ଶୁକଶାରି ମନ୍ଦିର ନିକଟରେ ଖନନ କାର୍ଯ୍ୟ ଜାରି: ମିଳିଲା ଦୁଇଟି ମନ୍ଦିରର ଅଁଳା ବେଢ଼ା

ପୁରୁଣା ଭୁବନେଶ୍ୱର: ଶୁକଶାରି ଦେଉଳ ପାର୍ଶ୍ବ‌ରୁ ପ୍ରାଚୀନ ମନ୍ଦିରର ସନ୍ଧାନ ମିଳିବା ପରେ ଖନନ କାର୍ଯ୍ୟ ଜାରି ରହିଛି। ଆଜି ଖନନ କାର୍ଯ୍ୟ ଚାଲିଥିବା ବେଳେ ଉତ୍ତର-ପୂର୍ବ ପାର୍ଶ୍ବରୁ ଦୁଇଟି ମନ୍ଦିରର ଅଁଳା ବେଢ଼ା ମିଳିଛି। ଗୋଟିଏ ୩ ଫୁଟ୍‌ର ହୋଇଥିବା ବେଳେ ଅନ୍ୟଟି ୫ଫୁଟ୍‌ର ଅଧାଭଙ୍ଗା ଅଁଳା ବେଢ଼ା। ଦୁଇଦିନ ତଳେ ଏଠାରେ ଭଗ୍ନମନ୍ଦିରର ଏକ ମୂଳଦୁଆ ଓ ଏକ ଶିଳପୁଆ ଉଦ୍ଧାର ହୋଇଥିଲା। ଏହି ଖନନ କାର୍ଯ୍ୟ ବିନ୍ଦୁସାଗର ପର୍ଯ୍ୟନ୍ତ କରାଯିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି।

ପ୍ରତ୍ନତତ୍ତ୍ବବିତ୍‌ ରାହୁଲ କୁମାର ଶ୍ରୀବାସ୍ତବ ଏ ସଂପର୍କରେ କହିଛନ୍ତି ଯେ ଏଏସ୍ଆଇ ପକ୍ଷରୁ ସାଇଣ୍ଟିଫିକ୍ କ୍ଲିନେସ୍ ବେଳେ ମନ୍ଦିରର ସମ୍ମୁଖ ଚଟାଣ ଖନନ କରାଯାଇଥିଲା। ଏବେ ଖନନରେ ମନ୍ଦିର ଚଟାଣ ବାହାରିବା ସହ ଦୁଇଟି ମନ୍ଦିରର ଅଁଳା ବେଢ଼ା ବାହାରିଛି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ମନ୍ଦିରର ଅନେକ ଅଂଶ ଏଠାରେ ଲୁଚି ରହିଛି। ଦୁଇଟି ଅଁଳାବେଢ଼ା ମିଳିଥିବାରୁ ଦୁଇଟି ଭଗ୍ନମନ୍ଦିର ଏହି ମାଟି ତଳେ ପୋତି ରହିଛି। ଆହୁରି ମଧ୍ୟ ସେ କହିଛନ୍ତି ଯେ ବିନ୍ଦୁସାଗର ଆଡ଼କୁ ଓ ଗୌରୀଶଙ୍କର ମନ୍ଦିର ଆଡ଼କୁ ଖନନ କରାଯିବ। ଏଥିରୁ ଆହୁରି ଭଗ୍ନାବିଶେଷ ବାହାରିପାରେ। ଏନେଇ ଅଧିକ ଅନୁଧ୍ୟାନ ଚାଲିଛି। ଏଏସ୍ଆଇ ଅଧୀକ୍ଷକ ଅରୁଣ କୁମାର ମଲିକ କହିଛନ୍ତି, ଖନନରେ ବହୁ ପୁରାତନ କୀର୍ତ୍ତିରାଜି ବାହାରିବା ସମ୍ଭାବନା ଥିବାରୁ ଆଜି ମଧ୍ୟ ପ୍ରତ୍ନତତ୍ତ୍ବବିତ୍‌ଙ୍କ ଉପସ୍ଥିତିରେ କାର୍ଯ୍ୟ କରାଯାଇଥିଲା। ଆଜି ପୂର୍ବ-ଉତ୍ତର କୋଣରେ ଖନନ କରାଯାଇଛି। ବିନ୍ଦୁସାଗର ଆଡ଼କୁ ୩ଶହ ମିଟର ପର୍ଯ୍ୟନ୍ତ ଖନନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର