ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଧାରଣାରେ ବସି‌ଲେ ବିଧାୟକ

ଭୁବନେଶ୍ୱର : ରୋଗୀ ମୃତ୍ୟୁକୁ ନେଇ ଆଜି ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍‌ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ‌ଚିକିତ୍ସା ନାଁରେ ଗରିବ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେବା ଅଭିଯୋଗ କରି ରୋଗୀଙ୍କ ପରିବାରବର୍ଗ ଧାରଣା ଦେଇଥିଲେ। ଖବର ପାଇ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ଧାରଣାରେ ସାମିଲ ହୋଇଥିଲେ। ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲା। ହେଲେ ଧାରଣାରତ ଲୋକେ ଟଙ୍କା ଫେରସ୍ତ ଦାବିରେ ବସି ରହିଥିଲେ। ପରେ କର୍ତ୍ତୃପକ୍ଷ ଆଲୋଚନାକୁ ଆସିଥିଲେ। ଆସନ୍ତାକାଲି କର୍ତ୍ତୃପକ୍ଷ ବିଚାର ବିମର୍ଶ କରିବା ସହ ବାସ୍ତବରେ କେତେ ଖର୍ଚ୍ଚ ହୋଇଛି ବା କେତେ ଟଙ୍କା ଫେରାଯିବ ସେ ନେଇ ସ୍ପଷ୍ଟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମିଳିବା ପରେ ବିଧାୟକ ଓ ପରିବାରବର୍ଗ ଧାରଣାରୁ ଉଠିଥିଲେ। ଯଦି ପ୍ରତିଶ୍ରୁତି ମୁତାବକ ସେମାନେ ଟଙ୍କା ନ ଫେରାନ୍ତି ତେବେ ପୁଣି ଥରେ ୨୬ ତାରିଖରେ ଏହି ହସ୍‌ପିଟାଲ ପରିସରରେ ହଜାର ହଜାର ଲୋକଙ୍କ ସହ ବିଧାୟକ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ।

ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳରୁ ଜଣେ ଯୁବକ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଏଠାରେ ଦୀର୍ଘ ଏକ ମାସ ହେବ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁନଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ହସ୍‌ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ପକାଇ ରଖି ଚିକିତ୍ସା ବାବଦକୁ ଗୋଟିଏ ମାସରେ ୯ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇଥିଲେ। ଟଙ୍କା ନେଇଯିବା ପରେ ଆଜି ମୃତ ଘୋଷଣା କରିଥିଲେ। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମତାମତ ‌ମିଳିପାରି ନାହିଁ।

ସମ୍ବନ୍ଧିତ ଖବର