୩୦ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି, ଭୋଟିଂରେ ବିଳମ୍ବ 

ବାଲିଅନ୍ତା: ସମଗ୍ର ଜୟଦେବ ନିର୍ବାଚନମଣ୍ଡଳୀର ବାଲିଅନ୍ତା ବ୍ଲକର ଅନେକ ବୁଥ୍‌ରେ ନିର୍ବାଚନ ପରିଚାଳନାରେ ଅବ୍ୟବସ୍ଥା ହୋଇଥିବା ନେଇ ସୂଚନା ମିଳିଛି। ଇଭିଏମ୍‌ ମେସିନ୍‌ରେ ତ୍ରୁଟି ଯୋଗୁଁ ଏଭଳି ସୃଷ୍ଟି ହୋଇଥିଲା। ଭୋଟ୍‌ ଆରମ୍ଭ ସମୟ ସକାଳ ୭ଟା ପୂର୍ବରୁ କେନ୍ଦ୍ର ସମ୍ମୁଖରେ ଲୋକମାନେ ଧାଡ଼ିରେ ଠିଆ ହୋଇ ରହିଥିଲେ। ଭୋଟ୍‌ ଆରମ୍ଭରୁ ପ୍ରାୟ ଅଧଘଣ୍ଟା ଧରି କିଛି ବୁଥ୍‌ରେ ଇଭିଏମ୍‌ କାମ ନକରିବାରୁ ଭୋଟ ଦେବାରେ ବିଳମ୍ବ ହୋଇଥିଲା। ଫଳରେ ସେଠାରେ ଉପସ୍ଥିତ ଥିବା ଭୋଟଦାତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ମାତ୍ର କିଛି ସମୟ ପରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିଲା। ଶେଷ ପର୍ଯ୍ୟନ୍ତ ସ୍ବ‌ାଭାବିକ ଚାଲିଥିଲା। ବ୍ରାହ୍ମଣସୁଆଁଲୋ ବୁଥ ନମ୍ବର ୪୯ରେ ୮ଟାରେ, କଇଜଙ୍ଗା ବୁଥ ନଂ ୭୦ରେ ୭ଟା ୪୫, ବୁଦ୍ଧିପଡ଼ା ବୁଥ ନଂ ୧୦୧ରେ ୭ଟା ୨୮, ପୂରଣଶାସନ ବୁଥ ନଂ ୮୭ରେ ୮ଟା ୩୦‌‌ରେ, ଶିଶିଲୋ ବୁଥ୍‌ ନମ୍ବର ୮୬ରେ ସାଢ଼େ ୭ଟା‌ରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଥିଲା। ବେଣୁପୁର ଓ ପୂରଣପଧାନ ପଞ୍ଚାୟତର ବୋଧଖଣ୍ଡି ଓ ବେଣୁପୁର ବୁଥ୍‌ରେ ମଧ୍ୟ ଇଭିଏମ୍‌ ତ୍ରୁଟି ଯୋଗୁଁ ଭୋଟ୍‌ ଗ୍ରହଣ କାର୍ଯ୍ୟ ଡେରିରେ ହୋଇଥିଲା। ସେହିପରି ଅନୁରୂପ ଭାବେ ଇଭିଏମ୍‌ ତ୍ରୁଟିଜନିତ ସମସ୍ୟା ଯୋଗୁଁ ବାଲିପାଟଣା ବ୍ଲକ ମାର୍ଥାପୁର ପଞ୍ଚାୟତ ଅଧୀନ ଆଳୋଇ, ରାଜସ ଓ ବିଶ୍ବନାଥପୁର ଗ୍ରାମରେ ଗୋଟିଏ ବୁଥ୍‌ରେ ମଧ୍ୟ ଅଧଘଣ୍ଟାଏ ଧରି ଇଭିଏମ୍‌ ମେସିନ୍‌ ଖରାପ ହୋଇଥିଲା।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଜୟଦେବ ନିର୍ବାଚନମଣ୍ଡଳୀରେ ମୋଟ ଭୋଟର୍‌ଙ୍କ ସଂଖ୍ୟା ହେଉଛି ୧ଲକ୍ଷ ୮୬ ହଜାର ୩୦୫। ସେଥିମଧ୍ୟରୁ ୯୬ହଜାର ୩୯୧ଜଣ ପୁରୁଷ ଭୋଟର୍‌, ୮୯ ହଜାର ୮୮୬ଜଣ ମହିଳା ଓ ୨୮ଜଣ ତୃତୀୟ ଲିଙ୍ଗ ବର୍ଗର ଭୋଟର୍‌ ଅଛନ୍ତି। କିନ୍ତୁ ନିର୍ବାଚନମଣ୍ଡଳୀରେ ମୋଟ ମତଦାନ ହାର ଆଶାନୁରୂପକ ହୋଇପାରିନାହିଁ।

ସମ୍ବନ୍ଧିତ ଖବର