ଭୁବନେଶ୍ୱର: ଆସନ୍ତାକାଲି (ସୋମବାର) ୧୨୦ ବାଟାଲିୟନ୍ରେ ଏକ ନିଯୁକ୍ତି ପରୀକ୍ଷା ରହିଛି। ଏଥିରେ ଭାଗ ନେବା ପାଇଁ ରାଜ୍ୟ ବାହାରୁ ହଜାର ହଜାର ପ୍ରତିଯୋଗୀ ଭୁବନେଶ୍ବରରେ ପହଞ୍ଚିଛନ୍ତି। ରେଳ ଷ୍ଟେସନଠାରୁ ୧୨୦ ବାଟାଲିୟନ ପର୍ଯ୍ୟନ୍ତ ଫୁଟ୍ପାଥ୍ ଭର୍ତ୍ତି ହୋଇଥିବା ବେଳେ ଯିଏ ଯେଉଁଠି ପାରିଛି ଶୋଇଯାଇଛି। ୟୁନିଟ୍-୪ରେ ଥିବା ଏମ୍ଲ୍ଏ କଲୋନି ସାମ୍ନା ପାର୍କ ଏହି ପ୍ରତିଯୋଗୀଙ୍କ ଭିଡ଼ରେ ଉଛୁଳୁଛି। ଗୋଟିଏ ସ୍ଥାନରୁ ଅନେକ ସଂଖ୍ୟାରେ ଆସିଥିବାରୁ ଏମାନେ ବିଭିନ୍ନ ସ୍ଥାନରେ ଦାଦାଗିରି ଦେଖାଇଥିବା ପରିଲକ୍ଷିତ ହୋଇଛି। ବିଭିନ୍ନ ଟ୍ରେନ୍ରେ ଏମାନେ ବିନା ଟିକେଟ୍ରେ ଆସିଛନ୍ତି। ଏଥିପାଇଁ ରେଳବାଇ ପକ୍ଷରୁ ଯାଞ୍ଚ କରାଯାଇ ୫୬ଜଣଙ୍କୁ ଜରିମାନା କରାଯାଇଛି। ଷ୍ଟେସନରେ ଶୋଇ ରହି ଯୁବତୀ ଓ ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାରୁ ରେଳବାଇ ପକ୍ଷରୁ ଏମାନଙ୍କୁ ଘଉଡ଼ା ଯାଉଥିବା ଦେଖାଯାଇଛି। ସେହିଭଳି ମାଷ୍ଟର କ୍ୟାଣ୍ଟିନ୍ ଛକରେ ଏକ ଜଳଖିଆ ଦୋକାନରେ କେତେକ ଯୁବକ ଖାଇ ଟଙ୍କା ଦେଇନଥିଲେ। ବେପାରୀକୁ ଧମକ ଚମକ ଦେଇ ପଳାଇବାକୁ ଉଦ୍ୟମ କରିଥିଲେ। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସକୁ ଦେଖି ଗିରଫ ଭୟରେ ଯୁବକମାନେ ଟଙ୍କା ଦେବା ସହ କ୍ଷମା ପ୍ରାର୍ଥନା କରି ଘଟଣାସ୍ଥଳରୁ ଯାଇଥିଲେ।
ମାଷ୍ଟର କ୍ୟାଣ୍ଟିନ୍ ଛକରେ ଯୁବକମାନେ ଏକ ଫଳ ଦୋକାନରୁ ଫଳ କିଣିବା ବେଳେ ଚୋରି କରିଥିଲେ। ୬ଜଣ ଯୁବକ ପକେଟ୍ ଯାଞ୍ଚ କରି ୨ କେଜିରୁ ଅଧିକ ଫଳ ବାହାର କରାଯାଇଥିଲା। ଏ ନେଇ କେତେକ ପୁଲିସ କମିସନରଙ୍କୁ ଟ୍ବିଟ୍ କରି ଜଣାଇବା ପରେ କମିସନର ସୁଧାଂଶୁ ଷଡ଼ଙ୍ଗୀ ଆଶ୍ବାସନା ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀ ଲେଖିଛନ୍ତି ଯେ ୧୨୦ ବାଟାଲିୟନ ପକ୍ଷରୁ ଏମାନଙ୍କର ରହିବା ବ୍ୟବସ୍ଥା କରିବା କଥା। କିମ୍ବା କମିସନରେଟ୍ ପୁଲିସର ସହାୟତା ନେବା କଥା। ବିଳମ୍ବିତ ରାତିରେ ଏଥିପାଇଁ କୌଣସି ବ୍ୟବସ୍ଥା କରିବା ସହଜ କଥା ନୁହେଁ। ତେବେ ଏମାନଙ୍କର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/sf5gh4fgh4df9h4dg98h4dg98h51dgh23cv1n654f65gj4fgjfgjfy.jpg)