ଭୁବନେଶ୍ବର : ସୋମବାର ସକାଳୁ ସକାଳୁ ଭୁବନେଶ୍ବର ରେଳଷ୍ଟେସନ୍ରେ ହୋହଲ୍ଲା ଶୁଭିଥିଲା। ହଠାତ୍ ପାଟିତୁଣ୍ଡ ଶୁଣି ସେଠାରେ ଥିବା ଅନ୍ୟ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। କ’ଣ ହେଲା ଭାବି ଡରି ଯାଇଥିଲେ। ତେବେ ଟିକେଟ୍ ଯାଞ୍ଚକୁ ନେଇ ଏଭଳି ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା।
ସୂଚନା ମୁତାବକ, ସୋମବାର ସକାଳେ କେତେକ ଯୁବକ ହୀରାଖଣ୍ଡ ଏକ୍ସପ୍ରେସ୍ରେ ଖଲ୍ଲିକୋଟ୍ରୁ ଭୁବନେଶ୍ବରସ୍ଥିତ ଧାରଣାସ୍ଥଳକୁ ଆସୁଥିଲେ। ଫାଟକରେ ଯାଞ୍ଚ ବେଳେ ଟିଟି ଯୁବକମାନଙ୍କୁ ଅଟକାଇ ଟିକେଟ୍ ଦେଖାଇବାକୁ କହିଥିଲେ। ଯଦିଓ ସେମାନେ ଟିକେଟ୍ କରିଥିଲେ, ଶୋଭାଯାତ୍ରା ସମୟ ବିଳମ୍ବ ହେଉଥିବାରୁ ସେମାନେ ଟିକେଟ୍ ନ ଦେଖାଇ ପଳାଇବା ପାଇଁ ଉଦ୍ୟମ କରିଥିଲେ। ଟିକେଟ୍ ନ ଦେଖାଇବାରୁ ଟିଟି କେତେଜଣ ଯୁବକଙ୍କୁ କାବୁ କରିଥିଲେ। ଯାହାକୁ ନେଇ ଟିଟି ଓ ଯୁବକମାନଙ୍କ ମଧ୍ୟରେ କଥା କଟାକଟିରୁ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ଖବର ପାଇ ରେଳବାଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଆୟତ୍ତ କରିଥିଲା। ଉଭୟପକ୍ଷ ମଧ୍ୟରେ ଆପୋଷ ବୁଝାମଣା ପରେ ଘଟଣାର ସମାଧାନ ହୋଇଥିଲା।