ଇଭିଏମ୍‌ରେ ଭୋଟ୍‌, ମୈଦାନରୁ ଥମୁନି ଉଷ୍ମତା

ଖଣ୍ଡଗିରି : ପ୍ରଚାର କସରତ ଓ ଭୋଟ୍‌ ଗ୍ରହଣ ପରେ ବି ମୈଦାନରୁ ଥମିନାହିଁ ରାଜନୈତିକ ଉଷ୍ମତା। ଇଭିଏମ୍‌ରେ ଭୋଟ ବନ୍ଦୀ ହୋଇ ସାରିଥିଲେ ବି କର୍ମୀମାନଙ୍କ କସରତ ସରି ନାହିଁ। କେଉଁଠୁ ‌କେତେ ଭୋଟ୍ ଆସିଛି ବୋଲି ଚାଲିଛି ହିସାବ ନିକାଶ। ଖଡ଼ି ଗୋଡ଼ି ପକାଇ ଚାଲିଛି ଅଙ୍କକଷା। ଏହି ଗଣିତକୁ ନେଇ କର୍ମୀମାନଙ୍କ ଭିତରେ କେଉଁଠି ନୈରାଶ୍ୟଭାବ ତ କେଉଁଠି ଉତ୍ସାହ ଦେଖିବାକୁ ମିଳୁଛି। କେଉଁ ଶିବିର ଖୁସିରେ ବିଭୋର ହେଲାଣି ତ ପୁଣି କେଉଁ ଶିବିରରେ ପଡ଼ି ଗଲାଣି ଭାଳେଣି। ଖରାପ ପ୍ରଦର୍ଶନ ହୋଇଥିବା ଆଶଙ୍କା କରି କିଛି ଶିବିରରେ କର୍ମୀମାନଙ୍କ ଭିତରେ ଚାଲିଲାଣି ଆରୋପ ପ୍ରତ୍ୟାରୋପ। ଜଟଣୀ ବିଧାନସଭା କ୍ଷେତ୍ରରେ ଏଥର ତ୍ରିମୁଖୀ ଲଢ଼େଇ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। ମାତ୍ର ଏହା ‌କେତେଦୂର ସମ୍ଭବ ହୋଇଛି, ତାହା ଏବେ ଅସ୍ପଷ୍ଟ ରହିଛି। ଭୋଟର୍‌ମାନଙ୍କଠାରୁ ସ୍ପଷ୍ଟ ସୂଚନା ମିଳି ନଥିବାରୁ ସବୁଆଡ଼େ ଭିନ୍ନ ଭିନ୍ନ ଆଲୋଚନା କରାଯାଉଛି। ତିନି ପ୍ରମୁଖ ଶିବିରରେ କର୍ମୀମାନେ ଆଶା ଓ ଆଶଙ୍କାରେ ଥିବା ଦେଖିବାକୁ ମିଳୁଛି। କେହି ନିଶ୍ଚିତ ହୋଇପାରୁ ନଥିବାବେଳେ ବହୁ କର୍ମୀ କିନ୍ତୁ ସେମାନଙ୍କ ନେତା ଜିତିବା ନେଇ ଖବର ପ୍ରଚାର କରି ବଜାରକୁ ସରଗରମ କରି ରଖିଥିବା ଦେଖିବାକୁ ମିଳୁଛି। ଅଧିକାଂଶ ସ୍ଥାନରେ ଶଙ୍ଖ-ହାତ ଟକ୍କର ହୋଇଛି ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଅନେକ ସ୍ଥାନରେ ଫୁଲ-ଶଙ୍ଖ ଓ ଫୁଲ-ହାତ ଲଢ଼େଇ ହୋଇଥିବା ମଧ୍ୟ ଆଲୋଚନା ହେଉଛି। କେହି କେହି ସୁର ରାଉତରାୟଙ୍କ ପ୍ରତି ସହାନୁଭୂତି ବୃଦ୍ଧି ପାଇଥିବା ନେଇ ଚର୍ଚ୍ଚା କରୁଥିବା ବେଳେ ଅନେକ ନବୀନଙ୍କ ମହିଳା କାର୍ଡ ରଣନୀତି ଦୃଷ୍ଟିରୁ ବିଭୂତି ବଳବନ୍ତରାୟଙ୍କ ପ୍ରସଙ୍ଗକୁ ଆକଳନ କରୁଛନ୍ତି। ପୁଣି ବହୁ ସ୍ଥାନରେ ମଧ୍ୟ ମୋଦି ହାୱା ଓ ପରିବର୍ତ୍ତନର ନାରା କାମ କରିଛି ବୋଲି ବିଜେପି ପ୍ରାର୍ଥୀ ବିଶ୍ବରଞ୍ଜନ ବଡ଼ଜେନାଙ୍କ କଥା ଉଠାଉଛନ୍ତି। ସେହିଭଳି ଲୋକସଭା ପ୍ରାର୍ଥୀଙ୍କୁ ନେଇ ମଧ୍ୟ ଏଠାରେ ବଡ଼ ରୋଚକ ଆଲୋଚନା ହେଉଛି। ଏଠାରେ ଆପାତତଃ ଦ୍ବିମୁଖୀ ଲଢ଼େଇ ହୋଇଥିବା କୁହାଯାଉଛି। କାରଣ ବିଧାୟକ ପ୍ରାର୍ଥୀମାନଙ୍କ କର୍ମୀ ଓ ସମର୍ଥକମାନେ ଅନେକ ସ୍ଥାନରେ ଭୋଟ୍‌ ଓଲଟପାଲଟ କରିଥିବା ସ୍ପଷ୍ଟ ହୋଇଛି। ବହୁ ସ୍ଥାନରେ କର୍ମୀ ଓ ସମର୍ଥକମାନେ ମେଣ୍ଟ କଥା ବିଚାରକୁ ନ ନେଇ ମତଦାନ କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର