ମେଣ୍ଢାଶାଳ : କୋଭିଡ୍‌ କେୟାର ସେଣ୍ଟର୍‌ରେ ଉତ୍ତେଜନା

ମେଣ୍ଢାଶାଳ : କୋଭିଡ୍‌ କେୟାର ସେଣ୍ଟରରେ ଅବ୍ୟବସ୍ଥା ନେଇ ଅନ୍ତେବାସୀମାନେ ତାତିଛନ୍ତି। ଏହାକୁ ନେଇ ଆଜି ସକାଳେ ଜାମୁଝରୀସ୍ଥିତ କୋଭିଡ୍‌ କେୟାର ସେଣ୍ଟରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେଣ୍ଟରର ମୁଖ୍ୟ ଫାଟକ ନିକଟରେ ୧୦୦ରୁ ଉର୍ଦ୍ଧ୍ବ କରୋନା ପଜିଟିଭ ବ୍ୟକ୍ତି ଏକାଠି ହୋଇ ପ୍ରତିବାଦ କରିଥିଲେ। ସେମାନଙ୍କୁ ଠିକ୍ ଭାବେ ଖାଦ୍ୟ, ପିଇବା ପାଣି ଦିଆଯାଉନାହିଁ। ଏହାଛଡ଼ା ସେମାନେ ବ୍ୟବହାର କରୁଥିବା ପାଇଖାନା ଓ ବାଥ୍‌ରୁମ୍ ସଫା କରାଯାଉନାହିଁ। ଏଠାରେ ପ୍ରାୟ ସାମାନ୍ୟ ଲକ୍ଷଣ ଥିବା ୧୦୦ କରୋନା ପଜିଟିଭ୍‌ ଗୋଟିଏ କୋଠରିରେ ରହୁଥିବା ବେଳେ ସେଠାରେ ଏକ ଛୋଟ ଆକ୍ୱାଗାର୍ଡ ଲଗା ଯାଇଛି। ଫଳରେ ପାନୀୟଜଳ ପାଇବାରେ ଅସୁବିଧା ହେଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ସମ୍ ହସ୍‌ପିଟାଲର କର୍ତ୍ତୃପକ୍ଷ ଆସି ବୁଝାଶୁଝା କରିଥିଲେ। ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାର ଜାମୁଝରୀ ସ୍ଥିତ ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମିକୁ ସମ୍ ହସପିଟାଲ ଗତ ୧୫ ତାରିଖରେ ନିଜ ହାତକୁ ନେଇ ସେଠାରେ କୋଭିଡ୍‌ କେୟାର ସେଣ୍ଟର କରିଛି। ସେଠାରେ ସ୍ବଳ୍ପ ଲକ୍ଷଣ ଥିବା ୨୯୮ ଜଣ କରୋନା ପଜିଟିଭ୍‌ ଆସି ୧୦ ଦିନ ସଂଗରୋଧରେ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ସମ୍‌କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର