ଶିକ୍ଷୟିତ୍ରୀଙ୍କ ନିଯୁକ୍ତିକୁ ନେଇ ଉତ୍ତେଜନା: ବ୍ଲକ ଅଧ୍ୟକ୍ଷାଙ୍କୁ କ୍ଷମା ମାଗିଲେ ବିଇଓ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ ଓ ବ୍ଲକ ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ଓଝାଙ୍କ ମଧ୍ୟରେ ଶିକ୍ଷକ ନିଯୁକ୍ତି ସମସ୍ୟାକୁ ନେଇ ଉପୁଜିଥିବା ବିବାଦ ଆଜି ଉଗ୍ର ରୂପ ନେଇଥିଲା। ବିଇଓ ଶ୍ରୀ ଓଝା ଅଧ୍ୟକ୍ଷାଙ୍କୁ ଫୋନରେ କଟୁ କଥା କହିଥିବା ନେଇ ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ର କରି ଆଜି ପୂର୍ବାହ୍ନରେ ବାଳକାଟି ନୂଆପାଟଣା ଗ୍ରାମସ୍ଥିତ ବିଇଓଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା। ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆଙ୍କ ସମର୍ଥକ ଗୋ‌ଷ୍ଠୀ ବିଇଓ ଶ୍ରୀ ଓଝାଙ୍କୁ ତାଙ୍କ ପ୍ରକୋଷ୍ଠରେ ଦୀର୍ଘ ୧ ଘଣ୍ଟା ଧରି ଘେରିଥିଲେ। ବିଇଓ କ୍ଷମା ନମାଗିବା ପର୍ଯ୍ୟନ୍ତ ସମାଧାନ ହେବ ନାହିଁ ବୋଲି କହି ହୋ ହଲ୍ଲା କରିଥଲେ। ଶେଷରେ ବିଇଓ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷାଙ୍କ ନିକଟକୁ ଯାଇ କ୍ଷମା ମାଗିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅନ୍ୟପକ୍ଷରେ ବ୍ଲକ ଅଧ୍ୟକ୍ଷା ଆଣିଥିବା ଅଭିଯୋଗକୁ ବିଇଓ ଖଣ୍ଡନ କରିଛନ୍ତି।

ସୂଚନା ଅନୁସାରେ ବ୍ଲକ ଅଧ୍ୟକ୍ଷା ମହୁଖଣ୍ଡା ଉଚ୍ଚ ପ୍ରାଥମିକ ସ୍କୁଲରେ ସ୍ଥାୟୀ ନିଯୁକ୍ତ ପାଇଥିବା ଜଣେ ଶିକ୍ଷୟିତ୍ରୀଙ୍କ ସମସ୍ୟା ସଂପର୍କରେ ଶ୍ରୀ ଓଝାଙ୍କୁ ବାରମ୍ବାର ଫୋନ କରିଥିଲେ। ବିଇଓ ଦୀର୍ଘ ସମୟ ପରେ ତାଙ୍କ ଫୋନ ଉଠାଇଥିଲେ। ଅଧ୍ୟକ୍ଷା ପଚାରିବାରୁ ସେ ରାଗିଯାଇ ଫୋନ ଉଠାଇବାକୁ ବାଧ୍ୟ ନୁହନ୍ତି ବୋଲି କହିଥିବା ଅଧ୍ୟକ୍ଷା କହିଛନ୍ତି। ତା’ ପରେ ଫୋନ କାଟି ଦେଇଥିଲେ। ଅଧ୍ୟକ୍ଷାଙ୍କ ସମର୍ଥକ ଏକଥା ଶୁଣିବା ପରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଏବଂ ତାଙ୍କ ସମର୍ଥକମାନେ ବିଇଓଙ୍କୁ କାର୍ଯ୍ୟାଳୟରେ ଘେରିଥିଲେ।

ସମ୍ବନ୍ଧିତ ଖବର