ଟିକା ନ ମିଳିବାରୁ ଲୋକେ ଧସେଇ ପଶିଲେ, ପିଟିଲେ; ଟିକାକରଣ କେନ୍ଦ୍ରରେ ଉତ୍ତେଜନା

ବାଲିଅନ୍ତା: ଟିକା ନେବାକୁ କେନ୍ଦ୍ରକରି ସୋମବାର ଦିନ ସ୍ଥାନୀୟ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବେଣୁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସକାଳ ୬ଟାରୁ ଟିକାକରଣ କେନ୍ଦ୍ର ନିକଟରେ ଲୋକମାନେ ଭିଡ଼ ଜମାଇଥିଲେ। ହେଲେ ହସ୍ପିଟାଲରେ ଟିକା ମହଜୁଦ ନଥିବାରୁ ଟିକା ନେବାକୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବା ପରେ ଲୋକମାନ ଶେଷରେ ନିରାଶ ହୋଇ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଏନେଇ ଏ ଦୁଇ ହସ୍ପିଟାଲରେ ଅପ୍ରୀତିକର ପରିସ୍ଥିତି ତଥା ଗଣ୍ଡଗୋଳ ହୋଇଥିଲା। ଲୋକମାନେ କାର୍ଯ୍ୟରତ ଡାକ୍ତର, ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ଖାଲି ସେତିକି ନୁହେଁ; ଟିକାକରଣ କେନ୍ଦ୍ର ଭିତରକୁ କିଛି ଲୋକ ଧସେଇ ପଶିଥିଲେ। ଟିକା ବଣ୍ଟନ ଦାୟିତ୍ବରେ ଥିବା କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିଥିଲେ। ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀ ସଂଜୟ କୁମାର ଜେନାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଭିଡ଼ ବଢ଼ିବା ସହ ଗଣ୍ଡଗୋଳ ପରସ୍ଥିତି ଅଣାୟତ୍ତ ହେବାରୁ ଡାକ୍ତର ବାଳକାଟି ଫାଣ୍ଡି ପୁଲିସକୁ ଫୋନ କରି ଜଣାଇଥିଲେ। ଖବର ପାଇ ପିସିଆର ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନା ଅନୁଯାୟୀ ସୋମବାର, ମଙ୍ଗଳବାର ଓ ବୁଧବାର ଟିକାକରଣ ପାଳି ଥିବାରୁ ସୋମବାର ସକାଳ ୬ଟା ସମୟରୁ ବେଣୁପୁର ଓ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକମାନଙ୍କର ନାହିଁ ନଥିବା ଭିଡ଼ ଲାଗିଥିଲା। ବେଣୁପୁର ହସ୍ପିଟାଲରେ ପହଞ୍ଚି ଶତାଧିକ ଲୋକ ଟିକା ନେବାକୁ ଟିକେଟ କରିଥିଲେ। ହେଲେ ହସ୍ପିଟାଲ ଫ୍ରିଜର ଓ ଆଇଲାରରେ କରୋନା ଟିକା ଗଚ୍ଛିତ ନ ଥିଲା। ଏହାକୁ କେନ୍ଦ୍ର କରି ହସ୍ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ଲୋକମାନେ ଫେରିଯିବାକୁ ବାଧ୍ୟ ହୋଇଥିଲେ। ଅନୁରୂପ ଭାବେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୧୦ ଜଣଙ୍କ ଲାଗି ଟିକା ମହଜୁଦ ଥିଲା। ହେଲେ ଟିକା ନେବାକୁ କେନ୍ଦ୍ର ସମ୍ମୁଖରେ ୪୦୦ ଲୋକ ଭିଡ଼ ଜମାଇଥିଲେ। ଏହା ସହ ଦ୍ବିତୀୟ ଡୋଜ୍‌ ଟିକା ନେବାକୁ ମଧ୍ୟ ବରିଷ୍ଠ ନାଗରିକମାନେ ଆସିଥିଲେ। ହେଲେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବାରୁ ଅଧିକାଂଶ ବରିଷ୍ଠ ନାଗରିକ ଫେରିଯାଇଥିଲେ। ସେହିପରି ପ୍ରଥମ ଡୋଜ୍‌ ଟିକା ନେବାକୁ ଆସିଥିବା ୨୦୦ରୁ ଅଧିକ ଲୋକ ମଧ୍ୟ ଫେରିଯାଇଥିବା ଦେଖାଯାଇଥିଲା। ଦୁଇ ହସ୍ପିଟାଲକୁ ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇଦେବା ଦିଗରେ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର