ଶୁକଶାରି ମନ୍ଦିର ନିକଟରେ ଖନନ: ଜଗମୋହନରୁ ଠାବ ହେଲା ପ୍ରାଚୀନ କଳାକୃତି

ପଥର ଖଣ୍ଡରେ ରାମଚନ୍ଦ୍ର, ହନୁମାନ ଓ ବାନର ସେନାଙ୍କ ଖୋଦିତ ମୂର୍ତ୍ତି

ପୁରୁଣା ଭୁବନେଶ୍ୱର: ଶୁକଶାରି ମନ୍ଦିର ନିକଟ‌ରେ ମାଟି ତଳେ ପୋତି ହୋଇ ରହିଥିବା ମନ୍ଦିରକୁ ଉଦ୍ଧାର ଲାଗି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଖନନ କାର୍ଯ୍ୟ ଚାଲିଛି। ପୂର୍ବରୁ ବାହାରିଥିବା ଜଗମୋହନ ପାଖରୁ ଆଜି ପ୍ରାଚୀନ କାଳର ଆଉ ଦୁଇଟି ଭାସ୍କର୍ଯ୍ୟକୁ ଠାବ କରାଯାଇଛି। ଗୋଟିଏ ପଥର ଖଣ୍ଡରେ ରାମଚନ୍ଦ୍ର, ହନୁମାନ ଓ ବାନର ସେନାଙ୍କ ଖୋଦିତ ମୂର୍ତ୍ତି ରହିଥିବା ବେଳେ ଅନ୍ୟଟିରେ ରାଜାଙ୍କ ସ୍ନାନ ସମୟର ଦୃଶ୍ୟ ଦେଖିବାକୁ ମିଳିଛି। ମନ୍ଦିର ଜଗମୋହନ ଅଂଶରେ ଏହା ଦେଖିବାକୁ ମଳିଛି। ଉକ୍ତ କାରୁକାର୍ଯ୍ୟ ପ୍ରାୟ ୧୪ଶହ ବର୍ଷ ତଳର ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଶୁକଶାରି ମନ୍ଦିରର ପୂର୍ବ ପାର୍ଶ୍ବରେ ଗୌରୀଶଙ୍କର ମନ୍ଦିର ଆଡ଼କୁ ଖନନ ବେଳେ ଏହା ଉଦ୍ଧାର ହୋଇଥିଲା। ଏ ସଂପର୍କରେ ପ୍ରତ୍ନତତ୍ତ୍ବବିତ୍‌ ମାନସ କୁମାର ସାହୁ କହିଛନ୍ତି, ଜଗମୋହନରେ ଏପରି ବିଭିନ୍ନ କଥାବସ୍ତୁ ବର୍ଣ୍ଣନା ଥିବା ମୂର୍ତ୍ତି ରହିଥାଏ। ଏହାକୁ ସଂପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି।

କିଛି ଦିନ ତଳେ ଏଠାରୁ ଆଉ ଏକ ମୂର୍ତି ଉଦ୍ଧାର କରାଯାଇଥିଲା। ଉକ୍ତ ମୂର୍ତ୍ତିକୁ କିଛି ଲୋକ ରାବଣ ମୂର୍ତ୍ତି ବୋଲି କହୁଥିବା ବେଳେ କେହି କେହି ପାର୍ଶ୍ବଦେବତା ବୋଲି କହୁଛନ୍ତି। ଏଏସ୍ଆଇ କର୍ମଚାରୀ ଶୁକଶାରି ନିକଟରେ ଖନନ ବେଳେ ପୂର୍ବ ଦିଗରୁ ମାଟି ବାହାର କରିବା ବେଳେ ଏହା ଦେଖିବାକୁ ମିଳିଥିଲା। ତାହା ଷଷ୍ଠ ଶତାବ୍ଦୀର ପୁରାତନ ମନ୍ଦିର ଓ ଏହି ପଥର ପୁରାତନ ମନ୍ଦିରର ଜଗମୋହନ ବୋଲି ଏଏସ୍ଆଇ ପ୍ରତ୍ନତତ୍ତ୍ବବିତ୍‌ ପି.କେ ନାୟକ କହିଛନ୍ତି। ପ୍ରକାଶ ଥାଉକି, ଏକାମ୍ର ବିକାଶ କାର୍ଯ୍ୟ ଆରମ୍ଭ ପରେ ଏଏସ୍ଆଇ ପକ୍ଷରୁ ୨୦୨୦ ମସିହାରୁ ଶୁକଶାରି ମନ୍ଦିର ଆଖପାଖ ଖନନ କାର୍ଯ୍ୟ କରାଯାଉଛି। ମାଟି ତଳୁ ଅନେକ ପ୍ରାଚୀନ ଭାସ୍କର୍ଯ୍ୟର ସନ୍ଧାନ ମିଳୁଛି। ଗତବର୍ଷ ଡିସେମ୍ବର ୧୨ ତାରିଖରେ ଏଠାରେ ଖନନ କାର୍ଯ୍ୟ ଚାଲୁଥିବା ବେଳେ ଗୋଟିଏ ନୂତନ ମନ୍ଦିର ଉଦ୍ଧାର ହୋଇଥିଲା। ଉକ୍ତ ମନ୍ଦିରଟି ପଶ୍ଚିମମୁହାଁ ହୋଇ ରହିଥିଲା। ସେହିପରି ଗତବର୍ଷ ଅକ୍ଟୋବର ୩୦ ତାରିଖରେ ଅନ୍ୟ ଗୋଟିଏ ମନ୍ଦିର ଉଦ୍ଧାର ହୋଇଥିଲା।

ସମ୍ବନ୍ଧିତ ଖବର