୍ଡିଂ ମ୍ୟାନେଜ୍‌ମେଣ୍ଟ ସି‌ଷ୍ଟମ୍‌ ଭଳି ଏଠାରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର ହେବ।

ସମ୍ବନ୍ଧିତ ଖବର