ହକି ପାଇଁ ପରୀକ୍ଷା ବାତିଲ୍‌

ଏଲ୍‌ଜି ପକ୍ଷରୁ ମାରାଥନ୍

ଭୁବନେଶ୍ବର : ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବ ସୋମବାର ଅନୁଷ୍ଠିତ ହେବ। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ବରର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ କର୍ତୃପକ୍ଷ ଛୁଟି ଘୋଷଣା କରିଛନ୍ତି। ୩ୟ ସେମିଷ୍ଟାରର ପ୍ରାକ୍ଟିକାଲ ପରୀକ୍ଷା ବାତିଲ୍‌ ହେବା ସହ ଲାପ୍‌ଟପ୍‌ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ପରବର୍ତୀ ସମୟରେ ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ ବୋଲି କଲେଜ ଅଧ୍ୟକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହିପରି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଅଧୀନ ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଅଡ୍‌ ସେମିଷ୍ଟାର ପରୀକ୍ଷା(ରେଗୁଲାର ଓ ବ୍ୟାକ୍‌)କୁ ବାତିଲ୍‌ କରାଯାଇଛି। କେବେ ପରୀକ୍ଷା ହେବ ସେନେଇ ପରବର୍ତୀ ସମୟରେ ଜଣାଇ ଦିଆଯିବ ବୋଲି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କହିଛନ୍ତି।

ଏଲ୍‌ଜି ପକ୍ଷରୁ ମାରାଥନ୍

ଭୁବନେଶ୍ବର : ପୁରୁଷ ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ଏଲ୍‌ଜି ଇଲେ‌କଟ୍ରୋନିକ୍ସ ଇଣ୍ଡିଆ ପକ୍ଷରୁ ଏକ ମାରାଥାନ ଆଜି ଅନୁଷ୍ଠିତ ହୋଇଯାଇଛି। ଏଲ୍‌ଜି ଇଲେକଟ୍ରୋନିକ୍ସ ଇଣ୍ଡିଆ ଓ ବିଜୁ ଯୁବ ବାହିନୀର ମିଳିତ ସହଯୋଗରେ ଆଜି ସକାଳେ ଜନତା ମଇଦାନରୁ କଳିଙ୍ଗ ଷ୍ଟାଡିୟମ ମଧ୍ୟରେ ଏହି ମାରାଥନ ହୋଇଥିଲା। ରାଜଧାନୀକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସଚେତନତା ସୃଷ୍ଟି କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ ରହିଥିଲା। ମାରାଥନର ଉଦଘାଟନୀ କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କିଙ୍କ ସମେତ ଏଲଜିର ଅଧିକାରୀମାନେ ଯୋଗଦେଇ ମାରାଥନର ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ। ମାରାଥନରେ ୧୦୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର