ମନ୍ଦିର ଓ ଜେସିବିକୁ ଘେରିଗଲେ ମହିଳା, ପୁଣି ଫେରିଲା ଉଚ୍ଛେଦ ସ୍କ୍ବାଡ୍‌

ଖଣ୍ଡଗିରି : ଘାଟିକିଆ ମୌଜା କଳିଙ୍ଗନଗର କେ-୭ ସ୍ଥିତ ମା’ ଖଣ୍ଡୁଆଳୀ ମନ୍ଦିରକୁ ଉଚ୍ଛେଦ କରିବାକୁ ଆସିଥିବା ବିଡିଏ ସ୍କ୍ବାଡ୍‌କୁ ଶୁକ୍ରବାର ବି ଗ୍ରାମବାସୀମାନେ ବାଟ ଛାଡ଼ିନାହାନ୍ତି। ଶତାଧିକ ମହିଳା ମନ୍ଦିର ଚାରିକଡ଼ରେ ମେଳି କରି ବସି ରହିବା ସହ ଜେସିବିକୁ ଦୀର୍ଘ ସମୟ ଯାଏ ଘେରି ରହିବାରୁ ସ୍କ୍ବାଡ୍‌ ଫେରିବାକୁ ବାଧ୍ୟ ହୋଇଛି। ଧାରଣାରତ ମହିଳାମାନେ ତାଙ୍କ ଶବ ଉପରେ ଜେସିବି ଚଢ଼ାଇ ମନ୍ଦିରକୁ ଭାଙ୍ଗ ବୋଲି ଆହ୍ବାନ ଦେଇଥିଲେ। ତେଣୁ ମହିଳାମାନଙ୍କ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଆଗରେ ପୁଲିସ ଓ ଉଚ୍ଛେଦ ସ୍କ୍ବାଡ୍‌ ମଧ୍ୟ ବଳ ପ୍ରୟୋଗ କରିବାକୁ ବାଟ ପାଇନଥିଲା।

ସୂଚନାଯୋଗ୍ୟ ଏହି ମନ୍ଦିରକୁ ଭାଙ୍ଗିବାକୁ ପୂର୍ବରୁ ବିଡିଏ ୪ ଥର ଉଦ୍ୟମ କରି ଫେରିବା ପରେ ଆଜି ମଧ୍ୟ ଫେରିଛି। ଗ୍ରାମବାସୀମାନଙ୍କ କହିବା କଥା, ୨୮ ବର୍ଷ ତଳେ ବିଡିଏ ପକ୍ଷରୁ ହୋଇଥିବା ପ୍ଲଟିଂ ସମୟରେ ଏହାକୁ ମନ୍ଦିର ବୋଲି ଛାଡ଼ି ଦିଆଯାଇଥିଲା। ପ୍ରାୟ ୨୦୦ ବର୍ଷ ତଳର ଏହି ମନ୍ଦିର ସହିତ ସ୍ଥାନୀୟ ଲୋକଙ୍କ ଭାବାବେଗ ଜଡ଼ିତ ରହିଛି। କିନ୍ତୁ ଏବେ ଜଣକ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବିଡିଏ ମାନମାନି କରି ମନ୍ଦିର ଉଚ୍ଛେଦ କରିବାକୁ ଯାଉଛି। ତେଣୁ କୌଣସି ପରିସ୍ଥିତିରେ ଗ୍ରାମବାସୀ ବିଡିଏର ଏହି ଅନ୍ୟାୟକୁ ବରଦାସ୍ତ କରିବେ ନାହିଁ। ଉଚ୍ଛେଦକୁ ବିରୋଧ କରି ଗ୍ରାମବାସୀଙ୍କ ସହ କେ-୭ ଅଞ୍ଚଳର ବହୁ ବାସିନ୍ଦା ଓ ପୂର୍ବତନ କର୍ପୋରେଟର ଦିଲ୍ଲୀପ କୁମାର ମାଝୀ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର