ପୁରୁଣା ଭୁବନେଶ୍ବର: ୱାର୍ଡ ନମ୍ବର ୬୧ ଅନ୍ତର୍ଗତ ଭୀମଟାଙ୍ଗି ତଳଫେଜ୍ ମଙ୍ଗଳା ମନ୍ଦିର ନିକଟ ରାସ୍ତାକଡ଼ରୁ ଜବରଦଖଲ ଉଚ୍ଛେଦ ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ବିଏମ୍ସିର ଏହି ଉଚ୍ଛେଦ ଆକ୍ରୋଶମୂଳକ ଓ ପାତରଅନ୍ତରପୂର୍ଣ୍ଣ ବୋଲି ଅଭିଯୋଗ କରି ସ୍ଥାନୀୟ ଲୋକ ପାଟିତୁଣ୍ଡ କରିଥିଲେ। ବିନା ନୋଟିସ୍ରେ ବିଏମ୍ସି ଆଜି ଅତର୍କିତ ଭାବେ ଜୋରଜବରଦସ୍ତ ଲୋକଙ୍କ ପାଚେରି ଭାଙ୍ଗିଛି। ଗୋଟିଏ ପାର୍ଶ୍ବରେ ଉଚ୍ଛେଦ କରାଯାଇଥିବା ବେଳେ କାହା ସ୍ବାର୍ଥରେ ଅନ୍ୟ ପାର୍ଶ୍ବରୁ ଉଚ୍ଛେଦ କରାଯାଇନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଆଜି ପ୍ରାୟ ୧୧ଟାରେ ମଙ୍ଗଳା ମନ୍ଦିର ଗଳିର ଶେଷଆଡ଼ୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉକ୍ତ ରାସ୍ତା କଡ଼ରେ ୧୦୫ ବର୍ଗଫୁଟ୍ରେ ଥିବା ୪ଟି ଦୋକାନ, ଗ୍ୟାରେଜ୍ ଘର, ଟିଣ ଛାତ ଓ ଆଜ୍ବେଷ୍ଟେସ୍କୁ ଭଙ୍ଗା ଯାଇଥିଲା। ସେହିପରି ବହୁ ଲୋକଙ୍କ ଲୁହା ପାଚେରି ଭଙ୍ଗା ଯାଇଥିଲା। ମଙ୍ଗଳା ମନ୍ଦିର ସମ୍ମୁଖରେ ଏଲ୍ବି-୨୫୬ରେ ରହୁଥିବା ସୁଦୀପ୍ତ ବେଉରାଙ୍କ ଘର ପାଚେରି ଭାଙ୍ଗିବା ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସୁଦୀପ୍ତଙ୍କ କହିବା କଥା, ମାତ୍ର ହାତେ ପାଚେରି ଆଗକୁ ଆସିଥିବା ବେଳେ ବିଏମ୍ସି ପୁଲିସ୍ ସହାୟତାରେ ତାଙ୍କର ୬ଫୁଟ୍ର ପାଚେରି ଭାଙ୍ଗି ଦେଇଥିଲା। ଅପରପାର୍ଶ୍ବରେ ଜବରଦଖଲ ରହିଥିଲେ ମଧ୍ୟ ଜବରଦଖଲ ଟିମ୍ ସେଥିରେ ହାତ ମାରିନଥିଲେ।
ଆକ୍ରୋଶମୂଳକ ଭାବେ ଏହି ଉଚ୍ଛେଦ କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ପ୍ଲଟ୍ ନମ୍ବର ଏଲ୍ବି-୨୫୧ରେ ପଦ୍ମଚରଣଙ୍କ ଦୋକାନକୁ ଲାଗିଥିବା ପାଚେରି ଭାଙ୍ଗିଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ୨୫୩ର ସୁବର୍ଣ୍ଣବାଳା ପାତ୍ର, ଏଲ୍ବି-୨୫୪ରେ ରଞ୍ଜୁ ପଟ୍ଟନାୟକ ଓ ଶୁଭଶ୍ରୀ ପଟ୍ଟନାୟକଙ୍କ ପାଚେରି, ୨୫୫ର ହେମନ୍ତ ବୈରୀଗଞ୍ଜନଙ୍କ ପାଚେରି ଭଙ୍ଗା ଯାଇଥିଲା। ଏନ୍ଫୋର୍ସମେଣ୍ଟ ଅଫିସର୍ ପ୍ରମୋଦ କୁମାର ଜେନା, ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ, ଥାନା ଅଧିକାରୀ ଅଶୋକ କୁମାର ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏକ ପ୍ଲାଟୁନ୍ ରିଜର୍ଭ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ଏ ସଂପର୍କରେ ଏନ୍ଫୋର୍ସମେଣ୍ଟ ଅଫିସର୍ ଶ୍ରୀ ଜେନା କହିଛନ୍ତି, ନିୟମ ଅନୁଯାୟୀ ପୂର୍ବରୁ ଘୋଷଣା କରାଯାଇଛି। ଗତକାଲି ଶୁକ୍ରବାର ଘୋଷଣା ହୋଇଥିଲା।