ଶୁକଶାରି ନିକଟରେ ଖନନ: ମିଳିଲା ଆଉ ଦୁଇଟି ମନ୍ଦିରର ଭଗ୍ନାବଶେଷ

ପୁରୁଣାଭୁବନେଶ୍ୱର: ଶୁକଶାରି ଦେଉଳ ନିକଟରେ ଏଏସ୍‌ଆଇ ପକ୍ଷରୁ ଚାଲିଥିବା ଖନନରୁ ଆଉ ଦୁଇଟି ମନ୍ଦିରର ସତ୍ତା ମିଳିଛି। ବିନ୍ଦୁସାଗର ଆଡ଼କୁ ଖନନ ବେଳେ ଏହି ମନ୍ଦିର ଦୁଇଟି ପୋତି ହୋଇ ରହିଥିବା ଦେଖାଯାଇଛି। ସେଥିମଧ୍ୟରୁ ଗୋଟିଏ ମନ୍ଦିର ପଶ୍ଚିମମୁହାଁ ହୋଇ ରହିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ୨ ସପ୍ତାହ ତଳେ ଉତ୍ତର-ପୂର୍ବ ପାର୍ଶ୍ବରେ ଖନନ ବେଳେ ଦୁଇଟି ମନ୍ଦିରର ଅଁଳା ବେଢ଼ା ମିଳିଥିଲା। ଏଥିସହ ଏକ ଶିଳପୁଆ ଉଦ୍ଧାର ହୋଇଥିଲା। ସେଠାରେ ଦୁଇ ମାସ ପୂର୍ବରୁ ଏକ ଲିଙ୍ଗର ଯୋନିସ୍ଥଳ ବାହାରିବା ସହ ଦୁଇଟି ମନ୍ଦିରର ମୂଳଦୁଆ ବାହରିଥିଲା। ଅର୍ଥାତ୍‌ ବର୍ତମାନ ସୁଦ୍ଧା ସମୁଦାୟ ୪ଟି ଭଗ୍ନ ମନ୍ଦିର ବାହାରିବା ସହ ଗୋଟିଏ ମନ୍ଦିରର ମୂଳଦୁଆ ଓ ଲିଙ୍ଗର ଯୋନିସ୍ଥଳ ଉଦ୍ଧାର ହୋଇଛି। ଏଥିସହ ଶୁକଶାରି ମନ୍ଦିର ସିଂହଦ୍ବାର ପାହାଚ ଓ ‌ବେସ୍‌ କାଟି ଏକ ଡ୍ରେନ୍‌ ଯାଇଥିବା ଜଣାପଡ଼ିଥିଲା। ତେବେ ଏହି ଖନନ କାର୍ଯ୍ୟ ବିନ୍ଦୁସାଗର ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ କୁହାଯାଇଛି। ବିନ୍ଦୁସାଗର ଆଡ଼କୁ ଖନନ ବେଳେ ଆହୁରି ଭଗ୍ନ ମନ୍ଦିର ବାହାରିପାରେ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି।

ଏ ସଂପର୍କରେ ପ୍ରତ୍ନତତ୍ତ୍ବବିତ୍‌ ପି.କେ ନାୟକ କହିଛନ୍ତି ଯେ ଏଏସ୍ଆଇ ପକ୍ଷରୁ ସାଇଣ୍ଟିଫିକ୍ କ୍ଲିନେସ୍ ବେଳେ ଏବେ ଦୁଇଟି ମନ୍ଦିରର ସନ୍ଧାନ ମିଳିଛି। ପୂର୍ବରୁ ଦୁଇଟି ଅଁଳାବେଢ଼ା ମିଳିଥିଲା। ଏଠାରେ ଏକାଧିକ ମନ୍ଦିର ଭଗ୍ନ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ଆହୁରି ଖନନ କରାଗଲେ ଅନେକ ମନ୍ଦିର ଭଗ୍ନାବିଶେଷ ମିଳିବାର ସମ୍ଭାବନା ରହିଚି। ଏବେ ମନ୍ଦିରର ଦ୍ବାର ମୁହଁ ବାହାରିଛି। ଅନେକ ଅଂଶ ଲୁଚି ରହିଛି। ଆହୁରି ମଧ୍ୟ ସେ କହିଛନ୍ତି ଯେ ବିନ୍ଦୁସାଗର ଆଡ଼କୁ ଓ ଗୌରୀଶଙ୍କର ମନ୍ଦିର ଆଡ଼କୁ ଖନନ କରାଯିବ। ଏଏସ୍ଆଇ ଅଧୀକ୍ଷକ ଅରୁଣ କୁମାର ମଲିକ କହିଛନ୍ତି, ଖନନରେ ବହୁ ପୁରାତନ କୀର୍ତି ବାହାରିବା ସମ୍ଭାବନା ଥିବାରୁ ଆଜି ମଧ୍ୟ ପ୍ରତ୍ନତତ୍ତ୍ବବିତ୍‌ଙ୍କ ଉପସ୍ଥିତିରେ କାର୍ଯ୍ୟ ଚାଲୁ ରହିଛି।

ସମ୍ବନ୍ଧିତ ଖବର