ଉତ୍କୃଷ୍ଟମାନର ଆଲୋକ ବ୍ୟବସ୍ଥା, ସମୀକ୍ଷା ଓ ଅଭିଯୋଗକୁ ଗୁରୁତ୍ବ

ସ୍ମାର୍ଟ ଏଲ୍‌ଇଡି ରାସ୍ତା ଆଲୋକ ପ୍ରକଳ୍ପ ପାଇଁ ପ୍ରଶିକ୍ଷଣ କର୍ମଶାଳା

ଭୁବନେଶ୍ବର: ସ୍ମାର୍ଟ ଏଲ୍‌ଇଡି ରାସ୍ତା ଆଲୋକ ପ୍ରକଳ୍ପ କାର୍ଯ୍ୟକାରିତା ତ୍ବରାନିତ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବୈଦ୍ୟୁତିକ ଯନ୍ତ୍ରୀଙ୍କ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାକୁ ଉଦ୍‌ଘାଟନ କରି ବିଭାଗୀୟ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍‌ କହିଲେ, ପରିବର୍ତ୍ତିତ ପରିସ୍ଥିତିରେ ପ୍ରଯୁକ୍ତି କ୍ଷେତ୍ରରେ ଘଟୁଥିବା ନିରନ୍ତର ପରିବର୍ତ୍ତନ ସହ ତାଳ ଦେଇ ବୈଦ୍ୟୁତିକ ଯନ୍ତ୍ରୀମାନେ ନିଷ୍ଠାପର ରୂପେ କର୍ତ୍ତବ୍ୟ ସଂପାଦନ କଲେ ବିଭାଗର ଲକ୍ଷ୍ୟ ଓ ‘୫-ଟି’ କାର୍ଯ୍ୟକ୍ରମର ଆଭିମୁଖ୍ୟ ପୂରଣ ହୋଇପାରିବ। ରାଜ୍ୟର ସମସ୍ତ ପୌରସଂସ୍ଥାରେ ସ୍ମାର୍ଟ ଏଲ୍‌ଇଡି ରାସ୍ତା ଆଲୋକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର ହୋଇଥିବାରୁ ନିଜର ପୂର୍ଣ୍ଣ ଦକ୍ଷତା ଓ ପାରଦର୍ଶିତା ସହ ବୈଦ୍ୟୁତିକ ଯନ୍ତ୍ରୀମାନେ ଦାୟିତ୍ବ ତୁଲାଇବେ।

ବୈଦ୍ୟୁତିକ ଯନ୍ତ୍ରୀମାନେ ପ୍ରକଳ୍ପ କାର୍ଯ୍ୟ ସମୟରେ କେବଳ ଯନ୍ତ୍ରୀ ଭାବେ ନୁହେଁ ବରଂ ପରିଚାଳକ ଭୂମିକା ନିର୍ବାହ କରିବେ। ଉତ୍କୃଷ୍ଟମାନର ସ୍ମାର୍ଟ ଏଲ୍‌ଇଡି ରାସ୍ତା ଆଲୋକର ମାନରେ କୌଣସି ଅସାଧୁ ମେଣ୍ଟକୁ ପ୍ରଶ୍ରୟ ଦିଆଯିବ ନାହିଁ। ଏଥିସହ ମାସିକ ସମୀକ୍ଷା, ଅଭିଯୋଗ ସମାଧାନ ଓ କାର୍ଯ୍ୟକାରିତାର ମୂଲ୍ୟାୟନ ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଶ୍ରୀ ମାଥିଭାତନନ୍‌ କହିଛନ୍ତି। ପୌର ପ୍ରଶାସକ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ କହିଲେ, ସକାଳେ ପରିଷ୍କାର ରାସ୍ତା ଓ ସଂଧ୍ୟାରେ ଉଜ୍ଜ୍ବଳ ରାସ୍ତା ଆଲୋକ ଏକ ଉନ୍ନତ ସହରାଞ୍ଚଳର ପରିଚୟ। ତେଣୁ କୌଣସି ମାର୍ଗ ଅନ୍ଧକାରରେ ଯେପରି ନରହେ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ପୌରସଂସ୍ଥା ଦ୍ବାରା ପରିଚାଳିତ କଲ୍ୟାଣ ମଣ୍ଡପ ସମୂହରେ ଆଲୋକୀକରଣ ଓ ପାର୍କମାନଙ୍କରେ ରଙ୍ଗିନ ଏଲ୍ଇଡି ଆଲୋକ ବ୍ୟବସ୍ଥାକୁ ମଧ୍ୟ ବୈଦ୍ୟୁତିକ ଯନ୍ତ୍ରୀମାନେ ନିଷ୍ଠାର ସହ ତଦାରଖ କରିବେ। ବିଭାଗୀୟ ଆର୍ଥିକ ପରାମର୍ଶଦାତା ସଞ୍ଜୟ କୁମାର ପରମାଣିକ ଏଦିଗରେ ଉପଲବ୍ଧ ପାଣ୍ଠି ଓ ବ୍ୟୟ ସଂପର୍କରେ ଆଲୋକପାତ କରିବା ସହ ଯଥା ସମୟରେ ପ୍ରକଳ୍ପ ଅର୍ଥ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ପ୍ରକଳ୍ପ କାର୍ଯ୍ୟକାରିତା ଅନୁଧ୍ୟାନ ଓ ରକ୍ଷଣାବେକ୍ଷଣ ଉପରେ ବୈଦ୍ୟୁତିକ ଯନ୍ତ୍ରୀମାନଙ୍କୁ ଗୁରୁତ୍ବ ଦେବା ପାଇଁ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର