ଭୁବନେଶ୍ୱର : ବାପା, ମା’ଙ୍କ ବାରଣ ସତ୍ତ୍ବେ କଟକ ଅଞ୍ଚଳର ନାବାଳିକା ପ୍ରାଚୀ ପ୍ରୟାସୀ ସାହୁ(୧୩)ଙ୍କ ଅସ୍ତ୍ରୋପଚାର କରି ୩ ଲକ୍ଷ ଟଙ୍କା ଦାବି କରିବା ଓ ଅସ୍ତ୍ରୋପଚାର ପରେ ପ୍ରାଚୀଙ୍କ ମୃତ୍ୟୁକୁ ନେଇ ଆଜି ଆପୋଲୋ ହସ୍ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରାଚୀଙ୍କ ପରିବାର ଓ ସଂପର୍କୀୟମାନେ ହୋହଲ୍ଲା କରିବା ସହ ହସ୍ପିଟାଲ ଘେରାଉ କରିଥିଲେ। ତେବେ ପରେ ମୃତ ନାବାଳିକାର ପରିବାର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିବା ଜଣାଯାଇଛି।
ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା ହେଲା, ପ୍ରାଚୀକୁ ଗତ ୧୭ ତାରିଖରେ ଡା. ଅନ୍ତର୍ଯ୍ୟାମୀ ନନ୍ଦଙ୍କର ତତ୍ତ୍ବାବଧାନରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉଭୟ ବାପା, ମା’ଙ୍କ ଅନୁମତିରେ ଗତ ୨୩ ତାରିଖରେ ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲା। କିନ୍ତୁ ଗତ ୨୬ ତାରିଖରେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଏହା ପୂର୍ବରୁ ଗତବର୍ଷ ନୂଆଦିଲ୍ଲୀ ଏମ୍ସରେ ପ୍ରାଚୀର ଅସ୍ତ୍ରୋପଚାର ହୋଇଥିଲା। ୭ ମାସ ଧରି ଯକ୍ଷ୍ମା ରୋଗ ପାଇଁ ଔଷଧ ଖାଇଥିଲା। ଏହା ସତ୍ତ୍ବେ ତା’ ମସ୍ତିଷ୍କରେ ମାଂସ ପିଣ୍ଡୁଳା ବିକଶିତ ହୋଇଥିଲା। ଝିଅକୁ ହସ୍ପିଟାଲର ସ୍ନାୟୁ ସର୍ଜରି, କ୍ରିଟିକାଲ କେୟାର୍, ଏଣ୍ଡ୍ରୋକ୍ରାଇନୋଲୋଜି, ହୃଦ୍ରୋଗ, କିଡ୍ନି ରୋଗର ମିଳିତ ଡାକ୍ତରୀ ଦଳ ଚିକିତ୍ସା କରିଥିଲେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।