ମହିଳାଙ୍କ ମୃତ୍ୟୁରୁ ନର୍ସିଂ ହୋମ୍‌ରେ ଉତ୍ତେଜନା

୭ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲା ଧାରଣା

ଭୁବନେଶ୍ବର : ଜଣେ ଚିକିତ୍ସାଧୀନ ମହିଳାଙ୍କ ମୃତ୍ୟୁକୁ ନେଇ ରବିବାର ଦିନ ୟୁନିଟ୍ ୩ ସ୍ଥିତ ପଣ୍ଡା ନର୍ସିଂ ହୋମ୍‌ରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚିକିତ୍ସାରେ ତ୍ରୁଟି ଓ ଅବହେଳା କାରଣରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଏହି ପରିସ୍ଥିତି ଉପୁଜିଥିଲା। କ୍ଷତିପୂରଣ ଦାବି କରି ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ନର୍ସିଂ ହୋମ୍‌ ସମ୍ମୁଖରେ ଧାରଣା ଦିଆଯାଇଥିଲା। ପରେ ପୁଲିସ ଉପସ୍ଥିତିରେ ହସ୍ପିଟାଲ କର୍ତ୍ତୃପକ୍ଷ ମହିଳାଙ୍କ ନିକଟତମ ସମ୍ପର୍କୀୟଙ୍କୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସୂଚନାନୁସାରେ ଗତ ଗୁରୁବାର ଅପରାହ୍ନରେ ଲକ୍ଷ୍ମୀସାଗର ଅଞ୍ଚଳର ଲତା ନାୟକ(୫୫) ପେଟରେ ଗଭୀର ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ପଣ୍ଡା ନର୍ସିଂ ହୋମ୍‌ରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବା ପରେ ପେଟରେ ଷ୍ଟୋନ୍ ବଢ଼ୁଥିବା ଜଣାପଡ଼ିଥିଲା। ତେଣୁ ଡାକ୍ତରଙ୍କ ପରାମର୍ଶକ୍ରମେ ସଙ୍ଗେସଙ୍ଗେ ଅପରେସନ କରାଯାଇଥିଲା। କିନ୍ତୁ ନର୍ସିଂ ହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଥାଇ ଶୁକ୍ରବାର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ତେଣୁ ତୁରନ୍ତ ତାଙ୍କୁ ନୀଳାଚଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା। ମାତ୍ର ରବିବାର ସକାଳୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରେସନ ସମୟରେ ଆବଶ୍ୟକତା ଠାରୁ ଅଧିକ ନିଶା ଦିଆଯାଇଥିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକଙ୍କ ସମ୍ପର୍କୀୟମାନେ ପଣ୍ଡା ନର୍ସିଂ ହୋମ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ମୃତକଙ୍କ ପରିବାରକୁ ନ୍ୟାୟ ଦାବି କରି ଏହି ଧାରଣାରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ ସାମିଲ୍ ହୋଇଥିଲା। ରାଜ୍ୟ ସଂଯୋଜକ ମହମ୍ମଦ ମନୱର୍‌ ଅଲ୍ଲୀ ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ।

ନବଜାତ ଶିଶୁର ମୃତ୍ୟୁକୁ ନେଇ ହସ୍ପିଟାଲରେ ଭଙ୍ଗାରୁଜା
ଭୁବନେଶ୍ୱର : ନବଜାତ ଶିଶୁର ମୃତ୍ୟୁକୁ ନେଇ ରବିବାର ଦିନ ୟୁନିଟ୍‌-୬ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ଚିକିତ୍ସାରେ ଅବହେଳା ଅଭିଯୋଗ କରି ମୃତକଙ୍କ ପରିବାର ତଥା ସମ୍ପର୍କୀୟମାନେ ହସ୍ପିଟାଲରେ ଭଙ୍ଗାରୁଜା କରିଥିଲେ। ଏୟାର୍‌ପୋର୍ଟ ଥାନା ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ସୂଚନାନୁଯାୟୀ ଡୁମୁଡୁମା ହାଉସିଂ ବୋର୍ଡ ଅଞ୍ଚଳର ମନୋରଞ୍ଜନ ମହାପାତ୍ରଙ୍କ ପତ୍ନୀ ପ୍ରଜ୍ଞା ଗତ ୨ ତାରିଖ ସକାଳ ୭ଟାରେ ଉକ୍ତ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ହସ୍ପିଟାଲରେ ଭର୍ତ୍ତି ହେବାର ଦେଢ଼ ଘଣ୍ଟା ପରେ ସେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ତେବେ ଶିଶୁଟି ଭଲରେ ନିଃଶ୍ବାସ ନେଇ ପାରୁନାହିଁ ବୋଲି ହସ୍ପିଟାଲ୍‌ ପକ୍ଷରୁ ମନୋରଞ୍ଜନଙ୍କୁ ଜଣାଇ ଦିଆଯାଇଥିଲା ଓ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କୁହାଯାଇଥିଲା। ତେବେ ସେଠାରେ ହିଁ ଶିଶୁର ଚିକିତ୍ସା କରାଇବାକୁ ପରିବାର ଲୋକେ ଅନୁରୋଧ କରିଥିଲେ। ତେଣୁ ପରିବାରର ଅନୁରୋଧକ୍ରମେ ଶିଶୁଟିକୁ ଲାଇଟ୍‌ରେ ରଖାଯିବା ସହ ଅକ୍ସିଜେନ୍‌ ସପୋର୍ଟ ଦିଆଯାଇଥିଲା। ମାତ୍ର ଆଜି ସକାଳେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଏହା ଜାଣିବା ପରେ ଶିଶୁର ପରିବାର ଲୋକେ ଉତ୍‌କ୍ଷିପ୍ତ ହୋଇ ହସ୍ପିଟାଲ୍‌ରେ ଭଙ୍ଗାରୁଜା କରିଥିଲେ। ଏନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଓ ମନୋରଞ୍ଜନଙ୍କ ପରିବାର ପକ୍ଷରୁ ଥାନାରେ ଦୁଇଟି ପୃଥକ ଅଭିଯୋଗ ହୋଇଛି। ଥାନା ଅଧିକାରୀଙ୍କ କହିବା ଅନୁଯାୟୀ ଏନେଇ ଅନୁଧ୍ୟାନ କରିବାକୁ ସିଡିଏମ୍‌ଓଙ୍କୁ ଜଣାଯାଇଛି ଓ ସିଡିଏମ୍‌ଓ ଏହାର ତଦନ୍ତ କରିବେ।

ସମ୍ବନ୍ଧିତ ଖବର