୪ ଥାକିଆ ରାସ୍ତା ପାଇଁ ଉଚ୍ଛେଦ, ୨ ଧର୍ମାନୁଷ୍ଠାନ ସହିତ ଦୋକାନ ଭଙ୍ଗା ଗଲା

ଭୁବନେଶ୍ବର : କଳ୍ପନା ଛକରୁ ଜଗନ୍ନାଥ ଆଶ୍ରମ ପର୍ଯ୍ୟନ୍ତ ହେବାକୁ ଥିବା ୪ ଥାକିଆ ରାସ୍ତା ପାଇଁ ଆଜି ବଡ଼ଧରଣର ଉଚ୍ଛେଦ କରାଯାଇଛି। ଏଥିରେ ୨ ଧର୍ମାନୁଷ୍ଠାନ ସହ ଅନ୍ୟାନ୍ୟ ଦୋକାନକୁ ଭାଙ୍ଗି ଦିଆଯାଇଛି। ତେବେ ଆଜି ସମୟ ଅଭାବରୁ ଉଚ୍ଛେଦ କାର୍ଯ୍ୟକୁ ଅଧାରୁ ବନ୍ଦ ରଖାଯାଇଛି। ଆସନ୍ତାକାଲି ବଳକା ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, କଳ୍ପନା ଛକରୁ ଟଙ୍କପାଣି ରୋଡ୍ ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତା ପାଇଁ ବଡ଼ଗଡ଼ ଥାନା ଅଧୀନରେ କଳ୍ପନା ଛକଠାରୁ ବଡ଼ଗଡ଼ କେନାଲର ଉଭୟ ପାର୍ଶ୍ବରେ ଉଚ୍ଛେଦ ଆରମ୍ଭ ହୋଇଥିଲା। ସକାଳ ସାଢ଼େ ୧୦ଟା ସମୟରେ ଉଚ୍ଛେଦକାରୀ ଦଳ କଳ୍ପନା ଛକରେ ପହଞ୍ଚିଥିଲେ। ଏଥିରେ ୨ ଧର୍ମାନୁଷ୍ଠାନ ସହିତ ଗୋଟିଏ ଛାତ ଘର, ୧୨ଟି ଆଜେବେଷ୍ଟସ୍‌ ଘର ସହିତ ୯ଟି ଦୋକାନ ଓ ୩୬ଟି ବାଉଁଶ/ପଲିଥିନ୍ ଘେରା ଦୋକାନ ଓ ୭ଟି ହୋର୍ଡିଂକୁ ହଟାଇ ଦିଆଯାଇଛି। ୩ଟି ବୁଲଡୋଜର୍‌ ଏହି ଉଚ୍ଛେଦ କାର୍ଯ୍ୟରେ ଲାଗିଥିଲେ। ଅପରପକ୍ଷରେ ବଡ଼ଗଡ଼ ବ୍ରିଟ୍ କଲୋନି ଅଞ୍ଚଳରେ ଶତାଧିକ ଗଛ ରହିଥିବା ବେଳେ ଉଚ୍ଛେଦକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିବା ଆରମ୍ଭ କରିଛନ୍ତି। ଗଛକୁ ନ କାଟି ବିକଳ୍ପ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଆଜିର ଉଚ୍ଛେଦ ସ୍ଥଳରେ ବିଡିଏ, ବିଏମ୍‌ସିର ଅଧିକାରୀମାନେ ଉପସ୍ଥିତ ଥିଲେ। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ୧ ପ୍ଲାଟୁନ୍ ପୁଲିସ୍ ଓ ୧ ସେକ୍ସନ୍ ମହିଳା ପୁଲିସ ମୁତୟନ ହୋଇଥିଲେ।

ସମ୍ବନ୍ଧିତ ଖବର