ଭୁବନେଶ୍ବର : ଅବକାରୀ ବିଭାଗ ଆଜି ସାଲିଆସାହି ବସ୍ତିରେ ଚାଲିଥିବା ଏକାଧିକ ମଦଭାଟିରେ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ପୋଚ ନଷ୍ଟ କରିଛି। ଏକକାଳୀନ ପ୍ରାୟ ୨ଟି ମଦଭାଟିରୁ ୧୦ ହଜାର ଲିଟରରୁ ଅଧିକ ପୋଚ ଓ ଚାଉଳି ନଷ୍ଟ କରିବା ସହ ୫୦୦ ଲିଟରରୁ ଅଧିକ ଦେଶୀ ମଦ ଜବତ କରିଛି। ଏହି ବେଆଇନ କାରବାରରେ ସଂପୃକ୍ତ ୩ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି।
ସେମାନେ ହେଲେ, ସାଲିଆସାହି ମୁଣ୍ଡାବସ୍ତିର ସୀତା ହାଁସ୍ଦା(୪୮), ଶରଣପଲ୍ଲୀର ଲକ୍ଷ୍ମୀ ମାହାଲି(୨୬), ସୁନିଲ କୁମାର ମାଝୀ(୨୬), ଦୁର୍ଗା ଚରଣ ମୁର୍ମୁ(୨୮) ଓ ଟୁନି ହେମ୍ବମ୍(୨୫)। ଶରଣପଲ୍ଲୀ ବସ୍ତି ଓ ମୁଣ୍ଡା ସାହିରେ ଚଢ଼ଉ ହେଉଥିବା ଖବର ପାଇ ଏକାଧିକ ବେପାରୀ ଜାଗା ଛାଡ଼ି ଚମ୍ପଟ୍ ମାରିଥିଲା। ଅବକାରୀ ବିଭାଗ ଚଢ଼ଉ ଭୟରେ ନିଶା ବେପାରୀମାନେ ଅଣ୍ଡରଗ୍ରାଉଣ୍ଡ କରି ମାଟି ତଳେ ମଦ ଭାଟି ଚଳାଇଥିଲେ। ପ୍ରାୟ ୩୦ରୁ ଅଧିକ ଗାତ କରି ଡ୍ରମ୍ ସହାୟତାରେ ହଜାର ହଜାର ପୋଚ ଲୁଚାଇ ରଖିଥିଲେ। ଅବକାରୀ ବିଭାଗ ମାଟି ତଳେ ଥିବା ସମସ୍ତ ମଦ ନଷ୍ଟ କରିବା ସହ ଭାଟି, ହାଣ୍ଡି, ବାଲ୍ତି ଆଦି ନଷ୍ଟ କରିଥିଲା। ଚଢ଼ଉ ବେଳେ ଡିଏସ୍ଇ ପ୍ରବୀର କୁମାର ସାମଲ, ଇନ୍ସପେକ୍ଟର ସମରଜିତ୍ ଦାଶ, ଏସ୍ଆଇ ମାନସୀ ନାୟକ, ଅଂଶୁମାନ ଜେନା, ପୀତାମ୍ବର ମହାପାତ୍ର, ଏଏସଆଇ ଶରତ ଚନ୍ଦ୍ର ଦାସ, ନିରଂଜନ ବେହେରା, ଲକ୍ଷ୍ମଣ ଗଣିକ, ସୁବାସ ମହାପାତ୍ର, ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/liquor.jpg)