ବାରଙ୍ଗ : ବାରଙ୍ଗ ଥାନା ଅଧୀନ ନରଣପୁର ପେଟ୍ରୋଲ ପମ୍ପ ପାଖରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଆଜି ଏକ ନବଜାତ ଶିଶୁ ଅସୁସ୍ଥ ହୋଇପଡ଼ିବାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ବାପାମା’ଙ୍କୁ ନ ଜଣାଇ ହସ୍ପିଟାଲ କର୍ତ୍ତୃପକ୍ଷ ଶିଶୁକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରି ଦେଇଥିବାରୁ ଏହି ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ସ୍ଥାନୀୟ ଭଦ୍ରଲୋକ, ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଏହି ବିବାଦର ଆପୋଷ ବୁଝାମଣା ପାଇଁ ଉଦ୍ୟମ ଜାରି ରହିଥିବାରୁ ଏ ନେଇ ଥାନାରେ ମାମଲା ହୋଇନାହିଁ।
ସୂଚନାନୁସାରେ ସ୍ଥାନୀୟ ଦେଉଳି ଗ୍ରାମର ଜଣେ ଗର୍ଭବତୀ ମହିଳା ଏହି ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ ଅନୁପସ୍ଥିତିରେ କର୍ମଚାରୀମାନେ ମହିଳାଙ୍କ ପ୍ରସବ କରାଇଥିଲେ। ମାତ୍ର ନବଜାତ ଶିଶୁଟି ଚେତାଶୂନ୍ୟ ହୋଇ ପଡ଼ିଥିଲା। ତେଣୁ କିଛି ଅଘଟଣ ଘଟିବା ଭୟରେ କର୍ମଚାରୀମାନେ ବାପା ଓ ମା’ଙ୍କୁ ନ ଜଣାଇ ତରବରରେ କଟକ ଡାକ୍ତରଖାନକୁ ପଠାଇ ଦେଇଛନ୍ତି। କିନ୍ତୁ ପରେ ଏ ବାବଦରେ ବାପା ମା’ ଜାଣିଥିଲେ। ଖବର ପାଇ ଦେଉଳି ଗ୍ରାମବାସୀମାନେ ହସ୍ପିଟାଲରେ ପହଞ୍ଚି ହୋ-ହଲ୍ଲା କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବିନା ଡାକ୍ତରରେ କର୍ମଚାରୀମାନେ ଏଭଳି ଦୁଃସାହସ କରି ଶିଶୁର ଜୀବନ ସହିତ ଖେଳ ଖେଳିଛନ୍ତି। ଅର୍ଥ ଲୋଭରେ ହସ୍ପିଟାଲର କର୍ମଚାରୀମାନେ ଏଭଳି କାଣ୍ଡ କରିଥିବାରୁ ବାପାମା’ଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳୁ ବୋଲି ସେମାନେ ଦାବି କରିଛନ୍ତି।