ବାଲିଅନ୍ତା: ଆଜି ଡାକ୍ତରଙ୍କ ବିଳମ୍ବକୁ ନେଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଉଟ୍‌ଡୋର୍‌କୁ ଶିଶୁ ରୋଗ ବିଶେଷଜ୍ଞ ବିଳମ୍ବରେ ଆସିବାରୁ ଟିକେଟ୍‌ କାଟି ଅପେକ୍ଷା କରିଥିବା ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା ଏବଂ ସେମାନେ ମେଡିକାଲ୍‌ ଅଫିସର୍‌ଙ୍କୁ ଘେରି ପାଟିତୁଣ୍ଡ କରିଥିଲେ। ଡାକ୍ତର ୧୨ଟା ପରେ ଆସିଥିବା ବେଳେ ଲୋକେ ହତାଶ ହୋଇ ଫେରିସାରିଥିଲେ। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ, ମହିଳା ଓ ପ୍ରସୂତି ବିଶେଷଜ୍ଞ ଏବଂ ଶିଶୁ ରୋଗ ବିଶେଷଜ୍ଞ ଆଜି ହସ୍ପିଟାଲରେ ବିଳମ୍ବରେ ପହଞ୍ଚିବା ନେଇ ତୀବ୍ର ଅସନ୍ତୋ‌ଷ ଦେଖାଦେଇଥିଲା। ଶିଶୁରୋଗ ବିଶେଷଜ୍ଞ ଆଉଟ୍‌ଡୋରରେ ଆଜି ବିଳମ୍ବରେ ପହଞ୍ଚିବା ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଟିକେଟ୍‌ କରି ଧାଡ଼ିରେ ଳଗାଇଥିବା ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ରୋଗୀଙ୍କ ସଂପର୍କୀୟମାନେ ହୋ ହଲ୍ଲା କରିଥିଲେ। ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା।

Advertisment

ରୋଗୀ ଏବଂ ସେମାନଙ୍କ ସଂପର୍କୀୟମାନେ ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ତନ୍ମୟ ତ୍ରିପାଠୀଙ୍କୁ ଘେରି କୈଫୟତ ମାଗିଥିଲେ। ଡାକ୍ତର ତ୍ରିପାଠୀ ଏନେଇ ସଂପୃକ୍ତ ଡାକ୍ତରଙ୍କ ସହିତ ଫୋନ୍‌ରେ ଯୋଗାଯୋଗ କରିଥିଲେ। କିନ୍ତୁ ସେ କିଛି ବ୍ୟକ୍ତିଗତ ସମସ୍ୟା ପାଇଁ ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ ହେଉଥିବା କହି ସଫେଇ ଦେଇଥିଲେ। ଏଣେ ସକାଳ ୯ଟା ସମୟରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଦୀର୍ଘ ଅଢ଼େଇ ଘଣ୍ଟା ଧରି ଆଉଟ୍‌ଡୋର୍‌ରେ ଅପେକ୍ଷାରତ ରୋଗୀମାନେ ଶେଷରେ ଅନ୍ୟତ୍ର ଯିବାକୁ ବାଧ୍ୟ ହୋଇଥିଲେ। ଏସଂପର୍କରେ ଡାକ୍ତର ତ୍ରୀପାଠୀଙ୍କୁ ପଚାରିବାରେ ସେ ଅଭିଯୋଗ ପ୍ରସଙ୍ଗକୁ ସ୍ବୀକାର କରିବା ସହ ହସ୍ପିଟାଲ୍‌କୁ ଠିକ ସମୟରେ ଆସୁନଥିବା‌ ଡାକ୍ତର, ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି କହିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏବେ ଏଠାରେ ସ୍ବାସ୍ଥ୍ୟ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ଷ୍ଟାଫ୍‌ ନର୍ସଙ୍କ ଅନୁପସ୍ଥିତି ଯୋଗୁ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ମିଳୁନଥିବା ଅଭିଯୋଗ ହେଉଛି। ବହୁ ସମୟରେ ଡାକ୍ତରମାନେ ଆଉଟ୍‌ଡୋର୍‌କୁ ଆସୁ ନାହାନ୍ତି। ମହିଳା ଓ ପ୍ରସୂତି ବିଶେଷଜ୍ଞ ଏବଂ ଶିଶୁ ରୋଗ ବିଶେଷଜ୍ଞଙ୍କ ଅନୁପସ୍ଥିତି ବେଶି ସମସ୍ୟା ସୃଷ୍ଟି କରୁଛି। ଟିକେଟ୍‌ ଧରି ଧାଡ଼ିରେ ଅପେକ୍ଷା କରୁଥିବା ରୋଗୀମାନେ ନିରାଶ ହୋଇ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ଗତ ୧୮ ତାରିଖରେ ବାଲିଅନ୍ତା ପଞ୍ଚାୟତ ସମିତିରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଇ ଫେରୁଥିବା ବେଳେ ଖୋର୍ଧା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. ଆର୍ତ୍ତବନ୍ଧୁ ନାୟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅତର୍କିତ ପରିଦର୍ଶନରେ ଆସିଥିଲେ। ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିପାଠୀଙ୍କୁ ଏନେଇ ତାଗିଦ କରିଥିଲେ। ତଥାପି ଆଜି ସେହିଭଳି ଅବହେଳା ଦେଖିବାକୁ ମିଳିଥିଲା।